ଜେଏସ୍‌ଡବ୍‌ଲ୍ୟୁ ହାତକୁ ଗଲା ଭୂଷଣ ପାୱାର ଆଣ୍ଡ୍‌ ଷ୍ଟିଲ୍‌

ଆମେ ଏବେ ଓଡ଼ିଶାରେ: ସଜ୍ଜନ

ନୂଆଦିଲ୍ଲୀ : ସମ୍ବଲପୁର ଜିଲ୍ଲାରେ ଥିବା ସମନ୍ବିତ ଇସ୍ପାତ କାରଖାନା ଭୂଷଣ ପାୱାର୍ ଆଣ୍ଡ ଷ୍ଟିଲ୍‌ (ବିପିଏସଏଲ୍‌) କୁ ସଜ୍ଜନ ଜିନ୍ଦଲଙ୍କ ଜେଏସ୍‌ଡବ୍‌ଲ୍ୟୁ ଷ୍ଟିଲ୍‌ ଅଧିଗ୍ରହଣ କରିଛି। ଭୂଷଣ ପାୱାର ଆଣ୍ଡ୍‌ ଷ୍ଟିଲ୍‌କୁ ପୂର୍ବରୁ ଋଣ ଦେଇଥିବା ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଦେବାଳିଆ ଆଇନ ପ୍ରକ୍ରିୟାରେ ୧୯,୩୫୦ କୋଟି ଟଙ୍କା ପ୍ରଦାନ କରିବା ପରେ ସଜ୍ଜନଙ୍କ କମ୍ପାନି ଜେଏସ୍‌ଡବ୍‌ଲ୍ୟୁ ଷ୍ଟିଲ୍‌କୁ ଏହି ସଫଳତା ମିଳିଛି। ଭୂଷଣଠାରୁ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ମୋଟ ୪୭,୧୫୭.୯୯ କୋଟି ଟଙ୍କା ପାଇବାର ଥିଲା। କିନ୍ତୁ ୧୯,୩୫୦ କୋଟି ଟଙ୍କା ମିଳିବା ଦ୍ବାରା ସେମାନଙ୍କୁ ମୋଟ ରାଶିର ପ୍ରାୟ ୪୧ ପ୍ରତିଶତ ଅର୍ଥ ମିଳିଛି। ଜେଏସ୍‌ଡବ୍‌ଲ୍ୟୁ ଷ୍ଟିଲ୍‌ ଷ୍ଟକ୍ ଏକ୍ସଚେଞ୍ଜକୁ ‌ଏହି ଅର୍ଥ ପ୍ରଦାନ ସଂପର୍କରେ ଆଜି ସୂଚନା ଦେଇଛି।

ସେହିଭଳି ବିପିଏସ୍‌ଏଲ୍‌ର କର୍ମଚାରୀମାନଙ୍କୁ ଜେଏସ୍‌ଡବ୍‌ଲ୍ୟୁ ଗ୍ରୁପ୍‌ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଏକ ଚିଠି ଲେଖିଛନ୍ତି। ଜେଏସ୍‌ଡବ୍‌ଲ୍ୟୁ ଷ୍ଟିଲ୍‌ ଇତିହାସରେ ଏହା ସର୍ବବୃହତ୍ ଅଧିଗ୍ରହଣ ବୋଲି ସେ କହିଛନ୍ତି। ଏହି ଅଧିଗ୍ରହଣକୁ ନେଇ ସେ ଅତ୍ୟନ୍ତ ଗର୍ବିତ। ଏହି ଅଧିଗ୍ରହଣ ଫଳରେ ପୂର୍ବ ଭାରତ-ଓଡ଼ିଶାରେ ଆମେ ପ୍ରବେଶ କରିଛୁ ଏବଂ ଏବେ ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ହୋଇଛୁ। ଜେଏସ୍‌ଡବ୍‌ଲ୍ୟୁ ଗ୍ରୁପ୍ ପକ୍ଷରୁ ସଜ୍ଜନ ତାଙ୍କ କମ୍ପାନି ପରିବାରକୁ ବିପିଏସ୍‌ଏଲ୍‌ର କର୍ମଚାରୀମାନଙ୍କୁ ସ୍ବାଗତ କରି ଏକ ଟ୍ବିଟ୍ କରିଛନ୍ତି। ସମ୍ବଲପୁରର ବିପିଏସ୍‌ଏଲ୍‌ ପ୍ଲାଣ୍ଟର ବାର୍ଷିକ ୨.୫ ନିୟୁତ ଟନ୍ ବିଶିଷ୍ଟ ଇସ୍ପାତ କାରଖାନା ରହିଛି। ଏହି ଅଧିଗ୍ରହଣ ଫଳରେ ଜେଏସଡବ୍‌ଲ୍ୟୁ ଷ୍ଟିଲ୍‌ ଦେଶର ସବୁଠୁ ବଡ଼ ଇସ୍ପାତ ଉତ୍ପାଦନ ନିର୍ମାତାରେ ପରିଣତ ହୋଇଛି। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୨୦.୫ ନିୟୁତ ଟନରେ ପହଞ୍ଚିଛି। କମ୍ପାନି ଏହାର ଇସ୍ପାତ ଉତ୍ପାଦନ କ୍ଷମତାକୁ ଆସନ୍ତା ୨୦୩୦ ମସିହା ସୁଦ୍ଧା ୪୫ ନିୟୁତ ଟନକୁ ବୃଦ୍ଧି ଯୋଜନା ରହିଛି। ଏସବୁ ଅଧିଗ୍ରହଣ ଫଳରେ ୨୦୩୦ ମସିହା ପୂର୍ବରୁ କମ୍ପାନି ଏହି ଲକ୍ଷ୍ୟ ହାସଲ କରିପାରିବ ବୋଲି ଆଶା ରଖିଛି।

ସମ୍ବନ୍ଧିତ ଖବର