ଭୁବନେଶ୍ବର, ଝାରସୁଗୁଡ଼ା ବିମାନବନ୍ଦର ଘରୋଇକରଣରେ ମୋହର: ଚୂଡ଼ାନ୍ତ ମଞ୍ଜୁରି ଦେଲା ଏଏଆଇ

ମୋଟ୍‌ ୧୩ଟି ବିମାନବନ୍ଦର ଘରୋଇକରଣ ହେବ, ସରକାର ପାଇବେ ୩,୬୬୦ କୋଟି

ନୂଆଦିଲ୍ଲୀ: ଓଡ଼ିଶାର ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦର ସମେତ ସାରା ଦେଶର ୧୩ଟି ବିମାନବନ୍ଦରର ଘରୋଇକରଣ ପ୍ରସ୍ତାବକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ମଞ୍ଜୁରି ପ୍ରଦାନ କରିଛନ୍ତି। ଭୁବନେଶ୍ବର ସହିତ ଝାରସୁଗୁଡ଼ା ବିମାନବନ୍ଦରକୁ ଯୋଡ଼ି ନିବେଶକଙ୍କ ଲାଗି ଉପସ୍ଥାପନ କରାଯିବ। ଯେଉଁ ସଂସ୍ଥା ଭୁବନେଶ୍ବର ବିମାନବନ୍ଦରକୁ କିଣିବାକୁ ଚାହିବ ସେହି ସଂସ୍ଥା ଝାରସୁଗୁଡ଼ା ବିମାନବନ୍ଦରର ପରିଚାଳନା ଦାୟିତ୍ବ ମଧ୍ୟ ନିଜ ହାତକୁ ନେବ। ନ୍ୟାସନାଲ୍ ମନେଟାଇଜେସନ୍ ପାଇପ୍‌ଲାଇନ୍‌ର ଅଂଶ ସ୍ବରୂପ ଏହି ଘରୋଇକରଣ ହେବ। ଏହି ସବୁ ବିମାନବନ୍ଦର ଏବେ ଏଏଆଇ ଅଧୀନରେ ପରିଚାଳିତ ହେଉଛି। ବିମାନବନ୍ଦରଗୁଡ଼ିକର ଘରୋଇକରଣ କରି ୨୦୨୩-୨୪ ସୁଦ୍ଧା ୩,୬୬୦ କୋଟି ଟଙ୍କାର ରାଜସ୍ବ ହାସଲ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ହୋଇଥିବା ବିମାନବନ୍ଦର ଘରୋଇକରଣ ପ୍ରକ୍ରିୟାରେ ଆଦାନି ଗ୍ରୁପ୍‌ ଛଅଟି ବିମାନବନ୍ଦରର ପରିଚାଳନା ଦାୟିତ୍ବ ହାସଲ କରିଥିଲା। ସେଗୁଡ଼ିକ ହେଉଛି ଅହମ୍ମଦାବାଦ, ଲକ୍ଷ୍ନୌ, ଥିରୁବନନ୍ତପୂରମ୍, ମାଙ୍ଗାଲୁରୁ ଓ ଗୌହ୍ବାଟି ବିମାନ ବନ୍ଦର।

ଏଥର ଭୁବନେଶ୍ବର, ବାରାଣାସୀ, ଅମୃତସର, ତ୍ରିଚି, ଇନ୍ଦୋର, ରାୟପୁର ଭଳି ୭ଟି ବଡ଼ ବିମାନବନ୍ଦର ଓ ଝାରସୁଗୁଡ଼ା, ଗୟା, କୁଶିନଗର, କାଙ୍ଗରା, ତିରୁପତି, ଜବଲପୁର ଏବଂ ଜଲ୍‌ଗାଓଁ ଭଳି ୬ଟି ଛୋଟ ବିମାନବନ୍ଦରର ଘରୋଇକରଣ କରିବା ପ୍ରସ୍ତାବକୁ ଏଏଆଇ ବୋର୍ଡ ମଞ୍ଜୁରି ପ୍ରଦାନ କରିଛି। ଘରୋଇକରଣ ଡିଲ୍‌କୁ ଅଧିକ ଆକର୍ଷଣୀୟ କରିବା ଲାଗି ବଡ଼ ବିମାନବନ୍ଦର ସହ ଛୋଟ ବିମାନବନ୍ଦରକୁ ମିଶାଇ ଗ୍ରାହକଙ୍କୁ ହସ୍ତାନ୍ତର କରିବାକୁ ଉଦ୍ୟମ କରାଯିବ। ନିଲାମ କାଗଜପତ୍ର ପ୍ରସ୍ତୁତ କରିବା ଲାଗି ଏଏଆଇ ପକ୍ଷରୁ ଖୁବ୍‌ଶୀଘ୍ର କନ୍‌ସଲ୍‌ଟାଣ୍ଟ୍‌ ନିଯୁକ୍ତ କରାଯିବ। ୨୦୨୨ର ପ୍ରାରମ୍ଭିକ ମାସଗୁଡ଼ିକରେ ଆଗ୍ରହୀ ନିବେଶକଙ୍କ ଠାରୁ ବିଡ୍ ଆହ୍ବାନ କରାଯିବ। କେତେ ବର୍ଷ ଲାଗି ଗ୍ରାହକଙ୍କୁ ବିମାନବନ୍ଦର ପରିଚାଳନା ଦାୟିତ୍ବ ଦିଆଯିବ ଓ ନିଲାମ ମୂଲ୍ୟ କେତେ ରହିବ ତାହା କନ୍‌ସଲ୍‌ଟାଣ୍ଟ୍‌ ନିର୍ଧାରଣ କରିବେ।

ପ୍ରଥମ ଥର ଲାଗି ଦେଶରେ ବଡ଼ ସହିତ ଛୋଟ ବିମାନବନ୍ଦରକୁ ମିଶାଇ ଘରୋଇକରଣ ଲାଗି ଉଦ୍ୟମ କରାଯିବ। ଲାଭଦାୟକ ସହିତ ଅଣ ଲାଭଦାୟକ ବିମାନବନ୍ଦରକୁ ଯୋଡ଼ି ଗ୍ରାହକଙ୍କ ଲାଗି ଉପସ୍ଥାପନ କରାଯିବ ବୋଲି ନିତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନ୍ୟାସନାଲ୍ ମନେଟାଇଜେସନ୍ ପାଇପ୍‌ଲାଇନ୍ କାଗଜପତ୍ରରୁ ଜଣାପଡ଼ିଛି। ଏହି ଘରୋଇକରଣ ସମ୍ପର୍କରେ ରେଟିଂ ଏଜେନ୍ସି କ୍ରିସିଲ୍‌ର ଅଧିକାରୀ ଜଗନନାରାୟଣ ପଦ୍ମନାଭନ କହିଛନ୍ତି ଯେ ବିମାନ ଚଳାଚଳ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ଆଗ୍ରହ ରଖିଥିବା ବ୍ୟାବସାୟିକ ସଂସ୍ଥାଗୁଡ଼ିକ ଲାଗି ଏହି ଘରୋଇକରଣ ଶେଷ ସୁଯୋଗ ହେବ। ବିମାନବନ୍ଦର ଭିତ୍ତିଭୂମିର ଉନ୍ନତୀକରଣ ଲାଗି ନିବେଶକମାନଙ୍କୁ ପାଣ୍ଠି ଯୋଗାଡ଼ କରିବା କଷ୍ଟକର ହେବ ନାହିଁ। କାରଣ ଯାତ୍ରୀ ଫି’, ଅବତରଣ ଓ ପାର୍କିଂ ଫି’ ଏବଂ ଇନ୍ଧନ ଶୁଳ୍କ ଆଦି ଜରିଆରେ ସେମାନେ ପାଣ୍ଠି ସଂଗ୍ରହ କରିପାରିବେ। ଏଥିପାଇଁ ଦେଶରେ ବ୍ୟବସ୍ଥିତ ନିୟମ ମଧ୍ୟ ରହିଛି।

ଜିଏମ୍‌ଆର୍‌ ଏୟାରପୋର୍ଟସ୍‌ର ପୂର୍ବତନ ଇଡି ସିଦ୍ଧାର୍ଥ କପୁର କହିଛନ୍ତି ଯେ ଯେଉଁ ଛଅଟି ଲାଭଦାୟକ ବିମାନବନ୍ଦର ରହିଛି ସେଗୁଡ଼ିକର ଘରୋଇକରଣରେ ବିଶେଷ ଅସୁବିଧା‌ ହେବନାହିଁ। କିନ୍ତୁ ସେଗୁଡ଼ିକ ସହ ଅଣ ଲାଭଦାୟକ ବିମାନବନ୍ଦରକୁ ଯୋଡ଼ିବା ଦ୍ବାରା ନିବେଶକମାନେ ସେତେଟା ଆଗ୍ରହ ଦେଖାଇବେ ନା ନାହିଁ ତାହା ଦେଖିବାକୁ ପଡ଼ିବ। କ୍ଷତିରେ ଚାଲୁଥିବା ଛୋଟ ବିମାନବନ୍ଦରଗୁଡ଼ିକରେ ଯାତ୍ରୀ ସଂଖ୍ୟା ନଗଣ୍ୟ ସ୍ତରରେ ରହୁଛି। ସେଭଳି ବିମାନବନ୍ଦର ପରିଚାଳନା ଲାଗି ନିବେଶକଙ୍କୁ ପ୍ରଚୁର ବ୍ୟୟ କରିବାକୁ ପଡ଼ିବ। କିନ୍ତୁ ବିଶେଷ ଆୟ ହେବ ନାହିଁ। ସେଭଳି ସ୍ଥିତିକୁ ନିବେଶକମାନେ କିଭଳି ପରିଚାଳନା କରିବେ ତାହା ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ସେ କହିଛନ୍ତି ଯେ ଏକ ବିମାନବନ୍ଦର ଲାଭଦାୟକ ହେବାକୁ ହେଲେ ଅତିକମ୍‌ରେ ତାହା ୨୦-୩୦ ଲକ୍ଷ ଯାତ୍ରୀ ପରିଚାଳନା କରିବା ଦରକାର। ତେଣୁ ଘରୋଇକରଣ ବେଳେ ବଡ଼ ସହିତ ଛୋଟ ବିମାନବନ୍ଦରକୁ ନମିଶାଇବା ଲାଗି ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର