ନୂଆଦିଲ୍ଲୀ: ବିଶ୍ବର ତୃତୀୟ ବଡ଼ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ୍ ତାଙ୍କ ବାଗ୍ଦତ୍ତା ଲୌରେନ ସାଞ୍ଚେଜ୍ଙ୍କ ପାଇଁ ୬୮ ନିୟୁତ ଡଲାର ମୂଲ୍ୟର ଏକ ଘର କିଣିଛନ୍ତି। ଫ୍ଲୋରିଡ଼ାର ବିଲିୟନେୟାର ବଙ୍କର ଦ୍ବୀପରେ ଏହି ଘରଟି ରହିଛି ବୋଲି ଏକ ରିପୋର୍ଟରୁ ଜଣାଯାଇଛି। ଗତ ଜୁନରେ ସେ କିଣିଥିବା ନୂଆ ଘରେ ୩ଟି ବେଡରୁମ୍ ରହିଛି। ବେଜୋସ ତାଙ୍କ ବାଗଦତ୍ତାଙ୍କୁ କିଛି ମାସ ତଳେ ୨.୫ ନିୟୁତ ଡଲାର ମୂଲ୍ୟର ଏକ ହୀରା ମୁଦି ଦେଇ ବିବାହ ପ୍ରସ୍ତାବ ଦେଇଥିଲେ। ତାହା ପରେ ସେ ଏହି ଘର କିଣିଛନ୍ତି।
ବେଜୋସଙ୍କର ଏକ ୫୦୦ ନିୟୁତ ଡଲାର ମୂଲ୍ୟର ୟାଟ୍ ରହିଛି। ଏଥିରେ ହେଲିକପ୍ଟର ପ୍ୟାଡ ସହିତ ସ୍ବିମିଂ ପୁଲ୍ ଆଦି ରହିଛି। ଉକ୍ତ ୟାଟରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା। ବେଜୋସ ଯେଉଁ ଦ୍ବୀପରେ ଘର କିଣିଛନ୍ତି ତାହାର ନିଜସ୍ବ ପୌରସଂସ୍ଥା, ମେୟର, ପୁଲିସ ଫୋର୍ସ ଆଦି ରହିଛନ୍ତି। ଟମ ବ୍ରାଡି, ଇଭାଙ୍କା ଟ୍ରମ୍ପ, ଜାରେଡ୍ କୁସନର, କାର୍ଲ ଆଇକାନଙ୍କ ଭଳି ସେଲିବ୍ରିଟିଙ୍କ ଘର ମଧ୍ୟ ସେଠାରେ ରହିଛି। ୯୨୫୯ ବର୍ଗଫୁଟର ଉକ୍ତ ଘର ୧୯୬୫ ମସିହାରେ ନିର୍ମାଣ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଆମାଜନ ସହିତ ବ୍ଲୁ ଅରିଜିନ କମ୍ପାନିର ପ୍ରତିଷ୍ଠାତା ବେଜୋସ ତାଙ୍କ ପତ୍ନୀ ମ୍ୟାକେଞ୍ଜି ସ୍କଟଙ୍କୁ ୨୦୧୯ରେ ଛାଡ଼ପତ୍ର ଦେବାପରଠାରୁ ବିଳାସପୂର୍ଣ୍ଣ ସାମଗ୍ରୀ କିଣି ଚର୍ଚ୍ଚାକୁ ଆସୁଛନ୍ତି।