‘ଓଡ଼ିଆ ବୁଣାକାର ସମ୍ମିଳନୀ’ କରିବେ ବିଭୁ

ଭୁବନେଶ୍ବର: ଓଡ଼ିଶାର ବୁଣାକାରମାନେ ମୋତେ ପୁନର୍ଜୀବନ ଦେଇଛନ୍ତି। ପ୍ରକୃତରେ ସେମାନେ ସବୁକିଛି। ମୁଁ କିଛି ନୁହେଁ। ସେମାନେ ଶାଢ଼ି, କପଡ଼ା ଆଦି ବୁଣି ନଥିଲେ ମୁଁ ଆଜି ଏଭଳି ସଫଳତା ପାଇପାରି ନ ଥାନ୍ତି। ଏଭଳି କହିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଫ୍ୟାସନ ଡିଜାଇନର ବିଭୁ ମହାପାତ୍ର। ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୧୮’ର ଚତୁର୍ଥ ଦିନରେ ଶ୍ରୀ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଡ଼ିଶାର ବୁଣାକାରଙ୍କ ଉନ୍ନୟନ ନିମନ୍ତେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି। ବୁଣାକାରମାନଙ୍କ ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ଜରୁରୀ। ଆଗାମୀ ଦିନରେ ଓଡ଼ିଶାର ବୁଣାକାରଙ୍କୁ ନେଇ ସେ ଏକ ‘ବୁଣାକାର ସମ୍ମିଳନୀ’ ଏବଂ ‘ବୁଣାକାର ପ୍ରଦର୍ଶନୀ’ ଆୟୋଜନ କରିବେ ବୋଲି କହିଛନ୍ତି। ପ୍ରକୃତରେ ଗତକାଲିର ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମର ରୢମ୍ପ ଶୋ’ରେ ବୁଣାକାରମାନଙ୍କୁ ସାମିଲ୍‌ କରିବା ତାଙ୍କର ଲକ୍ଷ୍ୟ ଥିଲା। ମାତ୍ର ତାହା ହୋଇ ନ ପାରିବାରୁ ସେ ବ୍ୟଥିତ। ୭ ବର୍ଷ ତଳେ ମାତ୍ର ୩୫ ଡିଜାଇନ୍‌କୁ ନେଇ ତାଙ୍କର ପରିଧାନ ଯାତ୍ରା ଆରମ୍ଭ ହୋଇଥିଲା। ଏବେ ସେ ୨୦୦ରୁ ଊର୍ଦ୍ଧ୍ବ ଡିଜାଇନ୍‌ର ନିର୍ମାତା। ସମ୍ବଲପୁରୀ ଓ ଆଦିବାସୀ ପରିଧାନକୁ ବିଶ୍ବବଜାରରେ ଲୋକପ୍ରିୟ କରାଇବା ତାଙ୍କର ଆଗାମୀ ଯୋଜନା ରହିଛି। ପ୍ରକୃତରେ ଏଭଳି ପାରମ୍ପରିକ ‌କପଡ଼ା ବୁଣୁଥିବା ବୁଣାକାରମାନେ କିଭଳି ଅର୍ଥ ରୋଜଗାର କରିବେ ସେଥିନେଇ ତାଙ୍କର ଧ୍ୟାନ ରହିବ। ବୁଣାକାରଙ୍କ ସମସ୍ୟାଗୁଡ଼ିକର କାରଣ ଓ ନିରାକରଣ ନେଇ ଉପଯୁକ୍ତ ଅଧ୍ୟୟନ କରିବା ପରେ ଏ ସଂପର୍କରେ ସେ ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଭଳି ଏକ ବିଶ୍ବସ୍ତରୀୟ କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ୍‌ କରାଯାଇଥିବାରୁ ସେ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି। ବିଶେଷକରି ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ‘ଓଡ଼ିଶା ସ୍କିଲ୍‌ ଡେଭଲପମେଣ୍ଟ ଅଥରିଟି’ର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି, ଶିଳ୍ପ ସଚିବ ସଂଜୀବ ଚୋପ୍ରାଙ୍କ ନିକଟରେ ସେ ଋଣୀ ବୋଲି କହିଥିଲେ।

ସମ୍ବନ୍ଧିତ ଖବର