କୋଭିଡ୍-୧୯ ଇ-ମେଲ୍‌ ପ୍ରତି ସାବଧାନ: ଚୋରାଇନେବ ଆର୍ଥିକ, ବ୍ୟକ୍ତିଗତ ତଥ୍ୟ; ସତର୍କ କରାଇଲେ ସରକାର

ନୂଆଦିଲ୍ଲୀ: କୋଭିଡ୍‌-୧୯କୁ ବ୍ୟବହାର କରି ବଡ଼ଧରଣର ସାଇବର୍ ଆକ୍ରମଣ ଲାଗି ଯୋଜନା ଚାଲିଛି। କରୋନା ସଙ୍କଟର ମୁକାବିଲା ଲାଗି ସହାୟତା ଦେଉଥିବା ସରକାରୀ ଏଜେନ୍ସିଗୁଡ଼ିକର ନାମକୁ ବ୍ୟବହାର କରି ଏହି ଆକ୍ରମଣ କରାଯିବ। ରବିବାର ଠାରୁ ଏଭଳି ଆକ୍ରମଣ ଆରମ୍ଭ ହୋଇଯିବ ବୋଲି ସରକାରୀ ଏଜେନ୍ସି ଇଣ୍ଡିଆନ୍ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍‌ପନ୍ସ ଟିମ୍ (ସିଇଆର୍‌ଟି-ଆଇଏନ୍‌) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। [email protected] ଭଳି ଇ-ମେଲ୍ ଆଇଡିକୁ ବ୍ୟବହାର କରି ସାଇବର୍‌ ଆକ୍ରମଣ କରାଯିବ। ଏହା ଜରିଆରେ ଏକ ଲିଙ୍କ୍‌ ଖୋଲିବାକୁ ଏକପ୍ରକାର ବାଧ୍ୟ କରାଯିବ। ଯେଉଁମା‌ନେ ସେହି ଲିଙ୍କ୍‌ ଖୋଲିବେ ମାଲ୍‌ଓୟାର୍‌ ଆପେ ଡାଉନ୍‌ଲୋଡ୍ ହୋଇଯିବ। ଥରେ ଏହି ପ୍ରକ୍ରିୟା ଶେଷ ହୋଇଗଲେ ସମ୍ପୂର୍ଣ୍ଣ ବ୍ୟବସ୍ଥା ଆକ୍ରମଣକାରୀଙ୍କ ହାତକୁ ଚାଲିଯିବ ଏବଂ ସେମାନେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରାଇନେବେ। ଆକ୍ରମଣକାରୀମା‌ନେ ସ୍ଥାନୀୟ ସରକାରୀ ଏଜେନ୍ସଗୁଡ଼ିକ ନାମରେ ଇ-ମେଲ୍‌ ଆଇଡି ସୃଷ୍ଟି କରି କୋଭିଡ୍-୧୯ ବାବଦ ସହାୟତା ଦେବାର ଲୋଭ ଦେଖାଇବେ। ଏହି ଇ-ମେଲ୍‌ଗୁଡ଼ିକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ଲୋକମାନଙ୍କୁ ଏକ ନକଲି ୱେବସାଇଟ୍‌ ଆଡ଼କୁ ଟାଣିନେବ ଯେଉଁଠାରେ ସିଷ୍ଟମ୍‌ରେ ମାଲ୍‌ଓୟାର ସହଜରେ ପହଞ୍ଚିପାରିବ ଓ ଅନେକ ବ୍ୟକ୍ତିଗତ ଓ ଆର୍ଥିକ ସୂଚନା ସହଜରେ ଚୋରାଇହେବ ବୋଲି ସିଇଆର୍‌ଟି-ଆଇଏନ୍ ପକ୍ଷରୁ କୁହାଯାଇଛି। ସାଇବର୍‌ ଆକ୍ରମଣକାରୀଙ୍କ ପାଖରେ ୨ ନିୟୁତରୁ ଅଧିକ ବ୍ୟକ୍ତି ଓ ନାଗରିକଙ୍କ ଇ-ମେଲ୍ ଠିକଣା ଥିବା ଜଣାପଡ଼ିଛି।

image source–cdc

ସେମାନେ ଇ-ମେଲ୍ ପଠାଇବା ବେଳେ ସବ୍‌ଜେକ୍ଟରେ (ବିଷୟ) ସମସ୍ତ ବାସିନ୍ଦାଙ୍କ ପାଇଁ ମାଗଣା କୋଭିଡ-୧୯ ପରୀକ୍ଷା ଭଳି‌ ଲୋଭନୀୟ ଓ ଆକର୍ଷଣୀୟ ଆହ୍ବାନ ଦେବେ। ଯେଉଁ ସହରର ବାସିନ୍ଦାଙ୍କୁ ଟାର୍ଗେଟ୍ କରାଯିବ ସବ୍‌ଜେକ୍ଟ ଲାଇନ୍‌ରେ ସେହି ସହରର ସମସ୍ତ ବାସିନ୍ଦାଙ୍କ ମାଗଣା କୋଭିଡ୍‌-୧୯ ପରୀକ୍ଷା କରାଯିବ ବୋଲି ଲେଖାଯିବ। ଫଳରେ ଇ-ମେଲ୍ ପାଇଥିବା ବ୍ୟକ୍ତିଙ୍କ ଉତ୍ସୁକତା ବଢ଼ିବ ଓ ସେ ଇ-ମେଲ୍‌କୁ ଖୋଲିବେ। ସେଥିରେ ଏକ ଲିଙ୍କ୍‌ ରହିଥିବ ଯାହାକୁ ଖୋଲିବା ଲାଗି ପରାମର୍ଶ ଦିଆଯାଇଥିବ। ଯେଉଁମାନେ ଲିଙ୍କ୍‌ରେ କ୍ଲିକ୍‌ କରିବେ ତୁରନ୍ତ ଏକ ଜାଲ୍ ୱେବସାଇଟ୍ ଖୋଲିବ ଓ ମାଲ୍‌ଓୟାର ଡାଉନ୍‌ଲୋଡ୍ ହୋଇଯିବ। ଏହି ସାଇବର୍ ଆକ୍ରମଣରୁ ବର୍ତିବା ଲାଗି ନିଜର ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଏନ୍‌କ୍ରିପ୍‌ଟ କରି ରଖିବାକୁ ସିଇଆର୍‌ଟି-ଆଇଏନ୍ ପକ୍ଷରୁ କୁହାଯାଇଛି। କମ୍ପ୍ୟୁଟରରେ ଆଣ୍ଟି-ଭାଇରସ୍‌, ଫାୟାରୱାଲ୍‌, ଫିଲ୍‌ଟରିଂ ସେବା ଆଦି ବ୍ୟବହାର କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର