ନୂଆଦିଲ୍ଲୀ: ବେଟିଂ ଓ ଜୁଆ ଭଳି ବେଆଇନ କାର୍ଯ୍ୟକଳାପର ପ୍ରସାର କରୁଥିବା ବିଜ୍ଞାପନକୁ ନିଷିଦ୍ଧ କରାଯାଇଛି। ଗେମିଂ ନାଁରେ ବେଟିଂ ଓ ଜୁଆର ପ୍ରସାର କରୁଥିବା ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ ଏକ ଉପଦେଶାବଳି ଜାରି କରି ଜଣାଇଛନ୍ତି। ଏଭଳି ବେଆଇନ କାର୍ଯ୍ୟକଳାପର ପ୍ରସାର ନକରିବାକୁ ସେଲିବ୍ରିଟି ଓ ଇନ୍ଫ୍ଲୁଏନ୍ସରମାନଙ୍କୁ ମଧ୍ୟ ସତର୍କ କରାଯାଇଛି। ଏଭଳି କାର୍ଯ୍ୟକଳାପ ପାଇଁ କମ୍ପାନି ସମେତ ସେମାନେ ମଧ୍ୟ ସମାନ ଭାବେ ଦାୟୀ ରହିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ଗେମିଂ ନାଁରେ ବେଟିଂ ଓ ଜୁଆ ଖେଳର ଯେଉଁ ପ୍ରଚାର ହେଉଥିଲା ତାହା ଦେଶର ଯୁବପିଢ଼ିଙ୍କ ଉପରେ ଖରାପ ପ୍ରଭାବ ପକାଉଛି। ତେଣୁ ଏଭଳି କାର୍ଯ୍ୟକଳାପର ପ୍ରସାର କରୁଥିବା ବିଜ୍ଞାପନଠାରୁ ଦୂରେଇ ରହିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମ ଜଗତକୁ ପରାମର୍ଶ ଦିଆଯାଇଥିଲା। କେବଳ ବେଟିଂ ଓ ଜୁଆ ନୁହେଁ, ଆଇନ ଅନୁସାରେ ଯାହା କିଛି ବେଆଇନ ତାହାର ବିଜ୍ଞାପନ ଜରିଆରେ ପ୍ରଚାର କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉପଭୋକ୍ତା ସୁରକ୍ଷା ନିୟମ ୨୦୧୯ରେ ଥିବା ଦଣ୍ଡବିଧାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ମାତା, ବିଜ୍ଞାପନଦାତା, ପ୍ରକାଶକ, ମଧ୍ୟସ୍ଥି, ସାମାଜିକ ଗଣମାଧ୍ୟମ, ପ୍ରଚାରକ ଓ ଅଂଶୀଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏହି ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ଅଂଶୀଦାରଙ୍କୁ ଆହ୍ବାନ ଦିଆଯାଇଛି।