ନୂଆଦିଲ୍ଲୀ: ଭାରତର ଆର୍ଥିକ ବିକାଶ ଏହାର ଆଭ୍ୟନ୍ତରୀଣ ଶକ୍ତିର ବ୍ୟବହାରରେ ନିହିତ ରହିଛି। ଏଥିସହିତ ବିଶ୍ବ ଯୋଗାଣ ଶୃଙ୍ଖଳରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ହେଲେ ଭାରତକୁ ଏହାର ସମସ୍ତଙ୍କୁ ସମ୍ମାନ ଏବଂ ସହନଶୀଳତା ଭଳି ସଂସ୍କୃତିକୁ ଧରି ରଖିବାକୁ ହେବ। ଆଇଡିଆଜ୍ ଫର୍ ଇଣ୍ଡିଆ ଶୀର୍ଷକ ସମ୍ମଳନୀରେ ଉଦବୋଧନ ଦେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍ ଶୁକ୍ରବାର ଏହା କହିଛନ୍ତି। ସେବା ଶିଳ୍ପ (ସର୍ଭିସ ଇଣ୍ଡଷ୍ଟ୍ରିଜ୍) କ୍ଷେତ୍ରରେ ନେତୃତ୍ବ ନେବାର ସାମର୍ଥ୍ୟ ଭାରତର ରହିଛି। ଏହି ପରିପ୍ରେକ୍ଷୀରେ ବିଶ୍ବର ବିଶ୍ବାସଭାଜନ ହେବା ପାଇଁ ଦେଶର ଉଦାର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରକ୍ଷା କରିବା ହେଉଛି ଏକ ଅର୍ଥନୈତିକ ଆବଶ୍ୟକତା ବୋଲି ରାଜନ କହିଛନ୍ତି। ଭାରତର ସ୍ବାଧୀନ ନ୍ୟାୟପାଳିକା, ଉଦାର ଗଣତନ୍ତ୍ର ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ଉପକାରିତା ବୋଲି ସେ ମତ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପରିଚାଳିତ ସରକାର ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ କରୁଥିବା ବିରୋଧୀମାନେ ସମାଲୋଚନା କରୁଛନ୍ତି। ଗୁଜରାଟ ଦଙ୍ଗା ଉପରେ ଆଧାରିତ ଡକୁମେଣ୍ଟାରିକୁ ନିଷିଦ୍ଧ କରିବା ସହିତ ବିବିସିର କାର୍ଯ୍ୟାଳୟରେ ଆୟକର ଚଢ଼ଉକୁ ବିରୋଧୀ ସହଜରେ ଗ୍ରହଣ କରିନାହାନ୍ତି। ରାଜନ ମଧ୍ୟ ଅତୀତରେ କେତେକ ପ୍ରସଙ୍ଗରେ ଭାରତକୁ ସତର୍କ କରାଇ ଦେଇଛନ୍ତି। ଭାରତକୁ ବାହାରେ ଏକ ସଂଖ୍ୟାଲଘୁ ବିରୋଧୀ ଦେଶଭାବେ ଗ୍ରହଣ କରାଯାଉଛି।
ଏହାଦ୍ବାରା ବିଶ୍ବ ବଜାରରେ ଭାରତୀୟ ଉତ୍ପାଦ ଏହାର ବଜାର ହରାଇବା ସହିତ ଭାରତକୁ ବିଭିନ୍ନ ଦେଶର ସରକାର ବିଶ୍ବସନୀୟ ସହଯୋଗୀ ଭାବେ ଗ୍ରହଣ କରିବେ ନାହିଁ। ତେଣୁ ଆମ ଦେଶର ଗଣତନ୍ତ୍ର ଏବଂ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି ରାଜନ ମତ ଦେଇଛନ୍ତି। ଚୀନ ଶସ୍ତାରେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରି ସାରା ବିଶ୍ବକୁ ଯୋଗାଇ ଦେଉଛି। ଭାରତକୁ ଚୀନର ଏକ ବିକଳ୍ପ ଭାବେ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାର ଉଦ୍ୟମ ଚଳାଇଛନ୍ତି। ଏ ପରିପ୍ରେକ୍ଷୀରେ ରାଜନ କହିଛନ୍ତି, ବିନିର୍ମାଣର ସେବା ବିଭାଗ ଉପରେ ଭାରତ ପ୍ରଧାନ୍ୟ ଦେବା ଆବଶ୍ୟକ।