ଆଇସିଏଆଇର ୩ ଦିନିଆ ସେମିନାର ଆରମ୍ଭ, ୫୦୦ ପ୍ରତିନିଧିଙ୍କ ଅଂଶଗ୍ରହଣ

ଭୁବନେଶ୍ବର : ଦି ଇନଷ୍ଟିଚ୍ୟୁଟ୍ ଅଫ୍‌ କଷ୍ଟ ଆକାଉଣ୍ଟାଣ୍ଟ୍‌ ଅଫ୍‌ ଇଣ୍ଡିଆ (ଆଇସିଏଆଇ)-କମିଟି ଅନ୍ କଷ୍ଟ ମ୍ୟାନେଜମେଣ୍ଟ୍‌ ଅଫ୍ ପବ୍ଲିକ୍ ଆଣ୍ଡ୍‌ ଗଭର୍ଣ୍ଣମେଣ୍ଟ୍‌ ସର୍ଭିସେସ୍ ଓ ଭୁବନେଶ୍ବର ଚାପ୍ଟରର ମିଳିତ ଆନୁକୂଲ୍ୟରେ ଆଜିଠାରୁ ଆଇଏମ୍‌ଏମ୍‌ଟି ଅଡିଟୋରିୟମ୍‌ରେ ‘କଷ୍ଟ ଏକ୍ସିଲେନ୍ସି-ଏ ‌ସଷ୍ଟେନେବଲ୍ ବିଜନେସ୍ ଷ୍ଟ୍ରାଟେଜି’ ବିଷୟବସ୍ତୁ ସମ୍ପର୍କିତ ତିନି ଦିନିଆ ସେମିନାର ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଉଦଘାଟନ କରିଛନ୍ତି। ଶିଳ୍ପ ଦୃଷ୍ଟିକୋଣରୁ ଏଭଳି ବ୍ୟାପକ ଧରଣର ସେମିନାର ଆୟୋଜନ କରିଥିବାରୁ ସେ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ସେ ଆଇସିଏଆଇର ସ୍ମରଣିକା ‘ଦି ଏକ୍ସଟ୍ରାମାଇଲ୍‌’କୁ ‌ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର, ଆଇସିଏଆଇର ସଭାପତି ପି ରାଜୁ ଆୟାର, ଆଇସିଏଆଇର ପରିଷଦ ସଦସ୍ୟ ଏଚ୍‌ ପଦ୍ମନାଭନ, ନିରଞ୍ଜନ ମିଶ୍ର, ଆଇସିଏଆଇ-ଇଆଇଆର୍‌ସିର ଅଧ୍ୟକ୍ଷ ଏନ୍ କେ ସିଂହ ଓ ଆଇସିଏଆଇ ଭୁବନେଶ୍ବର ଚାପ୍ଟରର ଅଧ୍ୟକ୍ଷ ହିମୋଜ ମିଶ୍ର ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଛନ୍ତି।
ଆଜି ବିଦ୍ୟୁତ ଉତ୍ପାଦନରେ ଖର୍ଚ୍ଚ ଉତ୍କର୍ଷ ସମ୍ପର୍କିତ ଏକ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇସିଏଆଇର ପରିଷଦ ସଦସ୍ୟ ଡି ଯୋଶୀ, ଆଇସିଏଆଇର ପୂର୍ବତନ ସଭାପତି ଡି ସି ବଜାଜ, ଓ ଆଇସିଏଆଇ ଭୁବନେଶ୍ବରର ପିଡି କମିଟି ଅଧ୍ୟକ୍ଷ ଶକ୍ତିଧର ସିଂହ ଅଂଶଗ୍ରହଣ କରି ମତ ଉପସ୍ଥାପନ କରିଛନ୍ତି। ଏହି ସେମିନାରରେ ସାରା ଭାରତରୁ ୫୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ସେମିନାରରେ ପାଞ୍ଚଟି ବି‌ଷୟ ଉପରେ ବୈଷୟିକ ଅଧିବେଶନ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର