ଭୁବନେଶ୍ବର: ସାରା ବିଶ୍ବରେ ଥିବା ଅଧାରୁ ଅଧିକ ଗ୍ଲୋବାଲ୍ କାପାବିଲିଟି ସେଣ୍ଟର (ଜିସିସି) ଭାରତରେ ରହିଛି। ଯେଉଁ କିଛି ସହର ଏହି ବିପ୍ଳବକୁ ଆଗକୁ ନେଇଛନ୍ତି, ସେଥିରେ ଭୁବନେଶ୍ବରର ନାମ ରହିଛି। ଭେଷ୍ଟିଆନ୍ ରିସର୍ଚ୍ଚ ଜାରି କରିଥିବା ଏକ ରିପୋର୍ଟ ଅନୁସାରେ ଉଦୀୟମାନ ଜିସିସି ହବ୍ ତାଲିକାରେ ଅହମଦାବାଦ, କୋଚି, କୋଏମ୍ବାଟୁର, ଇନ୍ଦୋର, ମୋହାଲି ଓ ମଦୁରାଇ ସହ ଭୁବନେଶ୍ବର ନାମ ରହିଛି।
ରାଜ୍ୟରେ ସୂଚନା ପ୍ରଯୁକ୍ତିକୁ ନେଇ ଏକ ବ୍ୟାପକ ବ୍ୟବସ୍ଥା ରହିଛି। ଟିସିଏସ୍ଠାରୁ ଆରମ୍ଭ କରି ଇନ୍ଫୋସିସ୍, ମାଇଣ୍ଡ୍ଟ୍ରି ଓ ଟେକ୍ମହିନ୍ଦ୍ରା ଭଳି ଅଗ୍ରଣୀ ଆଇଟି କମ୍ପାନି ଭୁବନେଶ୍ବରରେ ସେମାନଙ୍କ କେନ୍ଦ୍ର ସ୍ଥାପନ କରିଛନ୍ତି। ସୂଚନା ପ୍ରଯୁକ୍ତି ଜଗତର ମାନବ ସମ୍ବଳ ଆବଶ୍ୟକତା ପୂରଣ କରିବା ଲାଗି ରାଜ୍ୟରେ ଇଞ୍ଜିନିୟରିଂ ଗ୍ରାଜୁଏଟ୍ଙ୍କ ଅଭାବ ମଧ୍ୟ ନାହିଁ। ଏହି ସାମଗ୍ରିକ ବ୍ୟବସ୍ଥା ଭୁବନେଶ୍ବରକୁ ନୂଆ ଜିସିସି ହବ୍ ଭାବେ ଗଢ଼ି ତୋଳିବାର ସୁଯୋଗ ପ୍ରଦାନ କରିଛି। ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବଙ୍କ ସୂଚନା ଅନୁସାରେ ରାଜ୍ୟ ସରକାର ଭୁବନେଶ୍ବର-କଟକ-ପୁରୀ କରିଡର୍କୁ ବିଶ୍ବସ୍ତରୀୟ ଜିସିସି ହବ୍ରେ ବିକାଶ କରିବାକୁ ଚାହୁଛନ୍ତି। ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ରେ ଏହି ଲକ୍ଷ୍ୟ ନିର୍ଧାରଣ କରାଯାଇଛି। ଏହି କ୍ଷେତ୍ରର ବିକାଶ ଲାଗି ରାଜ୍ୟ ସରକାର ଏକ ନୂଆ ଜିସିସି ନୀତି ମଧ୍ୟ ପ୍ରସ୍ତୁତ କରୁଛନ୍ତି।
ଭେଷ୍ଟିଆନ୍ ରିସର୍ଚ୍ଚ ରିପୋର୍ଟ ଅନୁସାରେ ସାରା ବିଶ୍ବରେ ୩୨୦୦ ଜିସିସି ରହିଥିବା ବେଳେ ସେଥିରୁ ପ୍ରାୟ ୧୭୦୦ଟି କେନ୍ଦ୍ର କେବଳ ଭାରତରେ ରହିଛି। ଅର୍ଥାତ ବିଶ୍ବର ୫୩ ପ୍ରତିଶତ ଜିସିସି ଭାରତରେ ରହିଛି। ୪୮୭ଟି କେନ୍ଦ୍ର ସହିତ ବେଙ୍ଗାଲୁରୁ ପ୍ରଥମ ସ୍ଥାନରେ ଥିବା ବେଳେ ଏହା ପଛକୁ ରହିଛି ହାଇଦ୍ରାବାଦ (୨୭୩), ଏନ୍ସିଆର୍ (୨୭୨), ମୁମ୍ବାଇ (୨୦୭), ପୁଣେ (୧୭୮) ଓ ଚେନ୍ନାଇ (୧୬୨)। ଏହି ଛଅଟି ସହରରେ ୯୪ ପ୍ରତିଶତ ଜିସିସି ରହିଛି। ପ୍ରତିବର୍ଷ ଭାରତରେ ୧୫୦ ନୂଆ ଜିସିସି ପ୍ରତିଷ୍ଠା ହେବା ଆଶା କରାଯାଉଛି। ୨୦୨୮ ସୁଦ୍ଧା ଦେଶରେ ଏଭଳି କେନ୍ଦ୍ର ସଂଖ୍ୟା ୨୧୦୦ରୁ ଅଧିକ ହେବା ଆକଳନ କରାଯାଇଛି।
ଜିସିସି କ’ଣ?
ଗ୍ଲୋବାଲ୍ କାପାବିଲିଟି ସେଣ୍ଟର (ଜିସିସି) ହେଉଛି ବହୁଦେଶୀୟ କମ୍ପାନିଗୁଡ଼ିକ ଦ୍ବାରା ସ୍ଥାପନ ଓ ପରିଚାଳନା କରାଯାଉଥିବା କେନ୍ଦ୍ର। ଦକ୍ଷ ମାନବ ସମ୍ବଳ, ଅନୁକୂଳ ବ୍ୟବସାୟ ପରିବେଶ ଏବଂ ଖର୍ଚ୍ଚ କମ୍ ରହୁଥିବା ସ୍ଥାନରେ କମ୍ପାନିଗୁଡ଼ିକ ଏହି କେନ୍ଦ୍ର ସ୍ଥାପନ କରୁଛନ୍ତି। ଏହି କେନ୍ଦ୍ରଗୁଡ଼ିକ ଆଇଟି, ଫାଇନାନ୍ସ, ମାନବ ସମ୍ବଳ, ଗବେଷଣା ଓ ବିକାଶ ଏବଂ ଗ୍ରାହକ ସେବା ଭଳି ବ୍ୟାପକ ସେବା ପ୍ରଦାନ କରିଥାନ୍ତି। କମ୍ପାନିର ପରିଚାଳନାରେ ଉନ୍ନତି ଆଣିବା ଓ ନବସୃଜନ ବଢ଼ାଇବା ଦିଗରେ ଏହି କେନ୍ଦ୍ରଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି।