ନୂଆଦିଲ୍ଳୀ: କିଛି ଲୋକ ସିନେମା ଦେଖିବା ବେଳେ କିମ୍ବା କ୍ରିକେଟ୍‌ ମ୍ୟାଚ୍‌ ଦେଖିବା ବେଳେ ଖୁବ୍‌ ଉପଭୋଗ କରିଥାନ୍ତି। ସେହି ସମୟର ଦୃଶ୍ୟକୁ ଉପଭୋଗ କରିବାକୁ ସେମାନେ ପପକର୍ଣ୍ଣ, ଚିପ୍ସରୁ ନେଇ ବିଭିନ୍ନ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ସାଥୀମାନଙ୍କ ସହ କିମ୍ବା ପରିବାର ସଦସ୍ୟଙ୍କ ସହ ସାଥୀ ହୋଇ ସିନେମା କିମ୍ବା ମ୍ୟାଚ୍‌ ଦେଖିବା ବେଳେ ଅତି ବେଶିରେ ୨-୪ଟି ଚିପ୍ସ କିମ୍ବା ପପକର୍ଣ୍ଣ ମଗାଇଥିବା ପରି ଗ୍ରାହକଙ୍କୁ ଆପଣ ଦେଖିଥିବେ।

Advertisment

ହେଲେ ଆମେ ଆଜି ଜଣେ ଏପରି ଗ୍ରାହକଙ୍କ ବିଷୟରେ କହିବୁ, ଯିଏକି ମ୍ୟାଚକୁ ଉପଭୋଗ କରିବାକୁ ସ୍ବିଗିରୁ ଖୁବ୍‌ ଅଧିକ ପରିମାଣର ବିରିଆନି ବରାଦ କରିଥିଲେ। ମହିଳା ଜଣକ ମ୍ୟାଚ୍‌ ଦେଖିବା ବେଳେ ସେହି ବିରିଆନି ବରାଦ କରିଥିଲେ କି ନାହିଁ ତାହା ଜଣାପଡ଼ିନାହିଁ, ମାତ୍ର ସେହି ସମୟ‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲୁଥିବାରୁ ସ୍ବିଗି ଏପରି ଅନୁମାନ ଲଗାଇଛି। ତେବେ ମହିଳା ଜଣକ ଗୋଟାଏ,  ଦୁଇଟା କି ତିନିଟା ପ୍ଲେଟ ନୁହେଁ, ବରଂ ଏକାଥରରେ ୬୨ ପ୍ଲେଟ୍‌ ବିରିଆନି ମଗାଇଥିଲେ।

ଯାହାଙ୍କ ବରାଦ ଗ୍ରହଣ କରିବା ପରେ ସ୍ବିଗି ଏହାକୁ ଟ୍ବିଟ୍‌ କରିଛି। ସ୍ବିଗି ତା’ର ଟ୍ବିଟ୍‌ରେ ଲେଖିଛି ‘ବେଙ୍ଗାଲୁରୁର ଜଣେ ମହିଳା ଏକାଥରକେ ୬୨ ୟୁନିଟ୍‌ର ବିରିଆନି ବରାଦ କରିଛନ୍ତି। କିଏ ଆପଣ? କେଉଁଠାରେ ରହୁଛନ୍ତି? ଆପଣ ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ବିରିଆନି ପାର୍ଟି ଦେଉଛନ୍ତି କି? ମୁଁ ଆସିପାରିବି କି?’

ମହିଳାଙ୍କର ଏକାଥରକେ ଏତେ ବରାଦ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ଫୁଡ୍‌ ଡେଲିଭିଂ ସଂସ୍ଥା ସ୍ବିଗି। ଏହି ଟ୍ବିଟ୍‌ ଉପରେ ଅନେକ ପ୍ରତିକ୍ରିୟା ମିଳିଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମୁଁ ସେହି ଗ୍ରାହକ’।