ଭୁବନେଶ୍ବର: ରାଜ୍ୟରେ ଲୋକମାନଙ୍କ ଲାଗି ମ୍ୟୁଚୁଆଲ୍ ଫଣ୍ଡ୍‌ ଏକ ପସନ୍ଦର ନିବେଶ ବିକଳ୍ପ ଭାବେ ଉଭା ହୋଇଛି। ୨୦୧୨ ପରେ ଦୁଇ ପ୍ରମୁଖ ସହର ଭୁବନେଶ୍ବର ଓ କଟକରେ ମ୍ୟୁଚୁଆଲ୍ ଫଣ୍ଡ୍‌ ନିବେଶ ୬ ଗୁଣା ବୃଦ୍ଧି ପାଇଛି। ୨୦୧୧-୧୨ ବେଳକୁ ଭୁବନେଶ୍ବରରେ ମ୍ୟୁଚୁଆଲ୍ ଫଣ୍ଡ୍‌ର ପରିଚାଳନା ଅଧୀନ ସମ୍ପତ୍ତି ୨୭୦୦ କୋଟି ଟଙ୍କା ଓ କଟକରେ ୩୦୦ କୋଟି ଟଙ୍କା ପାଖାପାଖି ଥିଲା। ୨୦୨୪ ମାର୍ଚ୍ଚ ସୁଦ୍ଧା ଭୁବନେଶ୍ବରରେ ପରିଚାଳନା ଅଧୀନ ସମ୍ପତ୍ତି ୧୬୦୦୦ କୋଟି ଟଙ୍କାରୁ ଅଧିକ ଏବଂ କଟକରେ ତାହା ୪୨୦୦ କୋଟି ଟଙ୍କାରୁ ଅଧିକ ହୋଇପାରିଛି।

Advertisment

ଭୁବନେଶ୍ବରରେ ଜେଏମ୍ ଫାଇନାନ୍ସିଆଲ୍ ଆସେଟ୍ ମ୍ୟାନେଜ୍‌ମେଣ୍ଟ ଲିମିଟେଡ୍‌ର ପ୍ରଥମ ଶାଖା ଖୋଲିବା ଅବସରରେ ଭୁବନେଶ୍ବର ଆସିଥିବା କମ୍ପାନିର ଚିଫ୍‌ ବିଜନେସ୍ ଅଫିସର ସିମନ୍ତ ଶୁକ୍ଳା କହିଛନ୍ତି ଯେ ଓଡ଼ିଶାରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ର ଦୁଇ ପ୍ରମୁଖ ବଜାର ହେଉଛି ଭୁବନେଶ୍ବର ଓ କଟକ। ଏହାବାଦ୍‌ ରାଉରକେଲା ସହରରେ ମଧ୍ୟ ଦ୍ରୁତ ଗତିରେ ଏହି ନିବେଶ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି। ୨୦୧୧-୧୨ରୁ ୨୦୨୩-୨୪ ମଧ୍ୟରେ ଲୋକମାନଙ୍କ ନିବେଶ ଅଭ୍ୟାସରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି ଯେ ଏହି ସମୟ ଭିତରେ ବ୍ୟାଙ୍କ ଜମାରେ ହୋଇଥିବା ଅଭିବୃଦ୍ଧିଠାରୁ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ ଅଭିବୃଦ୍ଧି ଅଧିକ ରହିଛି। ଆଲୋଚ୍ୟ ସମୟରେ ଭୁବନେଶ୍ବର ଓ କଟକରେ ବ୍ୟାଙ୍କ ଜମା ରାଶି ୫.୭ ଗୁଣା ବୃଦ୍ଧି ପାଇ ୨,୧୭,୮୪୯ କୋଟି ଟଙ୍କାରେ ପହଞ୍ଚିଛି। ୨୦୧୧-୧୨ରେ ତାହା ୩୭,୭୦୦ କୋଟି ଟଙ୍କା ଥିଲା। ସେହି ସମୟରେ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ ୬ ଗୁଣା ବୃଦ୍ଧି ପାଇ ୨୦ ହଜାର କୋଟି ଟଙ୍କା ପାଖାପାଖି ପହଞ୍ଚିଛି। ରାଜ୍ୟରେ ଉଭୟ ବ୍ୟକ୍ତିବିଶେଷ, ଧନୀ ଲୋକ ଓ ସଂସ୍ଥା ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ କରୁଛନ୍ତି। ଲୋକମାନେ ସାଧାରଣତଃ ସିଷ୍ଟମେଟିକ୍ ଇନ୍‌ଭେଷ୍ଟମେଣ୍ଟ ପ୍ଲାନ୍ (ଏସ୍ଆଇପି) ଜରିଆରେ ନିବେଶ କରିବା ପସନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି।