ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ପାନୀୟ ଉତ୍ପାଦନକୁ ନେଇ ଦୁଇଟି ବଡ଼ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷ ମଞ୍ଜୁରି ପ୍ରଦାନ କରିଛନ୍ତି। ଭୁବନେଶ୍ବରୀ ଫୁଡ୍ସ ଆଣ୍ଡ୍ ବେଭରେଜେସ୍ ୮୦୦ କୋଟି ଟଙ୍କା ଓ ଆବାନ୍ ବେଭରେଜେସ୍ ୬୨୨.୬୧ କୋଟି ଟଙ୍କା ନିବେଶରେ ଦୁଇଟି ପାନୀୟ କାରଖାନା ସ୍ଥାପନ କରିବେ। ଖୋର୍ଦ୍ଧା ବ୍ୟତୀତ ବରଗଡ଼ରେ ମଧ୍ୟ ଏକ ପାନୀୟ କାରଖାନା ସ୍ଥାପନ ହେବାକୁ ଯାଉଛି। ଜିଓଫାଷ୍ଟ କଞ୍ଜ୍ୟୁମର ପ୍ରଡକ୍ଟସ୍ ପକ୍ଷରୁ ୬୦ କୋଟି ଟଙ୍କା ନିବେଶରେ ତାହା ସ୍ଥାପନ କରାଯିବ। କଟକରେ ଆଭିରା ଡିଷ୍ଟିଲାରି ଏହାର କାରଖାନାକୁ ୫୯.୪୩ କୋଟି ଟଙ୍କା ନିବେଶରେ ସମ୍ପ୍ରସାରଣ କରିବ।
ଶୁକ୍ରବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ୩୩୫୩ କୋଟି ଟଙ୍କାର ୧୫ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ସେଗୁଡ଼ିକ କାର୍ଯ୍ୟକାରୀ ହେଲେ ୪୬୩୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପଗୁଡ଼ିକ ପୁରୀ, କଟକ, ଖୋର୍ଦ୍ଧା, ଝାରସୁଗୁଡ଼ା ଓ କୋରାପୁଟ ଜିଲ୍ଲାରେ ସ୍ଥାପନ କରାଯିବ। ଲାଇଫ୍ ଗ୍ରୁପ୍ ଅଫ୍ ହୋଟେଲ୍ସ ପକ୍ଷରୁ କୋରାପୁଟରେ ୫୪ କୋଟି ଟଙ୍କା ନିବେଶରେ ଏକ ୪-ତାରକା ହୋଟେଲ୍ ନିର୍ମାଣ କରାଯିବ। ଭୁବନେଶ୍ବରରେ ଥିବା ୱେଲ୍କମ୍ ହୋଟେଲ୍ରେ ୧୧୯.୧୪ କୋଟି ଟଙ୍କା ନିବେଶ କରି ଆଇଟିସି ଲିମିଟେଡ୍ ତାହାର ସମ୍ପ୍ରସାରଣ କରିବ। ଅନ୍ୟ ପକ୍ଷରେ ଏସ୍ଜେ ଜେଆର୍ଜି ଭେଞ୍ଚର୍ସ ପୁରୀରେ ୧୦୦ କୋଟି ଟଙ୍କା ଖଟାଇ ଏକ ହୋଟେଲ୍ ନିର୍ମାଣ କରିବ।
କୋରାପୁଟରେ ୪-ତାରକା ହୋଟେଲ୍
ବିକେ ଷ୍ଟିଲ୍, ଅଲ୍ଟ୍ରାଟେକ୍ର ସମ୍ପ୍ରସାରଣ
ବୟନ ବର୍ଜ୍ୟରୁ ତିଆରି ହେବ ସୂତା
୩୩୫୩ କୋଟିର ୧୫ ପ୍ରକଳ୍ପ ମଞ୍ଜୁର
କଟକର ବିକେ ଷ୍ଟିଲ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ୭୫୦ କୋଟି ଟଙ୍କା ନିବେଶରେ ଏହାର କାରଖାନାର ଉତ୍ପାଦନ କ୍ଷମତାକୁ ବଢ଼ାଇବ। ସେହିପରି ଅଲ୍ଟ୍ରାଟେକ୍ ସିମେଣ୍ଟ ଏହାର କଟକ କାରଖାନାରେ ୩୭୨ କୋଟି ଟଙ୍କା ନିବେଶ କରି ତାହାର କ୍ଷମତା ସମ୍ପ୍ରସାରଣ କରିବ। ରିଲାଏନ୍ସ ବାୟୋ ଏନର୍ଜି ପୁରୀରେ ୧୨୧.୨୧ କୋଟି ଟଙ୍କା ନିବେଶରେ ଏକ କମ୍ପ୍ରେସଡ୍ ବାୟୋ ଗ୍ୟାସ୍ କାରଖାନା ସ୍ଥାପନ କରିବ। ନେକ୍ସଥର୍ମାଲ୍ ଏସିଆ ଖୋର୍ଦ୍ଧାରେ ୫୫.୮୧ କୋଟି ଟଙ୍କା ନିବେଶରେ ଏକ କଏଲ୍ ହିଟର୍ ଉତ୍ପାଦନ କାରଖାନା ଓ ଝାରସୁଗୁଡ଼ାରେ ଏଚ୍ଏମ୍ ପାୱାର୍ ଆଣ୍ଡ୍ କେବୁଲ୍ସ ୫୫.୭୨ କୋଟି ଟଙ୍କା ନିବେଶରେ ଏକ ଆଲୁମିନିୟମ୍ କଣ୍ଡକ୍ଟର୍ କାରଖାନା ସ୍ଥାପନ କରିବ। ଶିବମ୍ କନଦେବ ଖୋର୍ଦ୍ଧାରେ ୬୨ କୋଟି ଟଙ୍କା ନିବେଶରେ ଏକ ବଡି ବିଲ୍ଡିଂ ଓ ଆନୁଷଙ୍ଗିକ କାରଖାନା ବସାଇବ। ଓଡ଼ିଶା ଟେକ୍ସଟାଇଲ୍ ମାନୁଫାକ୍ଚରିଂ ପକ୍ଷରୁ ଖୋର୍ଦ୍ଧାରେ ୫୧ କୋଟି ଟଙ୍କା ବିନିଯୋଗରେ ବୟନ ବର୍ଜ୍ୟରୁ ରିସାଇକଲ୍ଡ ସୂତା ତିଆରି କାରଖାନା ନିର୍ମାଣ କରାଯିବ।