ନୂଆଦିଲ୍ଲୀ: ସତୁରି ଦଶକରେ ଟିକସ ବ୍ୟବସ୍ଥାର ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣର ସୁଯୋଗ ସୃଷ୍ଟି ହୋଇଥିଲା। ସେହି ସମୟରେ ଅର୍ଥମନ୍ତ୍ରୀ ଥିବା ଚରଣ ସିଂହଙ୍କ ପାଖକୁ ‌ଏ ସମ୍ପର୍କିତ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। କିନ୍ତୁ ପ୍ରସ୍ତାବକୁ ସେ ଖାରଜ କରିଦେଇଥିଲେ। ମ୍ୟାନେଜମେଣ୍ଟ୍‌ ରଣନୀତି ପ୍ରସ୍ତୁତକାରୀ ତଥା ଗବେଷକ ଶଶାଙ୍କ ଶାହ ନିଜ ପୁସ୍ତକରେ ଏହି ଦାବି କରିଛନ୍ତି। ସେ ଲେଖିଛନ୍ତି ଯେ, ୧୯୬୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀଙ୍କ ଦ୍ବାରା ବ୍ୟାଙ୍କଗୁଡ଼ିକର ଜାତୀୟକରଣ କରାଯାଇଥିଲା। ଏହା ପରେ ବ୍ୟାଙ୍କଗୁଡ଼ିକର ବ୍ୟବସାୟ ବହୁତ କମିଯାଇଥିଲା। ଭାରତରେ କମ୍ପ୍ୟୁଟର ବ୍ୟବହାର କରିବାକୁ କେନ୍ଦ୍ର ସରକାର ଚାହୁଁନଥିଲେ। ସେଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସେତେବେଳେ ଏହା ବିଚାର କରାଯାଉଥିଲା ଯେ କମ୍ପ୍ୟୁଟରୀକରଣ ହେଲେ ଅନେକ ଲୋକ ବେରୋଜଗାର ହୋଇଯିବେ ଓ ଦେଶରେ ବେକାରୀ ସମସ୍ୟା ବଢ଼ିଯିବ।୧୯୭୭ ମସିହା‌ରେ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ପକ୍ଷରୁ ଆୟକର ବିଭାଗ ପାଇଁ ପର୍ମାନେଣ୍ଟ୍‌ ଆକାଉଣ୍ଟ୍‌ ନମ୍ବର (ପାନ୍‌) ବିକାଇତ କରାଯାଇଥିଲା। ଏହି ସଫଳତାରେ କଂପାନି ବହୁତ ଖୁସି ହୋଇଯାଇଥିଲା। ତେଣୁ ଅର୍ଥ ବିଭାଗର ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ କରିବାକୁ କଂପାନି ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ସେହି ସମୟ‌ର ଅର୍ଥମନ୍ତ୍ରୀ ଚରଣ ସିଂହ ଉକ୍ତ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କମ୍ପ୍ୟୁଟରୀକରଣ ହେଲେ ଲୋକମାନେ ବେରୋଜଗାର ହୋଇଯିବେ ବୋଲି ସେ ଭାବୁଥିଲେ ବୋଲି ଶାହ ନିଜ ପୁସ୍ତକରେ ଲେଖିଛନ୍ତି। ଯଦି ସେହି ସମୟରେ ପାନ୍‌କୁ ଅନୁମତି ମିଳିଥାନ୍ତା ତେବେ ଟିକସ ବ୍ୟବସ୍ଥାର ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଭାରତ ‌ଅନେକ ବିକଶିତ ଦେଶକୁ ପଛରେ ପକାଇଦେଇଥାନ୍ତା।

Advertisment

ଶ୍ରୀ ଶାହ ଟାଟା ଗ୍ରୁପ୍ ବିଷୟରେ ଲେଖିଥିବା ପୁସ୍ତକ ‘ଦି ଟାଟା ଗ୍ରୁପ୍: ଫ୍ରମ୍ ଟର୍ଚବିଅରରର୍ସ ଟୁ ଟ୍ରେଲ୍‌ବ୍ଲେଜର୍ସ’ରେ ଏସବୁ କଥା ଲେଖିଛନ୍ତି। ଟାଟା ଗ୍ରୁପ୍ ସହିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାତ୍ମା ଗାନ୍ଧୀଙ୍କ ଥିବା ସମ୍ପର୍କ ବିଷୟରେ ମଧ୍ୟ ସେ ଏହି ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ୧୯୨୦ରୁ ୧୯୨୪ ଭିତରେ ଟାଟାର ଜାମସେଦପୁର କାରଖାନାରେ ତିନି ଥର ଶ୍ରମିକ ଧର୍ମଘଟ ହୋଇଥିଲା। ଶ୍ରମିକମାନଙ୍କୁ ବୁଝାଇବା ପାଇଁ ମହାତ୍ମା ଗାନ୍ଧୀ ଓ ଦେଶବନ୍ଧୁ ଚିତ୍ତରଂଜନ ଦାସ ଜାମସେଦପୁର ଆସିଥିଲେ ବୋଲି ସେ ପୁସ୍ତକରେ ଲେଖିଛନ୍ତି। ସୁଭାଷ ବୋଷ ଶ୍ରମିକମାନଙ୍କୁ ସମର୍ଥନ କରୁଥିଲେ। ସେମାନଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲେ। ତାଙ୍କୁ ଜାମସେଦପୁର ଶ୍ରମିକ ସଂଘର ନେତା ମଧ୍ୟ ନିର୍ବାଚିତ କରାଯାଇଥିଲା ବୋଲି ଶାହ ଲେଖିଛନ୍ତି।