ଢେଙ୍କାନାଳରେ ଥିବା ଭୁଷଣ ଷ୍ଟିଲର ନାଁ ଏବେ ଟାଟା ବିଏସଏଲ ହେଲା

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡୁଳୀଠାରେ ଥିବା ଭୁଷଣ ଷ୍ଟିଲକୁ ଟାଟା ଷ୍ଟିଲ ଗତ ମେ ମାସରେ ଅଧିଗ୍ରହଣ କରିଥିଲା । ଏବେ ଟାଟା ପକ୍ଷରୁ ଏହି ପ୍ଲାଣ୍ଟର ନାଁ ପରିବର୍ତ୍ତନ କରାଯାଇ ଟାଟା ବିଏସଏଲ କରାଯାଇଛି । ଏ ସଂପର୍କରେ ଟାଟା ଷ୍ଟିଲ ପକ୍ଷରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ସୂଚୀତ କରାଯାଇଛି ଯେ ଗତ କାଲି ଏହି ନାମ ପରିବର୍ତ୍ତନକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ରେଜିଷ୍ଟ୍ରାର ଅଫ କମ୍ପାନିଜ ପକ୍ଷରୁ ଏଥିଲାଗି ଏକ ସାର୍ଟିଫିକେଟ ଅଫ ଇନକର୍ପୋରେସନ ଜାରି କରାଯାଇଛି । ଗତ ମେ ମାସରେ ଟାଟା ଷ୍ଟିଲର ଏକ ସବିସିଡାରୀ ବ୍ରାହ୍ମନିପାଲ ଷ୍ଟିଲ ଲିଃ  ଭୁଷଣ ଷ୍ଟିଲର ୭୨.୬୫ ପ୍ରତିଶତ ଅଂଶଧନ  ଅଧିଗ୍ରହଣ କରିଥିଲା । ଏହା ଥିଲା ଟାଟା ଗ୍ରୁପ୍‌ର ସର୍ବବୃହତ ଭାରତୀୟ ଅଧିଗ୍ରହଣ । ଏହି ଡିଲ୍‌ର ଆକାର ପ୍ରାୟ ୩୫ ହଜାର କୋଟି ହେବା ଅନୁମାନ କରାଯାଉଛି । ଏହା ପୂର୍ବରୁ ଇନ୍‌ସଲ୍‌ଭେନ୍‌ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ ୨୦୧୬(ଆଇବିସି)ର କର୍ପୋରେଟ୍‌ ଇନ୍‌ସଲ୍‌ଭେନ୍‌ସି ରିଜଲ୍ୟୁସନ୍‌ ପ୍ରୋସେସ୍‌ (ସିଆଇଆର୍‌ପି) ଅନୁସାରେ  ଭୁଷଣ ଷ୍ଟିଲର ନିୟନ୍ତ୍ରଣକାରୀ ଅଂଶଧନ ହାସଲ କରିବା ପାଇଁ ଟାଟାକୁ ସର୍ବୋଚ୍ଚ ମୂଲ୍ୟାଙ୍କିତ ଆଜ୍ଞାକାରୀ ରିଜଲ୍ୟୁସନ୍‌ ଆପ୍ଲିକାଣ୍ଟ (ସମାଧାନ ଆବେଦନକାରୀ) ଭାବେ ଭୁଷଣ ଷ୍ଟିଲର ବୋର୍ଡ ଚିହ୍ନଟ କରିଥିଲା ।

ସମ୍ବନ୍ଧିତ ଖବର