ମା’ଙ୍କ ଶାଢ଼ି କାଟି ଡ୍ରେସ୍‌ ଡିଜାଇନ୍ କରୁଥିଲି: ବିଭୁ

ଫେସନ ସୋ’ର ରୋମାଞ୍ଚ

ଭୁବନେଶ୍ବର: ବିଶିଷ୍ଟ ଫେସନ୍ ଡିଜାଇନ୍‌ ବିଭୁ ମହାପାତ୍ରଙ୍କ ପକ୍ଷରୁ ଆଜି ଫେସନ୍ ସୋ’ ଆୟୋଜନ କରାଯାଇଛି। ମଡେଲ୍‌ମାନେ ବିଭୁଙ୍କ ଦ୍ବାରା ଡିଜାଇନ୍ କରାଯାଇଥିବା ଅତ୍ୟାଧୁନିକ ପୋଷାକଗୁଡ଼ିକୁ ପିନ୍ଧି ରୢାମ୍ପ୍ ଚାଲିଥିଲେ। ‘ଫଲ୍ ୱିଣ୍ଟର୍‌ କଲେକ୍ସନ୍‌’କୁ ପ୍ରଦର୍ଶନ କରାଯାଇଥିଲା। ମଡେଲ୍‌ମାନେ ପିନ୍ଧି ଥିବା ପୋଷାକରେ ଓଡ଼ିଶାର ଛାପ ମଧ୍ୟ ବାରି ହୋଇପଡ଼ୁଥିଲା। ଗାଉନ୍‌ଠାରୁ ଆରମ୍ଭ କରି ଶାଢ଼ି ଭଳି ଡିଜାଇନ୍‌ର ବିଭିନ୍ନ ପୋଷାକ ‌ଦେଖିବାକୁ ମିଳିଛି। ରଙ୍ଗବେରଙ୍ଗ କପଡ଼ାକୁ ଅତି ସୁନ୍ଦର ଭାବେ ମିଶ୍ରଣ କରି ବିଭୁ ପୋଷାକଗୁଡ଼ିକୁ ପ୍ରସ୍ତୁତ କରିଛନ୍ତି। ରୢାମ୍ପ୍‌ ସୋ’କୁ ଦେଖି ଦର୍ଶକମାନେ ରୋମାଞ୍ଚିତ ହୋଇପଡ଼ିଥିଲେ। ଏଥିରେ ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ହୋଇଥିଲେ ସୋ’ ଷ୍ଟପର୍‌। ପାଖାପାଖି ୫୦ ମଡେଲ୍‌ ଏଥିରେ ଅଂଶଗ୍ରହଣ କରିଥିଲେ।

ମା’ ଘରେ ସିଲେଇ କାମ କରୁଥିଲେ। ତାଙ୍କୁ ଦେଖି ଦେଖି ସିଲେଇ କରିବାର ବହୁତ ଇଛା ହେଉଥିଲା। ମା’ଙ୍କ ଅଜାଣତରେ ଘରେ ଥିବା ଶାଢ଼ି କାଟି ଦେଉଥିଲି। ବେଡ୍‌ସିଟ୍‌କୁ ବି ଛାଡ଼ୁନଥିଲି। ଘର ଲୋକ ଜାଣିଲେ ପରିସ୍ଥିତି ଅସମ୍ଭାଳ ହେବ, ଏକଥା ଜାଣି ସୁଦ୍ଧା ମୁଁ ଶାଢ଼ି, ବେଡ୍‌ସିଟ୍‌ କାଟି ଦେଉଥିଲୁ। ସେହି କପଡ଼ାକୁ ନେଇ ରାତି ଅନିଦ୍ରା ହୋଇ ପୋଷାକ ଡିଜାଇନ୍ କରୁଥିଲି। ପୋଷାକ ଡିଜାଇନ୍‌ କରିବା ପାଇଁ ମନରେ ଥିବା ପାଗଳାମି ମୋତେ ସେହି କାମ କରିବାର ସାହସ ଦେଇଥିଲା। କିଛି ଦିନ ପରେ ସବୁ କଥା ଜଣାପଡ଼ିଗଲା। ମୋ ଭିତରେ ଥିବା ପ୍ରତିଭାକୁ ବୋଧହୁଏ ଘର ଲୋକ ବୁଝିପାରିଥି‌େଲ। ଆମର ଜଣେ ସମ୍ପକୀୟଙ୍କ ବିବାହ ଉତ୍ସବ ହେବାର ଥିଲା। ସେହି ଉତ୍ସବ ପାଇଁ ମୋ ଭଉଣୀ ଲୋପା ନିମନ୍ତେ ମୁଁ ମୋର ପ୍ରଥମ ପୋଷାକ ଡିଜାଇନ୍ କରିଥିଲି। ଆଉ ସେହି ପୋଷାକ ପିନ୍ଧି ଲୋପା ବହୁତ ଖୁସି ହୋଇଯାଇଥିଲା। ଏହି ଭଳି ଭାବେ ପୋଷାକ ଡିଜାଇନ୍ କରିବାର ଯାତ୍ରା ଆରମ୍ଭ କରିଥିଲେ ବିଶ୍ବ ପ୍ରସିଦ୍ଧ ‌ଫେସନ୍ ଡିଜାଇନର୍‌ ବିଭୁ ମହାପାତ୍ର।
ସେ କହିଛନ୍ତି ଯେ ଘରେ ଥିବା ବେଳେ ରାତି ଅନିଦ୍ରା ହୋଇ ଭଉଣୀ ପାଇଁ ପୋଷାକ ଡିଜାଇନ୍ କରେ। ଏସବୁ ଭିତରେ ଅର୍ଥନୀତି ପଢ଼ିବାକୁ ଭାରି ଇଛା ଥିଲା ଓ ଆମେରିକା ଯିବାକୁ ଚାହୁଁଥିଲି। ସେଥିପାଇଁ ରାଉରକେଲାରୁ କୋଲକାତା ଚାଲିଆସିଲି। ସେଠାରେ ଉତ୍କଳ ଭବନରେ ରହିଲି ଓ ପରେ ସଲ୍‌ଟ ଲେକ୍ ଚାଲିଯାଇଥିଲି। ସେଠାରେ ରହଣୀ ସମୟରେ ପ୍ରଫେସର ସବିତା ମୋତେ ବହୁତ ସାହାଯ୍ୟ କରିଥିଲେ। ଆମେରିକା ଯିବା ପାଇଁ ମୋର ଥିବା ସ୍ବପ୍ନକୁ ସେ ଜାଣିପାରିଥିଲେ ଓ ମୋତେ ସେଥିପାଇଁ ସେ ଉତ୍ସାହିତ ମଧ୍ୟ କରିଥିଲେ। ମୁଁ ଆମେରିକା ଚାଲିଆସିଲି। ପାଠପଢ଼ା ନିମନ୍ତେ ପ୍ରଥମ ସେମିଷ୍ଟର୍‌ ପାଇଁ ମୋତେ ୪୦୦୦ ଡଲାର ଦିଆଯାଇଥିଲା। ସେଠାରେ ରହିବାକୁ ହେଲେ ପାର୍ଟଟାଇମ୍ କାମ କରିବା ନିହାତି ଦରକାର ବୋଲି ମୁଁ ଜାରିଗଲିୁ। ମୁଁ ପାଠ ପଢ଼ୁଥିବା ବିଶ୍ବବିଦ୍ୟାଳୟ ପରିସରରେ ଏକ ହୋଟେଲ୍ ଥିଲା। ମୋତେ ସେଠାରେ କାମ ମିଳିଗଲା। ପାଇଖାନା ସଫା କରିବା ଓ କୋଠାର ପାଞ୍ଚଟି ମହଲାର ଭାକ୍ୟୁମ୍ କ୍ଲିନିଂ କରିବାକୁ ପଡ଼ୁଥିଲା। ଥରେ ପାଇଖାନା ସଫା କରିବା ‌ବେଳେ ମୁଁ ଅଣନିଶ୍ବାସୀ ହୋଇପଡ଼ିଥିଲି ବୋଲି ବିଭୁ କହିଛନ୍ତି।
ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ବେଳେ ମୁଁ ସ୍କେଚ୍‌ ସବୁ ପ୍ରସ୍ତୁତ କରୁଥାଏ। ଥରେ ଆମର ପ୍ରଫେସର ଜାନେଟ୍‌ ତାହାକୁ ଦେଖିଲେ ଓ ସେଥିରେ ଅତ୍ୟନ୍ତ ପ୍ରଭାବିତ ହୋଇଯାଇଥିଲେ। ନ୍ୟୁୟର୍କ ଯିବାକୁ ସେ‌ ମୋତେ ପରାମର୍ଶ ଦେଇଥିଲେ। ଏହା ପରେ ମୁଁ ନ୍ୟୁୟର୍କ ବିଶ୍ବବିଦ୍ୟାଳୟର ଫେସନ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍‌ନୋଲୋଜିରେ ନାମ ଲେଖାଇଥିଲି। ଖାଇବା ପିଇବା ପାଇଁ ଦିନକୁ ୭୫ ଟଙ୍କା ହିଁ ଖର୍ଚ କରିପାରୁଥିଲି। କିଛି ଦିନ ସଂଘର୍ଷ କରିବା ପରେ ନିଜର ଏକ ‘ସିଭି’ ପ୍ରସ୍ତୁତ କରିଥିଲି ଓ ସେଗୁଡ଼ିକୁ କେଲ୍‌ଭିନ୍ କ୍ଲେନ୍ ଭଳି ବଡ଼ ସଂସ୍ଥାଗୁଡ଼ିକୁ ପଠାଇବା ଆରମ୍ଭ କଲି। ଅନେକ ସଂସ୍ଥାକୁ ସିଭି ପଠାଇବା ପରେ ଦୁଇଟି ସଂସ୍ଥାରୁ ମୋତେ ଡାକରା ଆସିଲା। କ୍ଲେମାଣ୍ଡୋ ନାମକ ସଂସ୍ଥାରୁ କ୍ୟାରିୟର୍ ଆରମ୍ଭ କରିଥିଲି। ଏହା ପରେ ନିଜର ଏକ ଷ୍ଟୁଡିଓ ଖୋଲିଲି। ସେ ଦିଗରେ ମୋ ସହଯୋଗୀ ରବର୍ଟ ମୋତେ ବହୁତ ସାହାଯ୍ୟ କରିଥିଲେ। ଦି‌େନ ଷ୍ଟୁଡିଓରେ ବସି କାମ କରୁଥିବା ବେଳେ ମୋ ପାଖକୁ ଏକ ଫୋନ୍ କଲ୍ ଆସିଲା। ସେହି ଫୋନ୍‌ଟି ଆମେରିକାର ରାଷ୍ଟ୍ରପତିଙ୍କ ଏୟାରଫୋର୍ସ‌ ୱାନ୍‌ ବିମାନରୁ ଆସିଥିଲା। ମୁଁ ଫୋନ୍ ଉଠାଇବା ପରେ ସେପଟରୁ ଜଣେ ବ୍ୟକ୍ତି ମୋତେ ପଚାରିଥିଲେ ‘ତୁମେ କ’ଣ ବିଭୁ ମହାପାତ୍ର’। ମୁଁ ହଁ ଭରିଲି। ଏହା ପରେ ସେ ଯାହା କହିଲେ ତାହା ଶୁଣି ମୁଁ ଖୁସିରେ ଆତ୍ମହରା ହୋଇପଡ଼ିଲି। ମୁଁ ନିଜକୁ ବିଶ୍ବାସ କରିପାରିଲିନି। ‌ସେ ମୋତେ କହିଲେ ଯେ, ମୁଁ ଏୟାରଫୋର୍ସ‌୍ ୱାନ୍‌ରୁ ଫୋନ୍ କରୁଛି। ‌ମାଡାମ୍ ଚାହୁଁଛନ୍ତି ଆପଣ ତାଙ୍କ ପୋଷାକ ଡିଜାଇନ୍ କରନ୍ତୁ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ପତ୍ନୀ ମିଶେଲ ଓବାମା ସେହି ଅନୁରୋଧ କରିଥିଲେ ବୋଲି ବିଭୁ କହିଛନ୍ତି। ଏହା ପରେ ସେ ଆଉ ପଛକୁ ଫେରି ନାହାନ୍ତି। ବିଶ୍ବର ଅନେକ ସେଲିବ୍ରିଟିଙ୍କ ପାଇଁ ସେ ପୋଷାକ ଡିଜାଇନ୍ କରିଛନ୍ତି ଓ ନିଜକୁ ଏକ ବ୍ରାଣ୍ଡ୍‌ରେ ପରିଣତ କରିପାରିଛନ୍ତି।
ନୁ୍ୟର୍କ ଭଳି ଚାକଚକ୍ୟ ଭରା ସହରରେ ରହୁଥିଲେ ମଧ୍ୟ ଅକ୍ଷୟ ମହାନ୍ତିଙ୍କ ଗୀତ, ଗୋପୀନାଥ ମହାନ୍ତି ଲେଖା, ସଂଯୁକ୍ତା ପାଣିଗ୍ରାହୀ ଓ କେଳୁ ଚରଣ ମହାପାତ୍ରଙ୍କ ନୃତ୍ୟକୁ ଭୁଲି ନାହାନ୍ତି ବିଭୁ। ନିଭୃତ ସମୟରେ ତାଙ୍କର ମନେ ପଡ଼ିଯାଏ ରାଉରକେଲା ଓ ଓଡ଼ିଶାର ସାଙ୍ଗସାଥୀଙ୍କ କଥା। ଓଡ଼ିଶାକୁ ସେ ନିଜର ‘ଲଞ୍ଚ୍‌ ପ୍ୟାଡ୍‌’ ବୋଲି କହିଛନ୍ତି।
ଆଜି ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ଓଡ଼ିଶା ଦକ୍ଷତା ବିକାଶ କତୃର୍ପକ୍ଷ ମୁଖ୍ୟ ସୁବ୍ରୋତ ବାଗ୍‌ଚିଙ୍କ ସହିତ ବାର୍ତାଳାପ ସମୟରେ ବିଭୁ ନିଜର ଜୀବନ କାହାଣୀକୁ ଏହିଭଳି ଭାବେ ବର୍ଣ୍ଣନା କରିଛନ୍ତି। ଆଜିର ଯୁବ ଉଦ୍ୟୋଗୀମାନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ, ବ୍ୟବସାୟରେ କ୍ରିଏଟିଭିଟି (ଅଭିନବ ଚିନ୍ତାଧାରା) ଓ ବାଣିଜ୍ୟ ଏବଂ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ। କଠିନ ପରିଶ୍ରମ କରିବାକୁ ହେବ ଓ ଲୋକମାନଙ୍କୁ ବହୁତ ଭଲ ବ୍ୟବହାର ଦେଖାଇବାକୁ ପଡ଼ିବ। ଏହା ହେଲେ ହିଁ ଲୋକମାନେ ତୁମକୁ ମନେ ରଖିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର