ଭୁବନେଶ୍ବର: ଭୁବନେଶ୍ବରକୁ ଆମ୍ୟୁଜ୍‌ମେଣ୍ଟ ପାର୍କ ମାନଚିତ୍ରରେ ଯୋଡ଼ିଥିବା ଦେଶର ଅଗ୍ରଣୀ ସଂସ୍ଥା ‘ୱଣ୍ଡର୍‌ଲା’ ଏଠାରେ ଏକ ‌ରିସୋର୍ଟ ସ୍ଥାପନ କରିବାକୁ ଯୋଜନା ରଖିଛି। ସେଥିରେ ଲୋକଙ୍କ ରହଣି ପାଇଁ କୋଠରିର ବ୍ୟବସ୍ଥା ରହିବ ବୋଲି ୱଣ୍ଡର୍‌ଲା ହଲିଡେଜ୍‌ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ କେ ଚିତ୍ତିଲାପିଲ୍ଲୀ କହିଛନ୍ତି।

Advertisment

ଖୋର୍ଦ୍ଧାର କୁମାରବସ୍ତରେ କମ୍ପାନି ସ୍ଥାପନ କରିଥିବା ଆମ୍ୟୁଜ୍‌ମେଣ୍ଟ ପାର୍କ ଚଳିତ ମାସ ୨୪ରୁ ଖୋଲିବାର ଘୋଷଣା କରିବାକୁ ଆସିଥିବା ଶ୍ରୀ ଚିତ୍ତିଲାପିଲ୍ଲୀ କହିଛନ୍ତି ଯେ ରାଜ୍ୟ ସରକାର କମ୍ପାନିକୁ ୯୦ ବର୍ଷିଆ ଲିଜ୍‌ରେ ୫୦ ଏକର ଜମି ଆବଣ୍ଟନ କରିଛନ୍ତି। ସେଥିରୁ ୩୦ ଏକର ଜମିରେ ୧୯୦ କୋଟି ଟଙ୍କା ବିନିଯୋଗ କରି ଆମ୍ୟୁଜ୍‌ମେଣ୍ଟ ପାର୍କ ସ୍ଥାପନ କରାଯାଇଛି। ଆମ ପାଖରେ ଆଉ ୨୦ ଏକର ଜମି ରହିଛି। ପ୍ରକଳ୍ପର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ସେଠ‌ାରେ ଏକ ରିସୋର୍ଟ, ଏକ ଆଡ୍‌ଭେଞ୍ଚର ପାର୍କ ଓ ଏକ କନ୍‌ଭେନ୍‌ସନ୍‌‌ ‌ସେଣ୍ଟର ସ୍ଥାପନ କରିବାକୁ ଯୋଜନା ରହିଥିବା ସେ କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଭୁବନେଶ୍ବର ଆମ୍ୟୁଜ୍‌ମେଣ୍ଟ ପାର୍କକୁ ଚଳିତ ବର୍ଷ ୪ ଲକ୍ଷ ଲୋକ ପରିଦର୍ଶନ କରିବେ ବୋଲି ଆଶା କରାଯାଉଛି। ପାର୍କକୁ ଦୈନିକ ୩୫୦୦ ଲୋକ ପରିଦର୍ଶନ କରିପାରିବେ। ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ଆଦିରୁ ଲୋକ ଏହି ପାର୍କକୁ ଆସିବେ ବୋଲି କମ୍ପାନି ଆଶା କରୁଛି। ଭୁବନେଶ୍ବର ପାର୍କରେ ୫୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିଥିବା ସେ କହିଛନ୍ତି। ଏହି ପାର୍କ ସ୍ଥାପନ କରିବା ଲାଗି ୨୦୧୯ରେ କମ୍ପାନି ସହ ଓଡ଼ିଶା ସରକାର ଆଲୋଚନା କରିଥିଲେ। କମ୍ପାନିର ପ୍ରସ୍ତାବକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରି ମିଳିବା ପରେ ୨୦୨୨ରେ କାମ ଆରମ୍ଭ ହୋଇଥିଲା। ୧୩ ମାସ ଭିତରେ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକୁ କମ୍ପାନି ସମ୍ପୂର୍ଣ୍ଣ କରିଛି। କୋଚି, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ପରେ ଭୁବନେଶ୍ବର ହେଉଛି ଚତୁର୍ଥ ସ୍ଥାନ ଯେଉଁଠାରେ ୱଣ୍ଡର୍‌ଲା ପାର୍କ କରିଛି। ଏହା ଲୋକମାନଙ୍କୁ ଆମୋଦପ୍ରମୋଦର ରୋମାଞ୍ଚକର ଅନୁଭୂତି ପ୍ରଦାନ କରିବ। ପାର୍କରେ ପ୍ରବେଶ ଲାଗି ବ୍ୟକ୍ତି ପିଛା ଟିକଟ ଦାମ୍ ୯୯୯ ଟଙ୍କାରୁ ୧୧୦୦ ଟଙ୍କା ମଧ୍ୟରେ ରହିଛି। ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାର୍କ ଖୋଲାରହିବ। ସପ୍ତାହର ଶେଷ ଦିବସଗୁଡ଼ିକରେ ପାର୍କ ‌ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲାରହିବ।

୨୪ରୁ ଖୋଲିବ ଭୁବନେଶ୍ବର ଆମ୍ୟୁଜ୍‌ମେଣ୍ଟ ପାର୍କ
ଆଡ୍‌ଭେଞ୍ଚର ପାର୍କ, କନ୍‌ଭେନ୍‌ସନ୍ ସେଣ୍ଟର ଖୋଲିବାକୁ ବି ଯୋଜନା

ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ପ୍ରାକୃତିକ ବିଭବକୁ ଦୃଷ୍ଟିରେ ରଖି ପାର୍କକୁ ଡିଜାଇନ୍ କରାଯାଇଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ କୋଣାର୍କ ଚକ୍ରକୁ ନଜରରେ ରଖି ଏହାର ସନ୍‌ ଡାଏଲ୍‌ ପ୍ଲାଜା ଓ ଆଗମନ ପ୍ଲାଜାକୁ ପ୍ରସ୍ତୁତ କରାଯାଇଛି। ପାର୍କରେ ଲୋକମାନେ ୨୧ ପ୍ରକାର ରାଇଡିଂର ମଜା ନେଇପାରିବେ। ପାର୍କର ପ୍ରମୁଖ ଆକର୍ଷଣ ହେଉଛି ସ୍ପିନିଂ ରୋଲର କୋଷ୍ଟର। ଏହା ୯୦ ସେକେଣ୍ଡରେ ଅଧ କିମି ଯାତ୍ରା କରିବ ଯାହାର ଘଣ୍ଟା ପିଛା ବେଗ ହେଉଛି ୫୦ କିଲୋମିଟର। ପାର୍କ ଭିତରେ ରେସ୍ତୋରାଁ, ଫୁଡ୍‌ କୋର୍ଟ, ସପିଙ୍ଗ ଅଞ୍ଚଳ ଓ ମଲ୍‌ଟି ପର୍ପସ ହଲ୍‌ ଆଦି ରହିଛି। ବର୍ତ୍ତମାନ ରିହାତି ଦରରେ ଟିକଟ ଉପଲବ୍ଧ ହେଉଛି। ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ଓ ମୋ ବସ୍‌ରେ ପାର୍କକୁ ଆସୁଥିବା ଯାତ୍ରୀମାନଙ୍କ ଲାଗି ରିହାତି ବ୍ୟବସ୍ଥା ରହିଛି। ଆଗାମୀ ଦିନରେ କମ୍ପାନି ତାମିଲନାଡ଼ୁର ଚେନ୍ନାଇ, ମଧ୍ୟପ୍ରଦେଶର ଇନ୍ଦୋର, ପଞ୍ଜାବର ମୋହାଲି ଓ ଉତ୍ତରପ୍ରଦେଶର ଗ୍ରେଟର ନୋଏଡା‌ରେ ଆମ୍ୟୁଜମେଣ୍ଟ ପାର୍କ ସ୍ଥାପନ କରିବାକୁ ଯାଉଛି। ଏହି ଅବସରରେ କମ୍ପାନିର ଚିଫ୍‌ ଅପରେଟିଂ ଅଫିସର ଧୀରନ ଚୌଧୁରୀ, ସଭାପତି ଶିବଦାସ ଏମ୍, ଉପସଭାପତି (ଇଞ୍ଜିନିୟରିଂ) ଆଜିକ୍ରିଷ୍ଣନ ଏଜି ଓ ଭୁବନେଶ୍ବର ପାର୍କର ମୁଖ୍ୟ କଳ୍ପତରୁ ନାୟକ ଉପସ୍ଥିତ ଥିଲେ।

ଭୁବନେଶ୍ବର ପ୍ରକଳ୍ପ ଏକ ଉଦାହରଣ: ଏମ୍‌ଡି
ୱଣ୍ଡର୍‌ଲା ଭୁବନେଶ୍ବର ମଡେଲ୍‌କୁ କମ୍ପାନି ଅନ୍ୟ ରାଜ୍ୟରେ ଲାଗୁ କରିବାକୁ ଯୋଜନା ରଖିଛି। କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଚିତ୍ତିଲାପିଲ୍ଲୀ ଏହାକୁ ‘ଆସେଟ୍‌ ଲାଇଟ୍‌ ମଡେଲ୍‌’ ଭାବେ ବର୍ଣ୍ଣନା କରିଛନ୍ତି। ସାଧାରଣତଃ ଏକ ଆମ୍ୟୁଜମେଣ୍ଟ ପାର୍କ ସ୍ଥାପନ କରିବା ଲାଗି ଜମି କ୍ରୟ ଓ ଭିତ୍ତିଭୂମି ବିକାଶରେ ସବୁଠୁ ଅଧିକ ଖର୍ଚ୍ଚ ହୋଇଥାଏ। ପ୍ରକଳ୍ପ ଖର୍ଚ୍ଚର ସିଂହ ଭାଗ ଜମି କିଣାରେ ଖର୍ଚ୍ଚ ହୁଏ। ଭୁବନେଶ୍ବର ପ୍ରକଳ୍ପ ଲାଗି ରାଜ୍ୟ ସରକାର ଲିଜ୍‌ରେ ଜମି ଦେବା ପରେ କମ୍ପାନିର ବିପୁଳ ସଞ୍ଚୟ ହୋଇପାରିଛି। ସେଥିପାଇଁ ଅପେକ୍ଷାକୃତ କମ୍ ନିବେଶରେ ଏହି ଆମ୍ୟୁଜମେଣ୍ଟ ପାର୍କ ସ୍ଥାପନ ସମ୍ଭବ ହୋଇଛି। କେବଳ ଜମି ନୁହେଁ ବିଦ୍ୟୁତ୍‌ ସଂଯୋଗ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ମଧ୍ୟ ସରକାର ଯୋଗାଇ ଦେଇଥିବା ସେ କହିଛନ୍ତି। ନିବେଶ କମ୍ ରହୁଥିବା କାରଣରୁ ଏହି ମଡେଲ୍‌ରେ କମ୍ପାନି ଶୀଘ୍ର ଲାଭ ପଥରେ ଆଗକୁ ବଢ଼ିପାରିବ ବୋଲି ସେ କହିଛନ୍ତି।