ଭୁବନେଶ୍ବର: ଦେଶର ଚାରିଧାମ ଯଥା ବଦ୍ରିନାଥ, ଜଗନ୍ନାଥଧାମ ପୁରୀ, ରାମେଶ୍ୱରମ୍ ଓ ଦ୍ୱାରକାକୁ ଭାରତୀୟ ରେଳବାଇ ଦ୍ୱାରା ଭାରତ ଗୌରବ ଡିଲକ୍ସ ପର୍ଯ୍ୟଟନ ଟ୍ରେନ୍ ଚଳାଚଳ କରିବ। ପୂର୍ବରୁ ଦୁଇ ଥର ଭାରତ ଗୌରବ ଡିଲକ୍ସ ପର୍ଯ୍ୟଟନ ଟ୍ରେନ୍ ଚଳାଚଳ କରିସାରିଛି। ଏବର୍ଷ ୧୭ ଦିନିଆ ଭାରତ ଗୌରବ ଡିଲକ୍ସ ଯାତ୍ରା ମେ ୨୭ରେ ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଆରମ୍ଭ ହେବ। ଏହା ଅଧୀନରେ ବଦ୍ରିନାଥ, ମାନା ଗ୍ରାମ, ନରସିଂହ ମନ୍ଦିର, ଜୋସିମାଥ, ଋଷିକେଶ, ଜଗନ୍ନାଥ ମନ୍ଦିର, ପୁରୀ ବେଳାଭୂମି, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚନ୍ଦ୍ରଭଗା ବିଚ୍, ରାମନାଥସ୍ୱାମୀ ମନ୍ଦିର, ଧନୁଶକୋଡି, ରାମେଶ୍ୱରମ୍, ଦ୍ୱାରକାଲୀଙ୍ଗ, ଜ୍ୟୋତିର୍ଲିଙ୍ଗ ପରି ସ୍ଥାନଗୁଡ଼ିକ ଭ୍ରମଣ କରାଯିବ।
ଯାତ୍ରୀମାନଙ୍କୁ ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିର, ପୁଣେର ଭୀମାଶଙ୍କର ମନ୍ଦିର ଓ ନାସିକର ତ୍ରୟମ୍ବକେଶ୍ୱର ମନ୍ଦିର ପରିଦର୍ଶନର ସୁଯୋଗ ଉପଲବ୍ଧ କରାଯିବ। ୧୭ ଦିନିଆ ଯାତ୍ରା ମଧ୍ୟରେ ସମସ୍ତ ଭକ୍ତ ୮,୪୨୫ କିମି ଯାତ୍ରା କରିବେ। ଏହି ଟ୍ରେନ୍ରେ ଦୁଇଟି ଡାଇନିଂ ରେଷ୍ଟୁରାଣ୍ଟ, ଏକ ଆଧୁନିକ ରୋଷେଇ ଘର ଓ ଗାଧୋଇବା ପାଇଁ କ୍ୟୁବିକ୍ ବାଥରୁମ୍ ଅନ୍ତର୍ଭୁକ୍ତ ରହିଛି। ସମସ୍ତ କୋଚରେ ବାୟୋ-ଟଏଲେଟ୍, ଶୌଚାଳୟ, ପାଦ ମସାଜ ଉପଲବ୍ଧ କରାଯାଇଛି। ଏହି ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଟ୍ରେନ୍ରେ ପ୍ରଥମ ଏସି, ଦ୍ୱିତୀୟ ଏସି ଓ ତୃତୀୟ ଏସିରେ ଟିକେଟ ବୁକ୍ କରାଯାଇପାରିବ। ଟ୍ରେନ୍ରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସିସି କ୍ୟାମେରା ଓ ସୁରକ୍ଷା କର୍ମୀଙ୍କ ବ୍ୟବସ୍ଥା ମଧ୍ୟ କରାଯାଇଛି। ଭାରତୀୟ ରେଳବାଇ କ୍ୟାଟରିଂ ଓ ପର୍ଯ୍ୟଟନ ନିଗମ(ଆଇଆରସିଟିସି) ମାଧ୍ୟମରେ ଏହି ଟ୍ରେନ୍ ପରିଚାଳିତ ହେବ। ଏହି ଟ୍ରେନରେ ବୁକିଂ ପାଇଁ ୧୫୦ଟି ସିଟ୍ ଉପଲବ୍ଧ ରହିଛି, ଯାହାକି ପ୍ରଥମେ ଆସ ପ୍ରଥମେ ସେବା ଆଧାରରେ ବୁକ୍ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/03/rApzXXLXbBB0HfKoiCRx.jpg)