ନୂଆଦିଲ୍ଲୀ: ଭୂଷଣ ଷ୍ଟିଲ୍‌ ଆଣ୍ଡ ପାୱାର ଲିମିଟେଡ୍‌ (ବିଏସ୍‌ପିଏଲ୍‌)ର ୪୦୨୫ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ହସ୍ତାନ୍ତର କରାଯାଇଛି। ଭୂଷଣ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଓ ଏହାର ପ୍ରତିଷ୍ଠାତାଙ୍କ ବିରୋଧରେ ଆସିଥିବା ଋଣ ଠକେଇ ମାମଲାର ତଦନ୍ତ ବେଳେ ଇଡି ଏହି ସମ୍ପତ୍ତିଗୁଡ଼ିକୁ ଜବତ କରିଥିଲା। ଜଷ୍ଟିସ୍‌ ବେଲା ତ୍ରିବେଦୀ ମାମଲାର ଶୁଣାଣି କରି ଜେଏସ୍‌ଡବ୍ଲୁ ଷ୍ଟିଲ୍‌କୁ ସମ୍ପତ୍ତି ହସ୍ତାନ୍ତର କରିବାକୁ ଇଡିକୁ କହିଛନ୍ତି। 
୨୦୧୯ରେ ମନି ଲଣ୍ଡରିଂ ନିରୋଧୀ ନିୟମ ଅଧୀନରେ ଭୂଷଣ ଷ୍ଟିଲ୍‌ ଆଣ୍ଡ ପାୱାର ସମ୍ପତ୍ତି ଜବତ କରାଯାଇଥିଲା। ଏହି କମ୍ପାନିକୁ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ କିଣିବାର ଚାରି ବର୍ଷ ପରେ ସମ୍ପତ୍ତିଗୁଡ଼ିକୁ ଫେରାଇବା ଲାଗି ଇଡି ନିଷ୍ପତ୍ତି ନେଇଛି। ୨୦୨୦ରେ ଏହି ମାମଲାରେ ନ୍ୟାସନାଲ୍‌ କମ୍ପାନି ଲ’ ଆପିଲିଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) ରାୟ ଦେଇଥିଲେ ଯେ ଏକ କମ୍ପାନିର ପୁରୁଣା ପ୍ରତିଷ୍ଠାତାଙ୍କ ଅପକର୍ମ ଲାଗି ତାହାକୁ ଇନ୍‌ସଲ୍‌ଭେନ୍ସି ପ୍ରକ୍ରିୟାରେ ହାସଲ କରିଥିବା ସଂସ୍ଥାକୁ ଦାୟୀ କରାଯାଇପାରିବନାହିଁ। ଏନ୍‌ସିଏଲ୍‌ଏଟିର ସେହି ରାୟ ଉପରେ ରୋକ ଲଗାଇବା ଲାଗି ୨୦୨୦ରେ ସୁପ୍ରିମକୋର୍ଟରେ ଇଡି ଆବେଦନ କରିଥିଲା।

ଇଡିକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ
୪୦୨୫ କୋଟିର ସମ୍ପତ୍ତି ଜବତ କରିଥିଲା ଇଡି

Advertisment

ଇଡି ଅଭିଯୋଗ କରିଥିଲା ଯେ ରୋହ୍‌ନେ କୋଲ୍ କମ୍ପାନିରେ ଉଭୟ ଭୂଷଣ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଓ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ର ଯଥାକ୍ରମେ ୨୪.୦୯ ପ୍ରତିଶତ ଓ ୪୯ ପ୍ରତିଶତ ଅଂଶଧନ ରହିଛି। ତେଣୁ ଜେଏସ୍‌ଡବ୍ଲୁକୁ ଏହି ମାମଲାରେ ଏକ ସମ୍ପର୍କ ଥିବା ପକ୍ଷ କୁହାଯାଇପାରିବ। ତେଣୁ ଆଇବିସି ନିୟମର ଧାରା ୩୨ଏରେ ଥିବା ସୁରକ୍ଷା କମ୍ପାନି ଲାଗି ଉପଲବ୍ଧ ହେବ ନାହିଁ। ଭୂଷଣ ଷ୍ଟିଲ୍ ଆଣ୍ଡ୍‌ ପାୱାରକୁ କିଣିବା ବେଳେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଆର୍ଥିକ ସଂସ୍ଥାଗୁଡ଼ିକୁ ୧୯୩୫୦ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲା। ଯାହା ସେମାନେ ପାଇବାକୁ ଥିବା ଅର୍ଥରାଶିର ମାତ୍ର ୪୦ ପ୍ରତିଶତ ଥିଲା। ପରିଚାଳନା ଲାଗି ଋଣ ଦେଇଥିବା ସଂସ୍ଥାଗୁଡ଼ିକ ୭୩୩ କୋଟି ଟଙ୍କା ପାଇବାର ଥିବା ବେଳେ ତାଙ୍କୁ ୩୫୦ କୋଟି ଟଙ୍କା ଦେବାକୁ ଜେଏସ୍‌ଡବ୍ଲୁ ପ୍ରସ୍ତାବ ଦେଇଥିଲା। 

ଭୂଷଣ ଷ୍ଟିଲ୍‌ ଆଣ୍ଡ୍‌ ପାୱାରର ପୂର୍ବତନ ପ୍ରତିଷ୍ଠାତାଙ୍କ ବିରୋଧରେ ୪୦୨୫ କୋଟି ଟଙ୍କାର ଋଣ ଅର୍ଥ ଆତ୍ମସାତ୍‌ କରିଥିବା ଅଭିଯୋଗ ରହିଛି। ସେଥିରେ ଏକ ମନି ଲଣ୍ଡରିଂ ମାମଲା ରୁଜୁ କରି ଇଡି ପକ୍ଷରୁ ତଦନ୍ତ କରାଯିବା ସହ କମ୍ପାନିର ଥିବା ୪୦୨୫ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିଲା।