ଭୁବନେଶ୍ବର: ବ୍ୟାଙ୍କ ଓ ଆର୍ଥିକ ସେବା କ୍ଷେତ୍ରର ବଡ଼ ପଦରେ ଅବସ୍ଥାପିତ ହୋଇଥିବା ଓଡ଼ିଆଙ୍କ ତାଲିକା ଆହୁରି ଲମ୍ବା ହୋଇଛି। ରେଭେନ୍ସା କଲେଜ ଓ ବାଣୀବିହାରରେ ପାଠପଢ଼ିଥିବା ଓଡ଼ିଆ ବ୍ୟାଙ୍କ ଅଧିକାରୀ ବିଭୁ କିଶୋର ମହାପାତ୍ରଙ୍କୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି)ର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ୧୨୮ ବର୍ଷ ପୁରୁଣା ଏହି ବ୍ୟାଙ୍କର ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଇଡି। ଏବେ ସେ ମୁମ୍ବାଇରେ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଛନ୍ତି। ସରକାର ମୋଟ ୧୨ ଜଣ ଅଧିକାରୀଙ୍କୁ ବିଭିନ୍ନ ବ୍ୟାଙ୍କର ଇଡି ଭାବେ ନିଯୁକ୍ତି ଦେଇଥିବା ବେଳେ ସେଥିରେ ବିଭୁଙ୍କ ନାମ ରହିଛି।ଶନିବାର ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ସମସ୍ତଙ୍କ ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଛି।
‘ସମ୍ବାଦ’କୁ ଶ୍ରୀ ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ ତାଙ୍କ ଘର ହେଉଛି କଟକର ସେଲ୍ଟର ଛକ ନିକଟରେ। ପାଠପଢ଼ା ଶେଷ କରିବା ପରେ ୧୯୮୯ ନଭେମ୍ବରରେ ମ୍ୟାନେଜମେଣ୍ଟ୍ ଟ୍ରେନି ଭାବେ ସେ ଚାକିରି ଜୀବନ ଆରମ୍ଭ କରିଥିଲେ। ଦୀର୍ଘ ୩୩ ବର୍ଷର କ୍ୟାରିୟରରେ ସେ ଛତିଶଗଡ଼, ଦିଲ୍ଲୀ, ମୁମ୍ବାଇ, କୋଫଲକାତା, ଚେନ୍ନାଇ ଭଳି ବହୁ ସ୍ଥାନରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି। ସେ ହେଉଛନ୍ତି ସ୍ବର୍ଗତଃ ଯୁଗଳ କିଶୋର ମହାପାତ୍ର ଓ ବାସନ୍ତୀ ମହାପାତ୍ରଙ୍କ ସାନ ପୁଅ।