ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଭଗାମୁଣ୍ଡାର ଟସର ସମିତି ସହ ଫ୍ଲିପ୍କାର୍ଟ ଅନୁବନ୍ଧିତ ହୋଇଛି। ଏହି ଟସର ସିଲ୍କ ପାର୍କରୁ ଉତ୍ପାଦିତ ହେଉଥିବା ଶାଢ଼ି, ସାଲ, ଜ୍ୟାକେଟ, ଉତ୍ତରୀୟ, ସାର୍ଟ କପଡ଼ା ଆଦି ୧୬ ପ୍ରକାର ଟସର ସାମଗ୍ରୀ ଏଣିକି ଫ୍ଲିପ୍କାର୍ଟରୁ କିଣିହେବ। ଏଠାରୁ ଉତ୍ପାଦିତ ସାମଗ୍ରୀ ବିଭିନ୍ନ ପ୍ରଦର୍ଶନୀରେ ବିକ୍ରି ହେଉଥିଲା। ତେବେ ବର୍ତ୍ତମାନ ବିଶ୍ୱବାସୀ ଏହି ସାମଗ୍ରୀ ଫ୍ଲିପ୍କାର୍ଟ ମାଧ୍ୟମରେ ପାଇପାରିବେ।
ଭଗାମୁଣ୍ଡା ଟସର ସମିତ ଟସର ଚାଷୀଙ୍କୁ ତାଲିମ ଦେବା ସହିତ ଟସର ଚାଷ ପାଇଁ ଉତ୍ସାହିତ କରୁଛନ୍ତି। ଏହି ସମିତି ମାଧ୍ୟମରେ ଟସର ଚାଷ ପାଇଁ ବୃକ୍ଷରୋପଣ, ବିହନ ଯୋଗାଣ କରିବା ସହ ଚାଷୀଙ୍କ ଠାରୁ ଉତ୍ପାଦିତ ଟସର କିଣୁଛି। ଟସର ଚାଷ କରି କେତେକ ଚାଷୀ ବର୍ଷକୁ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। କେନ୍ଦୁଝର, ଯାଜପୁର, ଢେଙ୍କାନାଳ ଆଦି ଜିଲ୍ଲାରୁ ଦୁଇ ଶହ ଆଦିବାସୀ, ଗରିବ, ନିରୀହ ମହିଳା ଆଧୁନିକ ମେସିନ ଦ୍ବାରା ଟସର ସୂତା କାଟୁଛନ୍ତି। ଜଣେ ଜଣେ ମହିଳା ଟସରରୁ ସୂତା କାଟି ପ୍ରତିଦିନ ଦୁଇଶହ ଟଙ୍କା ଆୟ କରି ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି। କିନ୍ତୁ କରୋନା ମାଡ଼ରେ ସେମାନେ ରୋଜଗାର ହରାଇଛନ୍ତି। ଫ୍ଲିପ୍କାର୍ଟ ମାଧ୍ୟମରେ ଅର୍ଡର ଆସୁଥିବାରୁ ଗତ ୧୦ ଦିନ ହେଲା ୨୦ ଜଣ ମହିଳା ସମିତିକୁ ଆସି ସୂତା କାଟୁଛନ୍ତି। ଗାଁ କରୋନା କଟକଣା ପରେ ଆବଶ୍ୟକ ଅନୁଯାୟୀ ସୂତା କଟୁଥିବା ମହିଳାଙ୍କୁ ଡକାଯିବ ବୋଲି ଟସର ସିଲ୍କ ପାର୍କର ପ୍ରଡକସନ ମ୍ୟାନେଜର ପ୍ରଦ୍ୟୁମ୍ନ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଫ୍ଲିପକାର୍ଟ ମାଧ୍ୟମରେ ହରିଆଣା ରାଜ୍ୟର ଜଣେ ବ୍ୟକ୍ତି ଗତ ଅଗଷ୍ଟ ମାସ ୨୭ ତାରିଖରେ ୪ ହଜାର ୯୪୫ ଟଙ୍କା ମୂଲ୍ୟରେ ପ୍ରଥମ ଶାଢ଼ି ନେଇଥିବା ମ୍ୟାନେଜର ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/tasar.jpg)