ଭୁବନେଶ୍ବର: ଆର୍ଥିକ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ରାଜ୍ୟଗୁଡ଼ିକର ଏକ ତାଲିକା ଜାରି ହୋଇଛି। ଶ୍ରେଷ୍ଠ ଚାରିଟି ରାଜ୍ୟ ଭିତରେ ଓଡ଼ିଶା ରହିଛି। ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ସହିତ ଓଡ଼ିଶା ‘ଆଉଟ୍‌ପରଫର୍ମର’ (ଶ୍ରେଷ୍ଠ ପ୍ରଦର୍ଶନକାରୀ) ବର୍ଗରେ ରହିଛି। ୧୫ଟି ରାଜ୍ୟକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟକୁ କେୟାରଏଜ୍ ‌ରେଟିଂସ୍‌ ପକ୍ଷରୁ ଜାରି କରାଯାଇଛି।

Advertisment

ରାଜ୍ୟଗୁଡ଼ିକୁ ତିନିଟି ବର୍ଗ ଯଥା ଆଉଟ୍‌ପର୍‌ଫର୍ମର, ହାଇ ପର୍‌ଫର୍ମର୍‌ (ଉଚ୍ଚ ପ୍ରଦର୍ଶନକାରୀ) ଓ ମଡରେଟ୍‌ ପର୍‌ଫର୍ମର୍‌ (ମଧ୍ୟମ ପ୍ରଦର୍ଶନକାରୀ) ବର୍ଗରେ ରଖାଯାଇଛି। ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟଗୁଡ଼ିକ ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ରାଜସ୍ବରେ ଏହି ରାଜ୍ୟଗୁଡ଼ିକ ଆତ୍ମନିର୍ଭରଶୀଳ। ସେମାନଙ୍କ ରାଜସ୍ବ ଆୟର ୬୦-୮୦ ପ୍ରତିଶତ ହେଉଛି ରାଜ୍ୟ ନିଜସ୍ବ ଟିକସ। ଏହି ରାଜ୍ୟଗୁଡ଼ିକର ରାଜସ୍ବ ନିଅଣ୍ଟ ନିମ୍ନ ସ୍ତରରେ ରହିଥିବାରୁ, ବିକାଶମୂଳକ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବା ଲାଗି ସେମାନେ ଭଲ ସ୍ଥିତିରେ ରହିଛନ୍ତି। ଋଣ ସ୍ତର ମଧ୍ୟ କମ୍ ରହିଛି। ଉପରୋକ୍ତ ରାଜ୍ୟଗୁଡ଼ିକର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)କୁ ଋଣ ଅନୁପାତ ୧୬-୨୭ ପ୍ରତିଶତ ମଧ୍ୟରେ ରହିଛି। ଯଦିଓ ଟିକସ ରାଜସ୍ବ ବଢ଼ୁଛି, କିନ୍ତୁ ଏହି ରାଜ୍ୟଗୁଡ଼ିକୁ ପୁଞ୍ଜି ବ୍ୟୟ ଲକ୍ଷ୍ୟ ହାସଲ କରିବା ପାଇଁ ଭିତ୍ତିଭୂମି ପ୍ରକଳ୍ପରେ ଖର୍ଚ୍ଚ ବଢ଼ାଇବାର ଆବଶ୍ୟକତା ଥିବା ରିପୋର୍ଟରେ କୁହାଯାଇଛି। 

ଦେଶର ପ୍ରମୁଖ ୧୫ଟି ରାଜ୍ୟ ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ଏହି ରାଜ୍ୟଗୁଡ଼ିକ ୭.୫ ଲକ୍ଷ କୋଟି ଟଙ୍କା ବ୍ୟୟ କରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ସେଥିରୁ ସେମାନେ ମାତ୍ର ୪୮ ପ୍ରତିଶତ ବ୍ୟୟ କରିଛନ୍ତି। ତେଣୁ ମାର୍ଚ୍ଚ ମାସରେ ସେମାନଙ୍କୁ ଆହୁରି ଅଧାରୁ ଅଧିକ ବ୍ୟୟ କରିବାର ଚାପ ରହିଛି। ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ସେମାନେ ୩.୫୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିଥିଲେ ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୪ ପ୍ରତିଶତ କମ୍। ଗତବର୍ଷ ନିର୍ବାଚନ ହେବାରୁ ଏଭଳି ସ୍ଥିତି ଦେଖାଦେଇଥିବା ଅନୁମାନ କରାଯାଉଛି।