ଭୁବନେଶ୍ବର : ଆୟକର କର୍ମଚାରୀ ମହାସଂଘ (ଆଇଟିଇଏଫ୍‌), ଓଡ଼ିଶା ସର୍କଲ୍‌ର ୨୬ତମ ଦ୍ବିବାର୍ଷିକ ସମ୍ମିଳନୀ ଶୁକ୍ରବାରଠାରୁ ହୋଟେଲ୍‌ ସାଣ୍ଡିଜ୍‌ ଟାୱାରରେ ଆରମ୍ଭ ହୋଇଛି। ଏହି ଦୁଇ ଦିନିଆ ସମ୍ମିଳନୀକୁ ପ୍ରଧାନ ଆୟକର ଆୟୁକ୍ତ ସସ୍ମିତା ମିଶ୍ର ଉଦ୍‌ଘାଟନ କରିଛନ୍ତି। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭାଗ ପାଇଁ କାର୍ଯ୍ୟ କରୁଥିବା ୨୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଆୟକର ଆୟୁକ୍ତ ( ପ୍ରଶାସନ ଓ ଟିକସଦାତା ସେବା) ଫଗୁ ଓରାମ୍, ଆୟକର ଆୟୁକ୍ତ(ଅପିଲ୍‌) ସରୋଜ କୁମାର ମହାପାତ୍ର, ଆୟକର ଗେଜେଟେଡ୍‌ ଅଫିସର ସଂଘ (ଆଇଟିଜିଓଏ) ଓଡ଼ିଶା ୟୁନିଟ୍‌ର ସଭାପତି ଚନ୍ଦନ କୁମାର ଘଡ଼େଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜସ୍ବ ସଂଗ୍ରହ ବଢ଼ାଇବାରେ କର୍ମଚାରୀମାନେ କରୁଥିବା କାର୍ଯ୍ୟ, ତ୍ୟାଗ ଓ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିବା ସହିତ ସେମାନଙ୍କ ସ୍ବାର୍ଥ ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ।

Advertisment

ଅପରାହ୍ନରେ ଅନୁଷ୍ଠିତ ଅଧିବେଶନରେ ବିଭାଗର କର୍ମଚାରୀମାନଙ୍କ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହୋଇଛି। ଆସନ୍ତା ଦୁଇ ବର୍ଷ ପାଇଁ ଆଇଟିଇଏଫ୍‌ର କର୍ମକର୍ତ୍ତା ଚୟନ କରିବା ଲାଗି ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ନୂତନ ପେନ୍‌ସନ୍ ସ୍କିମ୍ ସଂକ୍ରାନ୍ତରେ ମଧ୍ୟ ଗଭୀର ମାନସମନ୍ଥନ ହୋଇଛି। ଏହି ଆଲୋଚନାରେ ଆଇଟିଜିଓଏର ସର୍ବଭାରତୀୟ ସାଧାରଣ ସମ୍ପାଦକ ଭାସ୍କର ଭଟ୍ଟାଚାର୍ଯ୍ୟ ଓ ସଭାପତି ଅରବିନ୍ଦ ତ୍ରିବେଦୀ ଏବଂ ଆଇଟିଇଏଫ୍‌ (କେନ୍ଦ୍ରୀୟ ମୁଖ୍ୟାଳୟ)ର ସର୍ବଭାରତୀୟ ସାଧାରଣ ସମ୍ପାଦକ ରୂପକ ସରକାର ଓ କାର୍ଯ୍ୟକାରୀ ସଭାପତି ଅଜୟ ତିୱାରୀ ଅଂଶଗ୍ରହଣ କରିଥିଲେ।

ଆସନ୍ତାକାଲି ସମ୍ମିଳନୀର ଦ୍ବିତୀୟ ଦିବସରେ ଏକ ଖୋଲା ଅଧିବେଶନ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ଯେଉଁଥିରେ ଆୟକର ବିଭାଗର ସମସ୍ତ ଅଧିକାରୀ ଅଂଶଗ୍ରହଣ କରିବେ। ଓଡ଼ିଶା ଅଞ୍ଚଳର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ୱାଇ ରାଜେନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଆୟକର କମିସନ, ଭୁବନେଶ୍ବର-୧ ଧୀରେନ୍ଦ୍ର କୁମାର ମିଶ୍ର, ଆଇଟିଜିଓଏ ଓଡ଼ିଶାର ସାଧାରଣ ସମ୍ପାଦକ ଡି ପି ଆଚାର୍ଯ୍ୟ, ଆଇଆର୍‌ଏସ୍‌ ସଂଘ, ଓଡ଼ିଶାର ସାଧାରଣ ସମ୍ପାଦକ ସୁରେଶ ଶିବନନ୍ଦନ, ଆଇଟିଜିଓଏର ସଭାପତି ଅରଭିନ୍ ତ୍ରିବେଦୀ ଓ ଆଇଟିଇଏଫ୍‌, ନୂଆଦିଲ୍ଲୀର ମହାସଚିବ ରୂପକ ସରକାର ମଧ୍ୟ ବକ୍ତବ୍ୟ ରଖିବାର କାର୍ଯ୍ୟକ୍ରମ ରହିଛି।