ଭୁବନେଶ୍ବର: ଦେଶର ଯେଉଁ ୨୫ଟି ବିମାନବନ୍ଦରର ଘରୋଇକରଣ କରାଯାଉଛି, ସେହି ତାଲିକାରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନାମ ରହିଛି। ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ପ୍ରଶ୍ନର ଉତ୍ତରରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୂରଲୀଧର ମୋହୋଲ ଏହା ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଜାତୀୟ ମନେଟାଇଜେସନ୍ ପାଇପ୍ଲାଇନ୍ରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ପରିଚାଳନା କରୁଥିବା ୨୫ ବିମାନବନ୍ଦରକୁ ୨୦୨୨ରୁ ୨୦୨୫ ମଧ୍ୟରେ ଘରୋଇକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଉତ୍ତମ ପରିଚାଳନା, ଘରୋଇ କ୍ଷେତ୍ରର ଦକ୍ଷତା ଓ ନିବେଶକୁ ଉପଯୋଗ କରିବା ଲାଗି ବିମାନବନ୍ଦର ଘରୋଇକରଣ କରାଯାଉଥିବା ମନ୍ତ୍ରୀ ଶ୍ରୀ ମୋହୋଲ କହିଛନ୍ତି। ଘରୋଇ ସଂସ୍ଥା ଦ୍ବାରା ବିମାନବନ୍ଦର ଭିତ୍ତିଭୂମିରେ ଉନ୍ନତି ଅଣାଗଲେ ତାହାର ଲାଭ ସେହି ବିମାନବନ୍ଦର ଥିବା ରାଜ୍ୟ ଓ ସେଠାକାର ଯାତ୍ରୀମାନଙ୍କୁ ମିଳିବ। ଘରୋଇ ସରକାରୀ ସହଭାଗିତା (ପିପିପି)ରେ ବିମାନବନ୍ଦର ପରିଚାଳିତ ହେବ। ବିମାନବନ୍ଦରକୁ ଲିଜ୍ ସୂତ୍ରରେ ଦେବା ଦ୍ବାରା ଯେଉଁ ପାଣ୍ଠି ମିଳିବ ତାହାକୁ ଏଏଆଇ କର୍ତ୍ତୃପକ୍ଷ ଭିତ୍ତିଭୂମି ବିକାଶରେ ବିନିଯୋଗ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ଏଏଆଇ ନିୟମ ୧୯୯୪ର ଧାରା ୧୨ଏ ଅନୁସାରେ ବିମାନବନ୍ଦର କୋଠା ଓ ଢାଞ୍ଚାର କିଛି ଅଂଶକୁ ଏଏଆଇ ଲିଜ୍ରେ ନେଇ ଲୋକମାନଙ୍କ ସ୍ବାର୍ଥ ଦୃଷ୍ଟିରୁ କେତେକ କାର୍ଯ୍ୟକ୍ରମ ହାତକୁ ନେଇପାରିବ ବୋଲି ସେ କହିଛନ୍ତି।
ତେବେ ଭୁବନେଶ୍ବର ବିମାନବନ୍ଦର ଘରୋଇକରଣକୁ ବିଜୁ ଜନତା ଦଳ (ବିଜେଡି) କଡ଼ା ସମାଲୋଚନା କରିଛି। ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ ଏହା ହେଉଛି ଆମ ସ୍ବାଭିମାନ ଓ ଓଡ଼ିଆ ଅସ୍ମିତା ପ୍ରତି କୁଠାରାଘାତ। ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ତାହା କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହୋଇଛି। ଘରୋଇକରଣ ପରେ ଯଦି ସୁଲଭ ମୂଲ୍ୟର ବିମାନ ଚଳାଚଳକୁ ପ୍ରୋତ୍ସାହିତ କରାଯିବ ନାହିଁ, ତେବେ ରାଜ୍ୟବାସୀ କ୍ଷତିଗ୍ରସ୍ତ ହେବେ। ଅଣ-ସିଡ୍ୟୁଲଡ୍ ବିମାନ ଚଳାଚଳ ପ୍ରଭାବିତ ହେବା ଆଶଙ୍କା ରହିଛି। ବିମାନବନ୍ଦରରେ ଚାଲିଥିବା ଆଭିଏସନ ଟ୍ରେନିଂ ସେଣ୍ଟର ମଧ୍ୟ ବନ୍ଦ ହେବା ଆଶଙ୍କା ରହିଛି। ତେଣୁ ବିମାନବନ୍ଦର ଘରୋଇକରରର ପୁନର୍ବିଚାର କରିବାକୁ ସେ କେନ୍ଦ୍ରକୁ କହିଛନ୍ତି। ଭୁବନେଶ୍ବର ବିମାନବନ୍ଦର ହେଉଛି ଏକ ଲାଭଜନକ ବିମାନବନ୍ଦର। ଏହା ହେଉଛି ଦେଶର ଚତୁର୍ଦ୍ଦଶ ବ୍ୟସ୍ତବହୁଳ ବିମାନବନ୍ଦର ଯାହା ୪୧ ଲକ୍ଷ ଯାତ୍ରୀଙ୍କୁ ପରିଚାଳନା କରିବାର କ୍ଷମତା ରଖିଛି। ଖୁବ୍ଶୀଘ୍ର ଏହି ବାର୍ଷିକ ଯାତ୍ରୀ ପରିଚାଳନା କ୍ଷମତାକୁ ୮୮ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ଉପରେ ବିମାନବନ୍ଦର କର୍ତ୍ତୃପକ୍ଷ କାମ କରୁଛନ୍ତି। ବିମାନବନ୍ଦରରେ ଅନେକ ଏକ୍ସ-ରେ ବ୍ୟାଗେଜ୍ ସ୍କାନର, ଚେକ୍-ଇନ୍ କାଉଣ୍ଟର, ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଗେଟ୍, ଇମିଗ୍ରେସନ କାଉଣ୍ଟର ରହିଛି।