ଭୁବନେଶ୍ବରରେ ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକ, ଅର୍ଥନୈତିକ ସ୍ଥିତିର ସମୀକ୍ଷା କରାଗଲା

ସମବାୟ ବ୍ୟାଙ୍କ ସମସ୍ୟା ଉପରେ ଆଲୋଚନା, ବୈଠକରେ ଥିଲେ ୩ ଜଣ ଓଡ଼ିଆ

ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ବରରେ ରିଜର୍ଭ ବ୍ୟାଙ୍କର ୫୮୦ତମ କେନ୍ଦ୍ରୀୟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ଅର୍ଥନୀତିର ସାମ୍ପ୍ରତିକ ସ୍ଥିତି, ଦେଶ ଭିତରେ ଏବଂ ବାହ୍ୟ ଜଗତରୁ ରହିଥିବା ଆହ୍ବାନଗୁଡ଼ିକ ବିଷୟରେ ସମୀକ୍ଷା କରାଯାଇଛି। ଏହା ବ୍ୟତୀତ ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକରେ ରହିଥିବା ସମସ୍ୟା, ସମବାୟ ବ୍ୟାଙ୍କ ଓ ଏନ୍‌ବିଏଫ୍‌ସି ଲାଗି ପ୍ରବର୍ତ୍ତନ ନୀତି ଓ ଫ୍ରେମ୍‌ୱର୍କକୁ ସଂପ୍ରସ‌ାରିତ କରିବା ବି‌ଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଅବସରରେ ଭାରତରେ ବ୍ୟାଙ୍କିଙ୍ଗର ଧାରା ଓ ପ୍ରଗତି ଉପରେ ପ୍ରସ୍ତୁତ ୨୦୧୮-୧୯ ରିପୋର୍ଟ ଉପରେ ମଧ୍ୟ ଆଲୋଚନା କରାଯାଇଛି। ନୀତି ଏବଂ ପରିଚାଳନାକୁ ନେଇ ରହିଥିବା ସମସ୍ୟା ବିଷୟରେ ମଧ୍ୟ ବୋର୍ଡର ସଦସ୍ୟମା‌ନେ ଆଲୋଚନା କରିଛନ୍ତି।

ବୈଠକରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଏନ ଏସ୍‌ ବିଶ୍ବନାଥନ, ବି ପି କାନୁନ୍‌ଗୋ, ମହେଶ କୁମାର ଜୈନ ଯୋଗ ଦେଇଥିଲେ। ସେମାନଙ୍କ ବ୍ୟତୀତ ବୋର୍ଡର ଅନ୍ୟ ସଦସ୍ୟ ଯଥା ଏନ୍ ଚନ୍ଦ୍ରଶେଖରନ୍, ଭାରତ ଦୋଷି, ସୁଧୀର ମଙ୍କଡ, ମନିଷ ସଭରୱାଲ, ଡକ୍ଟର ଅଶୋକ ଗୁଲାଟି, ଡକ୍ଟର ପ୍ରସନ୍ନ କୁମାର ମହାନ୍ତି, ସତୀଶ ମରାଠେ, ସ୍ବାମିନାଥନ ଗୁରୁମୂର୍ତି ଓ ରେବତୀ ଆୟାର ମଧ୍ୟ ଉପସ୍ଥିତ ଥିଲେ। ସରକାରଙ୍କ ତରଫରୁ ଅର୍ଥ ସଚିବ ରାଜୀବ କୁମାର ବୈଠକରେ ପ୍ରତିନିଧିତ୍ବ କରିଛନ୍ତି। ଆଜିର ବୋର୍ଡ ବୈଠକରେ ତିନି ଜଣ ଓଡ଼ିଆ ଉପସ୍ଥିତ ଥିଲେ। ଶେଷ ଥର ଲାଗି ୨୦୧୨‌ରେ ଭୁବନେଶ୍ବରରେ ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷର ବୈଠକରେ ଯୋଗ ଦେବା ଲାଗି ଗତକାଲି ଠାରୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଦାସ ଭୁବନେଶ୍ବରରେ ପହଞ୍ଚିଥିଲେ। ସେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ତାହା ଏକ ‌ସୌଜନ୍ୟମୂଳକ ସାକ୍ଷାତ ଥିଲା। ତାଙ୍କ ବ୍ୟତୀତ ଟାଟା ସନ୍ସର ଅଧ୍ୟକ୍ଷ ତଥା ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡର ସଦସ୍ୟ ଏନ୍ ଚନ୍ଦ୍ରଶେଖରନ୍‌ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର