ବିଗ୍ ବଜାର ଡିଲ୍‌ରେ ରୋକ ଲାଗିଲା, ମୁକେଶ ଅମ୍ବାନିଙ୍କୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରିଲାଏନ୍ସ ରିଟେଲ୍ ଓ ଫ୍ୟୁଚର୍‌ ରିଟେଲ୍ ମଧ୍ୟରେ ହୋଇଥିବା ଅଧିଗ୍ରହଣ ବୁଝାମଣା ଉପରେ ସୁପ୍ରିମ୍‌କୋର୍ଟ ରୋକ ଲଗାଇଛନ୍ତି। ଆମାଜନ୍ ଡଟ୍‌ କମ୍ ଓ ଅନ୍ୟ ତିନିଟି ଉତ୍ସରୁ ଦାୟର ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି ଯେ ନ୍ୟାସନାଲ୍ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଟି) ଏହି ଡିଲ୍‌କୁ ବିଭିନ୍ନ ଦିଗରୁ ଅନୁଶୀଳନ କରିପାରିବ, କିନ୍ତୁ କୌଣସି ଚୂଡ଼ାନ୍ତ ରାୟ ପ୍ରକାଶ କରିପାରିବ ନାହିଁ। କୋର୍ଟଙ୍କ ଏହି ନିର୍ଦେଶ ମୁକେଶଙ୍କ ପାଇଁ ବଡ଼ ଧକ୍କା ସାବ୍ୟସ୍ତ ହୋଇଛି। ଦେଶର ରିଟେଲ୍‌ ବଜାରର ସମ୍ରାଟ ଭାବେ ଉଭା ହେବା ଲାଗି ଅଭିଳାଷ ରଖିଥିବା ମୁକେଶଙ୍କ ସ୍ବପ୍ନ ଏହି ବୁଝାମଣା ଜରିଆରେ ପୂରଣ ହେବାର ଥିଲା। ମାତ୍ର ବିଶ୍ବର ସବୁଠୁ ବଡ଼ ଧନୀ ଜେଫ୍ ବେଜୋସ୍‌ ତାଙ୍କ ଏହି ସଫଳତା ପଥରେ କଣ୍ଟା ଭାବେ ଠିଆ ହୋଇଛନ୍ତି। ‌ଯେକୌଣସି ପ୍ରକାରରେ ଏହି ବୁଝାମଣାକୁ ଅଟକାଇବା ଲାଗି ତାଙ୍କ କଂପାନି ଆମାଜନ୍ ଉଦ୍ୟମ ଜାରି ରଖିଛି।

ଆଜି ବିଚାରପତି ଆର୍‌ ଏଫ୍ ନରିମାନ ଓ ବି ଆର୍‌ ଗଭାଇଙ୍କ ଖଣ୍ଡପୀଠ ଆମାଜନ ଆବେଦନର ଶୁଣାଣି କରି ଫ୍ୟୁଚର୍‌ ରିଟେଲ୍‌, ଏହାର ମୁଖ୍ୟ କିଶୋର ବିୟାନି ଓ ଅନ୍ୟମାନଙ୍କୁ ନୋଟିସ୍‌ ଜାରି କରିଛନ୍ତି। ତିନି ସପ୍ତାହ ଭିତରେ ଉତ୍ତର ରଖିବାକୁ ସେମାନଙ୍କୁ କୁହାଯାଇଛି। ମାମଲାର ପରବର୍ତୀ ଶୁଣାଣି ପାଞ୍ଚ ସପ୍ତାହ ପରେ ହେବ। ଆମାଜନ୍ ତରଫରୁ କୋର୍ଟଙ୍କୁ ଅବଗତ କରାଯାଇଛି ଯେ ଫ୍ୟୁଚର୍‌ ଗ୍ରୁପ୍ ସର୍ତ୍ତାବଳୀ ଉଲ୍ଲଂଘନ କରି ଏହାର ରିଟେଲ୍‌ କାରବାରକୁ ବଜାର ଅଗ୍ରଣୀ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌କୁ ବିକ୍ରି କରିବା ଲାଗି ବୁଝାମଣା କରିଛି।

ଭାରତୀୟ ଷ୍ଟକ ବଜାର ଏବଂ ଭାରତୀୟ ପ୍ରତିଯୋଗିତା ଆୟୋଗ ରିଲାଏନ୍ସ-ଫ୍ୟୁଚର୍‌ ବୁଝାମଣାକୁ ମଞ୍ଜୁରି ଦେଇଛନ୍ତି। ଏହାକୁ ଏବେ ଏନ୍‌ସିଏଲ୍‌ଟିର ମଞ୍ଜୁରି ମିଳିବା ବାକି ରହିଛି। ବିପୁଳ ପରିମାଣର ଋଣ ନେଇ ତାହାକୁ ଶୁଝିବା ଲାଗି ସଂଘର୍ଷ କରୁଥିବା କିଶୋର ବିୟାନି ଋଣ ବୋଝ ହାଲୁକା କରିବା ଲାଗି ନିଜ ସ୍ବପ୍ନର ରିଟେଲ୍ ସାମ୍ରାଜ୍ୟକୁ ମୁକେଶ ଅମ୍ବାନିଙ୍କ କଂପାନିକୁ ବିକିବା ଲାଗି ଗତବର୍ଷ ଅଗଷ୍ଟରେ ବୁଝାମଣା କରିଥିଲେ। ଏହି ବୁଝାମଣା ସମ୍ପୂର୍ଣ୍ଣ ହୋଇଥିଲେ ତାଙ୍କୁ ପ୍ରାୟ ୨୪ ହଜାର କୋଟି ଟଙ୍କା ମିଳିଥାନ୍ତା। କିନ୍ତୁ ଅତୀତରେ ଆମାଜନ ସହିତ ଏକ ଛୋଟ ବ୍ୟବସାୟ ବୁଝାମଣା କରିବା ବେଳେ ସେ ଏଭଳି ଏକ ସର୍ତ୍ତକୁ ଗ୍ରହଣ କରିଥିଲେ ଯାହା ଏବେ ତାଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ରିଲାଏନ୍ସ ସହ ବୁଝାମଣା ଘୋଷଣା ହେବା ପରେ ଆମାଜନ ତରଫରୁ ତାହାକୁ ସିଙ୍ଗାପୁର ଇଣ୍ଟରନ୍ୟାସନାଲ୍ ଆବ୍ରିଟ୍ରେସନ ସେଣ୍ଟର୍‌ରେ ଚ୍ୟାଲେଞ୍ଜ୍ କରାଯାଇଥିଲା। ଏହା ପରେ ହାଇକୋର୍ଟ ଏବଂ ଏବେ ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି ଆମାଜନ୍।

ସମ୍ବନ୍ଧିତ ଖବର