ଭୁବନେଶ୍ୱର: ‘ବୟନିକା’ର ୬୭ତମ ପ୍ରତିଷ୍ଠା ଦିବସ ସମାରୋହ ‘ବୟନ ଭବନ’ ପରିସରରେ ଆଜି ସଂଧ୍ୟାରେ ପାଳିତ ହୋଇଯାଇଛି। ଏହି ସମାରୋହକୁ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ବିଏମ୍‌ସି ମେୟର ସୁଲୋଚନା ଦାସ, ବୟନ ଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶୋଭନ କ୍ରିଷ୍ଣ ସାହୁ, ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ପରିଚାଳନା ନିର୍ଦ୍ଦେଶିକା ପ୍ରଣତି ଛୋଟରାୟ ଓ ବୟନିକା ପରିଚାଳନା କମିଟିର ସଭ୍ୟା/ସଭ୍ୟ ବୃନ୍ଦ ଏଥିରେ ଉପସ୍ଥିତ ଥିଲେ। ବୟନିକା ୨୦୨୨-୨୩ ବର୍ଷରେ ନିଜର ପ୍ରତିଷ୍ଠିତ ବିକ୍ରୟ ଶାଖା ତଥା ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀରେ ଭାଗ ନେଇ ଏବଂ ପ୍ରଦର୍ଶନୀର ଆୟୋଜନ କରି ୧୬୨ କୋଟି ଟଙ୍କାର ବ୍ୟବସାୟ କରିଛି। ୨୦୨୩-୨୪ ବର୍ଷରେ ମୋଟ ୨୦୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି। ଏକ ହସ୍ତତନ୍ତ ସଂସ୍ଥା ହିସାବରେ ୧୬୨ କୋଟି ଟଙ୍କାର ବ୍ୟବସାୟ କରିବା, ଓଡ଼ିଶା ହସ୍ତତନ୍ତ ଶିଳ୍ପ କ୍ଷେତ୍ରରେ ନିଶ୍ଚିତ ଭାବେ ଏକ ମାଇଲଖୁଣ୍ଟ। ଆଗାମୀ ଦିନରେ ବୟନିକା ଏହାର ବ୍ୟବସାୟିକ ଅଭିବୃଦ୍ଧି ଘଟାଇବା ପାଇଁ ବଦ୍ଧପରିକର ହେବା ସଙ୍ଗେ ସଙ୍ଗେ ଏହି ସଂସ୍ଥା ସହ ଜଡ଼ିତ ଅଗଣିତ ବୁଣାକାରଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶକୁ ପରିବର୍ଦ୍ଧିତ କରିବା ପାଇଁ ଚେଷ୍ଟା କରିବ ବୋଲି ବୟନିକା ପକ୍ଷରୁ କୁହାଯାଇଛି।

Advertisment

ପ୍ରକାଶ ଥାଉ କି, ୧୯୫୬ ମସିହାରେ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ ପ୍ରତିଷ୍ଠା ଲାଭ କରିଥିଲା। ଯାହାକି ଆଜି ‘ବୟନିକା’ ନାମରେ ଖ୍ୟାତି ଅର୍ଜନ କରିଅଛି। ବୟନିକା ଏହାର ୬୭ତମ ପ୍ରତିଷ୍ଠା ଦିବସ ସମାରୋହକୁ ଏହାର ସମସ୍ତ ଶାଖା ଓ ମୁଖ୍ୟ କାର୍ଯ୍ୟାଳୟରେ ପାଳନ କରିଛି। ବିକ୍ରୟ ଶାଖାଗୁଡ଼ିକରେ ଆୟୋଜିତ ସମାରୋହକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ/ଅତିରିକ୍ତ ଜିଲ୍ଲାପାଳ/ଉପଜିଲ୍ଲାପାଳ ଓ ତହସିଲ୍‌ଦାରମାନେ ଉଦ୍‌ଘାଟନ କରିଅଛନ୍ତି। ବୟନିକାର ଭୁବନେଶ୍ୱରସ୍ଥିତ ୱେଷ୍ଟର୍ଣ୍ଣ ମାର୍କେଟ ବିଲ୍‌ଡିଂ ବିକ୍ରୟ କେନ୍ଦ୍ରରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହକୁ ଆଜି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ।