ନୂଆଦିଲ୍ଲୀ: ଚୀନ୍‌ର ଏକ ଷ୍ଟାର୍ଟଅପ୍ ସଂସ୍ଥା ବିଟାଭୋଲ୍ଟ ଏଭଳି ଏକ ବ୍ୟାଟେରି ବିକାଶ କରିଛି ଯାହାକୁ ଥରେ ଚାର୍ଜ କଲେ ତାହା ୫୦ ବର୍ଷ ପର୍ଯ୍ୟନ୍ତ ଚାଲିବ। ଏହି ବ୍ୟାଟେରି ଫୋନ୍‌ରେ ରହିଲେ ତାହାକୁ ଆଉ ବାରମ୍ବାର ଚାର୍ଜ କରିବାକୁ ପଡ଼ିବନି। ଚାର୍ଜର ଅଲୋଡ଼ା ହୋଇଯିବ। ଏକ ମୁଦ୍ରାଠାରୁ କମ୍ ଆକାରର ଏକ ମଡ୍ୟୁଲ୍‌ରେ ୬୩ ଆଇସୋଟପ୍‌କୁ ରଖିବାରେ କଂପାନି ସଫଳ ହୋଇଛି। ଆଣବିକ ଶକ୍ତିକୁ କଏଦ କରିଥିବା ଏହା ହେଉଛି ବିଶ୍ବର ପ୍ରଥମ ବ୍ୟାଟେରି। କଂପାନି ଫୋନ୍ ଓ ଡ୍ରୋନ୍ ଲାଗି ଏହି ବ୍ୟାଟେରିର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିବାକୁ ଚାହୁଛି। ବିମାନ, ଏଆଇ ଉପକରଣ, ମେଡିକାଲ୍ ଉପକରଣ, ମାଇକ୍ରୋପ୍ରୋସେସର, ଉନ୍ନତ ସେନ୍‌ସର, ଛୋଟ ଡ୍ରୋନ୍ ଏବଂ ମାଇକ୍ରୋ ରୋବଟ୍‌ ଯେଉଁଥିରେ ଦୀର୍ଘସ୍ଥାୟୀ ବ୍ୟାଟେରି ଆବଶ୍ୟକ ହେଉଛି ସେହି କ୍ଷେତ୍ରଗୁଡ଼ିକ ଲାଗି ଏହି ବ୍ୟାଟେରି ବରଦାନ ସାବ୍ୟସ୍ତ ହେବ। ଆଣବିକ ଆଇସୋଟପ୍ ଓ ହୀରା ସେମିକଣ୍ଡକ୍ଟରକୁ ବ୍ୟବହାର କରି ଏହି ଛୋଟ ବ୍ୟାଟେରିକୁ ପ୍ରସ୍ତୁତ କରାଯାଇଛି। ୩ ଭୋଲ୍‌ଟରେ ଏହି ଆଣବିକ ବ୍ୟାଟେରି ୧ ୱାଟ୍ ଶକ୍ତି ଉତ୍ପନ୍ନ କରୁଛି।

Advertisment

ବିଟାଭୋଲ୍ଟର ଏହି ବ୍ୟାଟେରିରୁ ହେଉଥିବା ବିକିରଣ ମାନବ ଶରୀର ପାଇଁ କ୍ଷତିକାରକ ନଥିବା ଜଣାପଡ଼ିଛି। ତେଣୁ ଏହାକୁ ପେସ୍‌ମେକର୍‌ ଭଳି ମେଡିକାଲ୍ ଉପକରଣରେ ବ୍ୟବହାର କରିହେବ। ବ୍ୟାଟେରିକୁ ବିଭିନ୍ନ ସ୍ତରରେ ତିଆରି କରାଯାଇଛି। ତେଣୁ କୌଣସି ବାହ୍ୟ କାରଣ ଯୋଗୁଁ ତାହାର ଶକ୍ତି ବଢ଼ିଗଲେ ସେଥିରେ ବିସ୍ଫୋରଣ ହେବ ନାହିଁ। ମାଇନସ୍ ୬୦ ଡିଗ୍ରିରୁ ୧୨୦ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଥିବା ସ୍ଥାନରେ ଏହା ଠିକ୍ ଭାବେ କାମ କରିବ। ଏହି ବ୍ୟାଟେରି ପରିବେଶ ପାଇଁ କ୍ଷତିକାରକ ନୁହେଁ ବୋଲି କଂପାନି ପକ୍ଷରୁ କୁହାଯାଇଛି।