ବଡ଼ ପରିବାର ପାଇଁ ବଡ଼ କାର୍

ନୂଆଦିଲ୍ଲୀ : ବଡ଼ ପରିବାର ପାଇଁ କମ୍ପାନି ଗୁଡ଼ିକ ଚଳିତବର୍ଷ ଅଧିକ ଆସନ ଓ ସ୍ଥାନ ଥିବା ଗାଡ଼ି ଆଣିବା ଯୋଜନା ରଖିଛନ୍ତି। ଏଥିରେ ହୁଣ୍ଡାଇଠାରୁ ଆରମ୍ଭ କରି ମହିନ୍ଦ୍ରା, କିଆ ଭଳି କମ୍ପାନି ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ବଜାରରେ ୭ ଆସନ ବିଶିଷ୍ଟ କେତୋଟି ଏସୟୁଭି ଏବଂ ଏମ୍‌ପିଭି ଉନ୍ମୋଚନ ହେବ। ଏଗୁଡ଼ିକ ଅଧିକ ସଦସ୍ୟ ବିଶିଷ୍ଟ ପରିବାରରେ ଆଦୃତି ଲାଭ କରିବ ବୋଲି ଆଶା ରହିଛି।
ହୁଣ୍ଡାଇ ଆଲକାଜର
ହୁଣ୍ଡାଇ ପକ୍ଷରୁ ୭ ସିଟ୍ ବିଶିଷ୍ଟ ଆଲକାଜର ଏସୟୁଭି ବଜାରରେ ଚଳିତବର୍ଷ ଉପଲବ୍ଧ କରାଯିବ। ୨୦୨୧ର ଦ୍ବିତୀୟ ତ୍ରୟମାସ ଅର୍ଥାତ୍ ଜୁନ୍ ସୁଦ୍ଧା ଆସିବା ସମ୍ଭାବନା ରହିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ପାଖାପାଖି ୧୧ ଲକ୍ଷ ୫୦ ହଜାର ଟଙ୍କାରୁ ଆରମ୍ଭ ହୋଇପାରେ। ଏଥିରେ ୬ ସିଟ୍‌ ବିଶିଷ୍ଟ ଭର୍ସନ ମଧ୍ୟ ରହିବ ବୋଲି କୁହାଯାଉଛି।
ନେକ୍ସଟ ଜେନେରେସନ୍ ମହିନ୍ଦ୍ରା ଏକ୍ସୟୁଭି ୫୦୦
ମହିନ୍ଦ୍ରା ଏବେ ଏକ୍ସୟୁଭି ୫୦୦ର ନେକ୍ସଟ୍ ଜେନେରେସନ ମଡେଲ ବଜାରକୁ ଆଣିବା ଲାଗି ଯୋଜନା ଚଳାଇଛି। ଟେଷ୍ଟିଂ ସମୟରେ ଏହି ଗାଡ଼ିକୁ ରାସ୍ତାରେ ‌ଅନେକ ଥର ଦେଖିବାକୁ ମଧ୍ୟ ମିଳିଛି। ୨୦୨୧ର ଦ୍ବିତୀୟ ତ୍ରୟମାସରେ ଏହି ଗାଡ଼ିର ଉନ୍ମୋଚନ ହୋଇପାରେ। ଏଥିସହିତ ନୂଆ ପିଢ଼ିର ସ୍କର୍ପି‌ଓ ମଧ୍ୟ ପାଇପଲାଇନରେ ରହିଛି।
କିଆର ନୂଆ ଏମ୍‌ପିଭି
କିଆ ମୋଟର୍ସ ପକ୍ଷରୁ ଭାରତୀୟ ବଜାରରେ ନୂଆ ମିଡ୍‌ସାଇଜ୍ ଏମପିଭି ଆଣିବା ଉପରେ ‌ଯୋଜନା ରଖିଛି। ଏଥିରେ ୭ଟି ସିଟ୍ ରହିବ। ଚଳିତବର୍ଷ ଶେଷ ସୁଦ୍ଧା ଏହି ଗାଡ଼ି ବଜାରକୁ ଆସିପାରେ। ଏଥିସହିତ ଅନ୍ୟ କମ୍ପାନି ମଧ୍ୟ ବଜାରକୁ ନୂଆ ଗାଡ଼ି ଆଣିବା ଯୋଜନା ରଖିଛନ୍ତି।

ସମ୍ବନ୍ଧିତ ଖବର