ନୂଆଦିଲ୍ଲୀ: ରେଳବାଇ ନିକଟରେ ଟ୍ରେନ୍ର ସମୟ ସାରଣୀଠାରୁ ଆରମ୍ଭ କରି ନମ୍ବର ପରିବର୍ତ୍ତନ ନେଇ ଘୋଷଣା କରିଥିଲା। ଏଥିସହିତ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ କେତେକ ଟ୍ରେନ୍ର ବେଗକୁ ବୃଦ୍ଧି କରିବା ସହିତ ଟିକେଟ ବୁକିଂ କରିବା ସମୟରେ ଯାତ୍ରୀମାନେ ଯେପରି କୌଣସି ଅସୁବିଧା ସମ୍ମୁଖୀନ ନ ହୁଅନ୍ତି ସେ ନେଇ ନୂଆ ଯୋଜନା ମଧ୍ୟ ଆରମ୍ଭ କରିଛି।
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏହି ରେଳବାଇ ରେଳ ଯାତ୍ରୀଙ୍କ ସୁବିଧା ପାଇଁ କିଛି ପରିବର୍ତ୍ତନ ଆଣିଛି। ଭୋପାଳ ରେଳବାଇ ତରଫରୁ କରାଯାଇଥିବା ପରିବର୍ତ୍ତନ ଅନୁଯାୟୀ ନିର୍ଦ୍ଦିଷ୍ଟ ଯାତ୍ରୀଙ୍କୁ ମାଗଣାରେ ଯାତ୍ରା କରିବା ସୁବିଧା ଦିଆଯାଇଛି। ରେଳବାଇରେ କ୍ୟାସ୍ଲେସ୍ ଟିକେଟିଙ୍ଗକୁ ବୃଦ୍ଧି କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ଜରିଆରେ ଯଦି ଆପଣ ‘ଭିମ୍ ଆପ୍’ ଜରିଆରେ ଟିକେଟ ବୁକ୍ କରୁଛନ୍ତି ତେବେ ଆପଣଙ୍କୁ ମାଗଣା ଯାତ୍ରା କରିବାର ସୁବିଧା ମିଳିବ।
କ୍ୟାସଲେସ୍ ଟିକେଟିଙ୍ଗକୁ ପ୍ରୋତ୍ସାହନ କରିବା ପାଇଁ ଭୋପାଳ ରେଳବାଇ ତରଫରୁ ‘ଭିମ’ ଆପ୍ ମାଧ୍ୟମରେ ଟିକେଟ କରୁଥିବା ଯାତ୍ରୀଙ୍କ ପାଇଁ ରେଳବାଇ ‘ପୁରସ୍କାର’ ଯୋଜନା ଆରମ୍ଭ କରିଛି। ତେବେ ଏଥିରେ ଏକ ସର୍ତ୍ତ ରହିଛି ଆପଣଙ୍କୁ ଟିକେଟ ଭିମ୍ ଆପ୍ ଜରିଆରେ ହିଁ କାଟିବାକୁ ହେବ।
ଭୋପାଳ ରେଳବାଇର ଯୋଜନା ଜରିଆରେ ଯଦି ଆପଣ ଭିମ୍ ଆପ୍ରୁ ଟିକେଟ ବୁକ୍ କରନ୍ତି ତେବେ ଅଧିକ ଲାଭ ପାଇ ପାରିବେ। କାରଣ ଭିମ୍ ଆପ୍ରେ ଟିକେଟ କାଟିଥିବା ଯାତ୍ରୀଙ୍କ ମଧ୍ୟରୁ ଲକି ଡ୍ର କରାଯାଇ ମାଗଣା ଯାତ୍ରୀଙ୍କୁ ଚୟନ କରାଯିବ। ଏହି ଲିକି ଡ୍ର ଜରିଆରେ ୫ଜଣ ଯାତ୍ରୀଙ୍କୁ ‘ମାଗଣା ଯାତ୍ରା’ ସୁବିଧା ଦିଆଯାଇ ପୁରସ୍କୃତ କରାଯିବାର ଯୋଜନା ରହିଛି। ରେଳବାଇ ତରଫରୁ ଏହି ଯାତ୍ରୀଙ୍କୁ ସେମାନଙ୍କ ମନପସନ୍ଦ ସ୍ଥାନକୁ ଯାତ୍ରା କରାଯିବାର ସୁବିଧା ଯୋଗାଇ ଦିଆଯିବ।