ପିଏସି ସୂଚୀ: ସୁଶାସନରେ ଓଡ଼ିଶାର ସ୍ଥାନ ୨୪

ବେଙ୍ଗାଲୁରୁ: ସୁଶାସନ କ୍ଷେତ୍ରରେ ରାଜ୍ୟ ଗୁଡ଼ିକ ମଧ୍ୟରେ କେରଳ ଶୀର୍ଷ ସ୍ଥାନ ହାସଲ କରିଛି। ପବ୍ଲିକ୍‌ ଆଫେୟାର୍ସ କମିଟି (ପିଏସି) ନାମକ ଏକ ଗବେଷଣା ସଂସ୍ଥା ପକ୍ଷରୁ ୨୦୧୮ ମସିହା ପାଇଁ ପ୍ରକାଶିତ ପବ୍ଲିକ୍‌ ଆଫେୟାର୍ସ ଇଣ୍ଡେକ୍ସ(ପିଏଆଇ) ରିପୋର୍ଟରେ ଏହା କୁହାଯାଇଛି। କେରଳ ୦.୫୨୬ ପଏଣ୍ଟ ସ୍କୋର ସହିତ ଶୀର୍ଷ ସ୍ଥାନ ହାସଲ କରିଥିବାବେଳେ ଓଡ଼ିଶା ୨୪ତମ ସ୍ଥାନରେ ରହିଛି। ଓଡ଼ିଶା ୦.୪୦୧ ପଏଣ୍ଟ ସ୍କୋର କରିଛି। ତେବେ ଆଶ୍ୱାସନାର ବିଷୟ ହେଲା ଓଡ଼ିଶା ୨୦୧୭ରେ ଏହି ତାଲିକାର ସୂଚୀରେ ୨୭ତମ ସ୍ଥାନରେ ଥିବାବେଳେ ଚଳିତବର୍ଷ ୩ଟି ସ୍ଥାନ ଉପରକୁ ଉଠିଛି। ସୁଶାସନ ପ୍ରଦାନରେ କେରଳ ପଛକୁ ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ଯଥାକ୍ରମେ ତାମିଲନାଡ଼ୁ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଗୁଜରାଟ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ତାଲିକାର ସବାତଳେ ବିହାର ରହିଛି।
ତେବେ ସଂସ୍ଥା ପକ୍ଷରୁ ବୃହତ୍‌ ବର୍ଗର ରାଜ୍ୟ ଗୁଡ଼ିକୁ ନେଇ ପ୍ରସ୍ତୁତ ତାଲିକାରେ ଓଡ଼ିଶା ଚଳିତବର୍ଷ ୧୪ତମ ସ୍ଥାନରେ ରହିଛି। ଗତବର୍ଷ ଓଡ଼ିଶା ଏହି ବୃହତ୍‌ ବର୍ଗର ରାଜ୍ୟ ଗୁଡ଼ିକ ମଧ୍ୟରେ ୧୬ତମ ସ୍ଥାନରେ ରହିଥିଲା। ୧୦ଟି ମୁଖ୍ୟ ବିଷୟ, ୩୦ଟି ବିଷୟ ଏବଂ ୧୦୦ଟି ସୂଚକକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ୨ କୋଟିରୁ କମ୍‌ ସଂଖ୍ୟକ ଲୋକସଂଖ୍ୟାକୁ ନେଇ ପ୍ରସ୍ତୁତ ଛୋଟ ରାଜ୍ୟ ଗୁଡ଼ିକର ତାଲିକା ମଧ୍ୟରେ ହିମାଚଳ ପ୍ରଦେଶ ଶୀର୍ଷରେ ରହିଛି। ଏହା ପଛକୁ ଗୋଆ, ମିଜୋରାମ, ସିକିମ ଏବଂ ତ୍ରିପୁରା ଯଥାକ୍ରମେ ରହିଛି।
ବେଙ୍ଗାଲୁରୁଭିତ୍ତିକ ଏହି ସେଣ୍ଟର ପକ୍ଷରୁ ଗତ ଶନିବାର ଚଳିତବର୍ଷର ରିପୋର୍ଟ ପ୍ରକାଶ କରାଯାଇଛି। ୨୦୧୬ରୁ କ୍ରମାଗତ ଭାବେ ୩ ବର୍ଷ ହେଲା ବୃହତ୍‌ ବର୍ଗର ରାଜ୍ୟ ଗୁଡ଼ିକ ମଧ୍ୟରେ ସୁଶାସନରେ କେରଳ ଶୀର୍ଷ ସ୍ଥାନ ହାସଲ କରି ଆସୁଛି। ୧୯୯୪ ମସିହାରେ ଭାରତର ଖ୍ୟାତନାମା ଅର୍ଥନୀତିଜ୍ଞ ସ୍ୱର୍ଗତ ସାମୁଏଲ୍‌ ପଲ୍‌ଙ୍କ ଦ୍ୱାରା ଏହି ସଂସ୍ଥା ସ୍ଥାପନ ହୋଇଥିଲା।
୧୦ଟି ପ୍ରମୁଖ ବିଷୟବସ୍ତୁ ମଧ୍ୟରେ ଅତ୍ୟାବଶ୍ୟକ ଭିତ୍ତିଭୂମି, ମାନବ ବିକାଶକୁ ସହାୟତା, ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ ଏବଂ ଆଇନ ଶୃଙ୍ଖଳା ଆଦି ରହିଛି। ଲୋକସଂଖ୍ୟାକୁ ବିଚାରକୁ ନେଇ ରାଜ୍ୟ ଗୁଡ଼ିକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି। ୨ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟକୁ ବୃହତ୍‌ ବର୍ଗରେ ରଖାଯାଇଥିବା ବେଳେ ୨ କୋଟିରୁ କମ୍‌ ଜନସଂଖ୍ୟା ବିଶିଷ୍ଟ ରାଜ୍ୟକୁ କ୍ଷୁଦ୍ର ରାଜ୍ୟ ବର୍ଗରେ ରଖାଯାଇଛି।
ଚଳିତବର୍ଷର ରିପୋର୍ଟ ଉନ୍ମୋଚନ ଉତ୍ସବରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ପୂର୍ବତନ ଅଧ୍ୟକ୍ଷ କେ. କସ୍ତୁରିରଙ୍ଗନ୍‌, ପିଏସିର ବରିଷ୍ଠ ଗବେଷକ ସି କେ ମାଥ୍ୟୁ ଏବଂ ଜାତୀୟ ଶିଶୁ ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷ ଶାନ୍ଥା ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର