ବନ୍ଦର କ୍ଷମତାରେ ସ୍ଥିତି ଦୟନୀୟ: ଶ୍ରେଷ୍ଠ ୨୦ ଭିତରେ ଭାରତର ଗୋଟିଏ ନାହିଁ

ଆସୋଚାମ୍‌ ରିପୋର୍ଟ: q ସାଂଘାଇ ବନ୍ଦରରେ ହଜିଯିବ ଭାରତର ୧୨ଟି ବନ୍ଦର

o ବିଶ୍ୱର ୨୦ ବଡ଼ ବନ୍ଦର ଭିତରୁ ଚୀନ୍‌ରେ ୧୪ଟି
o ନୂଆ ବନ୍ଦର ନୁହେଁ, ଯାହା ଅଛି ତାକୁ ବଡ଼ କର
ଭୁବନେଶ୍ୱର: ବନ୍ଦର କ୍ଷମତା ଦୃଷ୍ଟିରୁ ବିଶ୍ୱର ଅନେକ ରାଷ୍ଟ୍ରଠାରୁ ଭାରତ ବହୁତ ପଛରେ ରହିଛି। ଦୁନିଆର ଶ୍ରେଷ୍ଠ ୨୦ଟି ବନ୍ଦର ଭିତରେ ଭାରତର ଗୋଟିଏ ବି ବନ୍ଦରକୁ ସ୍ଥାନ ମିଳିନାହିଁ। ଆଜି ଆସୋଚାମ୍‌ ପକ୍ଷରୁ ପ୍ରକାଶ କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି।
ବନ୍ଦର କ୍ଷମତା ଦୃଷ୍ଟିରୁ ପଡ଼ୋଶୀ ଦେଶ ଚୀନ୍‌ ଭାରତଠାରୁ ବହୁତ ଆଗରେ ରହିଛି। ଚୀନ୍‌ର ସାଂଘାଇ ବଡ଼ ବନ୍ଦର ଭିତରେ ଭାରତର ୧୨ଟି ପ୍ରମୁଖ ବନ୍ଦର ହଜିଯିବେ। ବିଶ୍ୱର ଶ୍ରେଷ୍ଠ ୨୦ଟି ବନ୍ଦର ଭିତରୁ କେବଳ ଚୀନ୍‌ର ୧୪ଟି ରହିଛି। ବିଶ୍ୱ ବନ୍ଦର ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିବାକୁ ହେଲେ ଭାରତକୁ ଏହାର ବନ୍ଦର ଭିତ୍ତିଭୂମିକୁ ଆହୁରି ମଜବୁତ କରିବାକୁ ପଡ଼ିବ ବୋଲି ଆସୋଚାମ୍‌ କହିଛି।
ଆସୋଚମ୍‌ର ମୁଖ୍ୟ ଉପଦେଷ୍ଟା ଅରବିନ୍ଦ କୁମାର ଆଜି ବନ୍ଦର ସମ୍ପର୍କିତ ରିପୋର୍ଟକୁ ଉନ୍ମୋଚନ କରି କହିଛନ୍ତି ଯେ, ଭାରତୀୟ ବନ୍ଦରରେ ବିଶେଷକରି ପେଟ୍ରୋଲ, ତେଲ, ଲୁବ୍ରିକାଣ୍ଟ, କୋଇଲା, ଲୁହା ପଥର ସହିତ ଅନ୍ୟାନ୍ୟ ସାମଗ୍ରୀର ପରିବହନ ହେଉଛି। ଦେଶର ୧୨ଟି ବନ୍ଦରର କ୍ଷମତା ୮.୫ ନିୟୁତ ଟିଇୟୁ ହୋଇଥିବା ବେଳେ କେବଳ ସାଂଘାଇ ବନ୍ଦରର କ୍ଷମତା ୩୬.୫ ନିୟୁତ ଟିଇୟୁ। ଚାଇନାରେ ଥିବା ବନ୍ଦର ଅପେକ୍ଷା ଭାରତର ବନ୍ଦର ଗୁଡ଼ିକ ଅପେକ୍ଷାକୃତ ଛୋଟ। ଏହି ଦୃଷ୍ଟିରୁ ଅନ୍ୟ ବନ୍ଦର ତୁଳନାରେ ଭାରତର ବନ୍ଦର ଗୁଡ଼ିକର କ୍ଷମତା କମ୍‌। ଚୀନରେ ଥିବା ୬ଟି ବନ୍ଦରରେ ୫୦୦ ନିୟୁତ ଟନ୍‌ ମାଲ ପରିବହନ ହେଉଥିବା ବେଳେ ଅନ୍ୟ ୮ଟି ବନ୍ଦରରେ ୧୦୦ ନିୟୁତ ଟନ୍‌ ପରିବହନ ହୋଇଥାଏ। ଅପରପକ୍ଷରେ ଭାରତରେ କେବଳ କାଣ୍ଡଲା ଓ ମୁନ୍ଦ୍ରା ବନ୍ଦରରେ ୧୦୦ ନିୟୁତ ଟନ୍‌ ପରିବହନ କ୍ଷମତା ରହିଛି।

୨୦୧୬-୧୭ରେ ଦେଶରେ ଥିବା ସମସ୍ତ ବନ୍ଦରରେ ବିଲିଅନ ଟନ୍‌ରୁ ଅଧିକ ମାଲ ପରିବହନ କରିଥିବା ବେଳେ ୨୦୨୫ ସୁଦ୍ଧା ଏହାର ୨.୫ ବିଲିଅନ ଟନ୍‌କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ତେଣୁ ନୂଆ ନୂଆ ବନ୍ଦର ନିର୍ମାଣ କରିବା ପରିବର୍ତେ ଯେଉଁ ବନ୍ଦର ରହିଛି ସେମାନଙ୍କ କ୍ଷମତା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।

ଏହାସହ ବନ୍ଦର ଗୁଡ଼ିକରେ ବ୍ୟବସାୟକୁ ସହଜ କରିବା ସହିତ ଅଟୋମେସନ୍‌ ଓ ବୈଷୟିକ ଜ୍ଞାନ କୌଶଳ ଉପରେ ଗୁରୁତ୍ୱ ଦେବାକୁ ଜରୁରୀ।
ଅପରପକ୍ଷରେ ଓଡ଼ିଶା ପରିପ୍ରେକ୍ଷୀରେ ଶ୍ରୀ କୁମାର କହିଲେ, ଓଡ଼ିଶାରେ ୪୮୦ କି.ମି ବ୍ୟାପ୍ତ ସମୁଦ୍ରକୂଳ ରହିଥିବା ବେଳେ ୧୪ଟି ଛୋଟ ବନ୍ଦର ରହିଛି। ଏଥିମଧ୍ୟରୁ କେବଳ ଧାମରା ଓ ଗୋପାଳପୁର କାର୍ଯ୍ୟକ୍ଷମ ହୋଇପାରିଛି। କେବଳ ପାରାଦୀପ ବନ୍ଦରରେ ୯୦ ନିୟୁତ ଟନ୍‌ ମାଲ ପରିବହନ ହୋଇଛି। ରାଜ୍ୟକୁ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ବନ୍ଦରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଯାହାଫଳରେ ମାଲ ପରିବହନ ଜନିତ ଖର୍ଚ କମ୍‌ ହେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଜି ଆଲୋଚନା କରାଯିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସୋଚମ୍‌ର ମହାସଚିବ ଡି.ଏସ୍‌ ରାଓ୍ଵତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର