ଟିକସ ବ୍ୟବସ୍ଥାରେ ବଡ ସଂସ୍କରଣ: କିଏ ଯାଞ୍ଚ କରିବ, କାହାର ଯାଞ୍ଚ ହେବ କେହି ଜାଣିପାରିବେନି

ଟିକସ ବ୍ୟବସ୍ଥା ସାକ୍ଷାତମୁକ୍ତ, ଯନ୍ତ୍ରଣାମୁକ୍ତ ହେବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାରଦର୍ଶୀ ଟିକସ ବ୍ୟବସ୍ଥା-ନିଷ୍ଠାବାନଙ୍କୁ ସମ୍ମାନ କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରିଛନ୍ତି। ଏଥିରେ ତିନି ପ୍ରକାର ସୁବିଧା ରହିଛି। ତାହା ହେଉଛି ଫେସଲେସ୍ ଆସେସ୍‌ମେଣ୍ଟ୍‌ (ସାକ୍ଷାତମୁକ୍ତ ଆକଳନ), ଫେସ୍‌ଲେସ୍‌ ଅପିଲ (ସାକ୍ଷାତମୁକ୍ତ ଆବେଦନ) ଓ ଟିକସଦାତାଙ୍କ ଚାର୍ଟର୍‌। ଫେସ୍‌ଲେସ୍‌ ଆସେସ୍‌ମେଣ୍ଟ୍‌ ଓ ଟିକସଦାତାଙ୍କ ଚାର୍ଟରକୁ ଆଜିଠାରୁ ଲାଗୁ କରାଯାଇଛି। ଫେସ୍‌ଲେସ୍‌ ଅପିଲ ଆସନ୍ତା ସେପ୍ଟେମ୍ବର ୨୫ରୁ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରେ ଲାଗୁ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଟିକସଦାତା ଟିକସ ଦେବା ଏବଂ ସରକାର ଟିକସ ନେବା କୌଣସି ଅଧିକାରର ବିଷୟ ନୁହେଁ। ଏହା ଉଭୟ ପକ୍ଷର ଦାୟିତ୍ବ। ଟିକସଦାତାମାନେ ଏଥିପାଇଁ ଟିକସ ଦେବେ କାରଣ ତାହା ଜରିଆରେ ସରକାରୀ ବ୍ୟବସ୍ଥା ଚାଲୁଛି। ଏହା ଦ୍ବାରା ଦେଶର ଜନସଂଖ୍ୟା ପ୍ରତି ସରକାର ନିଜର ଦାୟିତ୍ବ ନିର୍ବାହ କରିପାରିବେ। ଏହି ଟିକସ ଜରିଆରେ ଟିକସଦାତାଙ୍କୁ ମଧ୍ୟ ଉନ୍ନତ ସୁବିଧା ସୁଯୋଗ ଓ ଭିତ୍ତିଭୂମି ମିଳିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର ଦେଢ଼ କୋଟି ଟିକସଦାତା ଟିକସ ଦେଉଛନ୍ତି ବୋଲି ସେ କହିଛନ୍ତି। ଦେଶରେ ପ୍ରଚଳନରେ ଥିବା ଟିକସ ବ୍ୟବସ୍ଥାକୁ ସ୍ବାଧୀନତା ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା। ତେଣୁ ସେଥିରେ ସଂସ୍କାରର ଆବଶ୍ୟକତା ଥିଲା ବୋଲି ‌ସେ କହିଛନ୍ତି।

ଫେସ୍‌ଲେସ୍‌ ଆସେସ୍‌ମେଣ୍ଟ୍‌ କ’ଣ?
ଫେସ୍‌ଲେସ୍‌ ଆସେସ୍‌ମେଣ୍ଟ୍‌ର ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ଯାଞ୍ଚ ପାଇଁ ଯେକୌଣସି ରାଜ୍ୟ କିମ୍ବା ସହରର ଅଧିକାରୀ ଅନ୍ୟ ଯେକୌଣସି ରାଜ୍ୟ କିମ୍ବା ସହର ଯାଇପାରିବେ। ଟିକସଦାତା କିଏ ଏବଂ ଅଧିକାରୀ କିଏ ତାହାର କୌଣସି ମହତ୍ବ ରହିବ ନାହିଁ। ପୂର୍ବରୁ ଟିକସ ଅଧିକାରୀ ଯେଉଁ ସ୍ଥାନରେ ନିଯୁକ୍ତ ଥିଲେ କେବଳ ସେହି ସହରରେ ଯାଞ୍ଚ କରୁଥିଲେ। ଆଗାମୀ ଦିନରେ କମ୍ପ୍ୟୁଟର ନିଷ୍ପତ୍ତି ନେବ କେଉଁ ଟିକସ ଆସେସ୍‌ମେଣ୍ଟ୍‌ କେଉଁ ଅଧିକାରୀ କରିବେ। ସେବିଷୟରେ ଅନ୍ୟ କାହା ପାଖରେ ସୂଚନା ରହିବ ନାହିଁ। ତେଣୁ ଆୟକର ଅଧିକାରୀଙ୍କୁ ହାତ କରିବା କିମ୍ବା ଚାପ ସୃଷ୍ଟି କରିବାର ସୁଯୋଗ ହିଁ ରହିବ ନାହିଁ। ଫଳରେ ଅନାବଶ୍ୟକ ମାମଲା ସଂଖ୍ୟା ହ୍ରାସ ପାଇବ। ଯେଉଁମାନେ ବେଆଇନ ଉପାୟକୁ ଗ୍ରହଣ କରି ଟିକସ ପଇଠ କରୁନଥିଲେ ସେମାନେ ଏହି ନୂତନ ବ୍ୟବସ୍ଥା ଦ୍ବାରା ଅସୁବିଧାରେ ପଡ଼ିବେ।

ଫେସ୍‌ଲେସ୍‌ ଅପିଲ୍‌ କ’ଣ?
ଆସନ୍ତା ସେପ୍ଟେମ୍ବର ୨୫ରୁ ଆରମ୍ଭ ହେବାକୁ ଯାଉଥିବା ଫେସ୍‌ଲେସ୍‌ ଅପିଲ ଟିକସଦାତାଙ୍କୁ ସଶକ୍ତ କରିବ। ଏହାର ସବୁଠୁ ବଡ଼ ଲାଭ ହେଉଛି ‌କେଉଁ ଟିକସଦାତା ଅପିଲ (ଆବେଦନ) କରିଛନ୍ତି ତାହା ଟିକସ ଅଧିକାରୀ ଜାଣିପାରିବେ ନାହିଁ। ସବୁ କିଛି କମ୍ପ୍ୟୁଟର ଜରିଆରେ ନିର୍ଧାରଣ କରାଯିବ। ତେଣୁ ନିଜ ପରିଚିତ ଅଧିକାରୀଙ୍କ ପାଖକୁ ଆବେଦନ ପଠାଇବା ସମ୍ଭବ ହେବନି।

ଟିକସଦାତାଙ୍କ ଚାର୍ଟର କ’ଣ?
ବିଶ୍ବରେ ହାତଗଣିତ ଦେଶ ରହିଛି ଯେଉଁଠାରେ ଟିକସଦାତାଙ୍କୁ ସୁରକ୍ଷା ଓ ସମ୍ମାନ ଦିଆଯାଉଛି। ସେହି ତାଲିକାରେ ଭାରତ ସାମିଲ ହୋଇଛି। ଟିକସଦାତାଙ୍କ ଅଧିକାର ବିଷୟରେ ଚାର୍ଟରରେ ସୂଚନା ଦିଆଯାଇଛି। ସମସ୍ତ ଟିକସଦାତାଙ୍କ ସହ ଆୟକର ବିଭାଗ ନ୍ୟାୟପୂର୍ଣ୍ଣ ଓ ତର୍କସଙ୍ଗତ ରହିବ। ଯେପର୍ଯ୍ୟନ୍ତ ସନ୍ଦେହ କରିବାର ସ୍ଥିତି ସୃଷ୍ଟି ନହୋଇଛି ସେପର୍ଯ୍ୟନ୍ତ ଟିକସଦାତାଙ୍କୁ ସଚ୍ଚୋଟ ବୋଲି ବିଚାର କରିବାକୁ ପଡ଼ିବ। ଟିକସଦାତାଙ୍କୁ ଆବେଦନ ଓ ରିଭ୍ୟୁ (ସମୀକ୍ଷା)ର ଅଧିକାର ମିଳିବ। ସବୁ ଟିକସଦାତାଙ୍କୁ ଆୟକର ବିଭାଗ ସମ୍ପୂର୍ଣ୍ଣ ସୂଚନା ଦେବ। ସମୟ ପୂର୍ବରୁ ସବୁ ପ୍ରକ୍ରିୟା ଶେଷ କରିବା ହେଉଛି ଟିକସ ବିଭାଗର ଦାୟିତ୍ବ। ସବୁ ଟିକସଦାତାଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଜଣାଇବା ଦରକାର ଏବଂ ତାଙ୍କ ଠାରୁ କେବଳ ସଠିକ୍ ଟିକସ ରାଶି ଅସୁଲ ହେବା ଉଚିତ। ଯଦି କିଛି ତଥ୍ୟ ଗୋପନୀୟ ତାହାକୁ ସାର୍ବଜନୀନ କରାଯିବା ଅନୁଚିତ। ନିଜ ଅଧିକାରୀଙ୍କ ଉପରେ ଉତ୍ତରଦାୟିତ୍ବ ନ୍ୟସ୍ତ କରିବାର ଅଧିକାର ମଧ୍ୟ ଆୟକର ବିଭାଗର କାର୍ଯ୍ୟ। ଅଭିଯୋଗ ଦାଖଲର ବ୍ୟବସ୍ଥା କରିବା ମଧ୍ୟ ଆୟକର ବିଭାଗର କାର୍ଯ୍ୟ। ଏହି ଚାର୍ଟରରେ ଟିକସଦାତାଙ୍କୁ ସଚ୍ଚୋଟ ରହିବାକୁ ମଧ୍ୟ କୁହାଯାଇଛି। ଆୟର ସଠିକ୍ ସୂଚନା ଦେବା ଓ ତା’ ଉପରେ ଟିକସ ଦେବା ଦରକାର। ଟିକସଦାତାଙ୍କ ପାଇଁ କାର୍ଯ୍ୟ କରୁଥିବା ପ୍ରତିନିଧି ଯେଉଁ ବିବରଣୀ ଓ ଟିକସ ଦେଇଛନ୍ତି ତାହା ଟିକସଦାତା ଜାଣିବା ଦରକାର। ସମୟ ସୀମା ଭିତରେ ଟିକସ ଦେବା କାମ ଶେଷ କରିବା ଦରକାର ବୋଲି ଚାର୍ଟରରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର