ଅଧିକ ମୂଲ୍ୟ ହେତୁ ଯାତ୍ରୀ କିଣିଲେନି ଟିକେଟ, ୩୦ ପ୍ରତିଶତ କମିପାରେ ଏହି ଟ୍ରେନର ଭଡା

ନୂଆଦିଲ୍ଲୀ: ଅଧିକ ମୂଲ୍ୟ ହେତୁ ଟିକେଟ କିଣିଲେ ନାହିଁ ଯାତ୍ରୀ | ଆଉ ଏନେଇ ଏବେ ଚେତା ପଶିଛି | ଯାତ୍ରୀଙ୍କ ଅଭାବ ହେତୁ ‘ଭାରତ ଗୌରବ’ ଟ୍ରେନର ଭଡା ୨୦-୩୦ ପ୍ରତିଶତ ହ୍ରାସ କରାଯାଇପାରେ। ତେବେ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ସୂଚନାନୁସାରେ, ଏହି ଟ୍ରେନଗୁଡ଼ିକର ଭଡା ଅଧିକ ଥିବାରୁ ଯାତ୍ରୀମାନେ ଏହାର ଟିକେଟ କିଣିନଥିଲେ | ଯାହାଫଳରେ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଦୁଇଟି ସ୍ୱତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ୍ ବାତିଲ କରିବାକୁ ବାଧ୍ୟ ହୋଇଥିଲା। ଆଉ ଏହି ସ୍ୱତନ୍ତ୍ର ଟ୍ରେନର ଭଡା ହ୍ରାସ କରିବାକୁ ରେଳବାଇ ପକ୍ଷରୁ ଆଇଆରସିଟିସିକୁ ପରାମର୍ଶ ଦିଆଯାଇଥିଲା | ତେବେ ପରାମର୍ଶ ଦିଆଯିବାର ବର୍ଷକ ପରେ ଏବେ ଏହି ସୂଚନା ମିଳିଛି |

ମିଳିଥିବା ସୂଚନା ମୁତାବକ ଆଇଆରସିଟିସି ଏପର୍ଯ୍ୟନ୍ତ ସ୍ୱଦେଶ ଦର୍ଶନ ଯୋଜନା ରାମାୟଣ ସର୍କିଟରେ କେବଳ ଥରେ ଟ୍ରେନ ଚଳାଇବାରେ ସଫଳ ହୋଇଛି | କୁହାଯାଉଛି ଯେ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନରେ ୧୮ ଦିନର ପ୍ୟାକେଜ୍ ପାଇଁ ଏସି-୩ ଶ୍ରେଣୀର ଭଡା ୬୨୦୦୦ ଟଙ୍କା ରହିଥିଲା | ଆଉ ଉନ୍ନତମାନର କୋଚ୍ ଏବଂ ଟୁର୍ ପ୍ୟାକେଜ୍ ସାହାଯ୍ୟରେ ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାକୁ ଭାରତ ଗୌରବ ଟ୍ରେନ୍ ଆରମ୍ଭ କରାଯାଇଥିଲା, କିନ୍ତୁ ଅଧିକ ଭଡା ଯୋଗୁଁ ଏହି ଟ୍ରେନ ଏକ ‘ବିଳାସପୂର୍ଣ୍ଣ ବ୍ରାଣ୍ଡ’ ହୋଇ ରହିଯାଇଥିଲା । ଆଉ ଖୁବ କମ ଲୋକ ହିଁ ଏହାର ଟିକେଟ ବୁକ କରିଥିବାବେଳେ ଅଧିକାଂଶ ଟିକେଟ ବିକ୍ରି ହୋଇନଥିଲା | ଆଉ ଏହା ପରେ ଏବେ ସ୍ଲିପର ଓ ଏସି-ତୃତୀୟ ଶ୍ରେଣୀର ଭଡା ୨୦-୩୦ ପ୍ରତିଶତ କମ କରିବାକୁ ବିଚାରବିମର୍ଶ ଚାଲିଛି |

ସମ୍ବନ୍ଧିତ ଖବର