ଭୁବନେଶ୍ବର: ବିସି ଜିନ୍ଦଲ ଗ୍ରୁପ୍ ଏହାର ସହାୟକ ସଂସ୍ଥା ଜିନ୍ଦଲ ଇଣ୍ଡିଆ ଷ୍ଟିଲ୍ ଟେକ୍ ଲିମିଟେଡ୍ ଜରିଆରେ ୨୦୩୦ ସୁଦ୍ଧା ରାଜ୍ୟରେ ୧୫ ହଜାର କୋଟି ଟଙ୍କା ନିବେଶ କରିବା ଯୋଜନା ରଖିଛି। ଏକ ରିଟେଲର ସମ୍ମିଳନୀ ପରିପ୍ରେକ୍ଷୀରେ କମ୍ପାନି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଢେଙ୍କାନାଳରେ ଏକ ନୂଆ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି କମ୍ପାନି ରାଜ୍ୟ ସରକାରଙ୍କଠାରୁ ମଞ୍ଜୁରି ପତ୍ର ହାସଲ କରିଛି। ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ୩୬୦୦ କୋଟି ଟଙ୍କା ନିବେଶ କରିବ। ତିନିଟି ପର୍ଯ୍ୟାୟରେ ନିବେଶ ରାଶିକୁ ୧୫ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
ଏହି ପ୍ରକଳ୍ପରେ ସ୍ବତନ୍ତ୍ର ଲେପ ଦିଆ ଇସ୍ପାତ ଉତ୍ପାଦ ଉତ୍ପାଦନ କରାଯିବ। ସେଥିରେ କୋଲ୍ଡ ରୋଲିଂ ମିଲ୍ (ସିଆର୍ଏମ୍), କଣ୍ଟିନିଅସ୍ ଗାଲ୍ଭାନାଇଜିଂ ଲାଇନ୍ (ସିଜିଏଲ୍) ଓ କଲର୍ କୋଟିଂ ଲାଇନ୍ (ସିସିଏଲ୍) ରହିବ। ୨୦୨୭ ସୁଦ୍ଧା କାରଖାନାର କ୍ଷମତା ୯.୬ ନିୟୁତ ଲକ୍ଷ ଟନ୍ ହେବ। ପର୍ଯ୍ୟାୟକ୍ରମେ କମ୍ପାନି କାରଖାନାରେ ଫ୍ଲାଟ୍ ଉତ୍ପାଦ କ୍ଷମତାକୁ ୨୦୩୦ ସୁଦ୍ଧା ୩୦ ଲକ୍ଷ ଟନ୍କୁ ବଢ଼ାଇବ। ଏଥି ସହିତ ୨ ଲକ୍ଷ ଟନ୍ କ୍ଷମତାର ଏକ ଇସ୍ପାତ ପାଇପ୍ ଉତ୍ପାଦନ କାରଖାନା ସ୍ଥାପନ କରିବ। କିଛି ଦିନ ପୂର୍ବେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ପ୍ରକଳ୍ପକୁ ଅନୁମୋଦନ ଦେଇଥିଲେ।