ଟିକସରେ ପୁଣି ବଡ଼ ସଂସ୍କାର ହେବ, ପ୍ରତ୍ୟକ୍ଷ ଟିକସ କୋଡ୍‌ ରିପୋର୍ଟ ଆସିଲା

ଆୟକର ନିୟମ ବଦଳରେ ଲାଗୁ ହେବ

ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ସଦସ୍ୟ ଅଖିଳେଶ ରଞ୍ଜନଙ୍କ ନେତୃତ୍ବରେ ଗଠିତ ଟାସ୍କଫୋର୍ସ ଆଜି ପ୍ରତ୍ୟକ୍ଷ କର କୋଡ୍‌ (ଡିଟିସି) ରିପୋର୍ଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ହସ୍ତାନ୍ତର କରିଛି। ଆୟକର ନିୟମ ବଦଳରେ ପ୍ରତ୍ୟକ୍ଷ କର କୋଡ୍‌କୁ ଲାଗୁ କରାଯିବ। ରିପୋର୍ଟରେ ଟାସ୍କଫୋର୍ସ କ’ଣ ସୁପାରିସ କରିଛି ତାହା ଜଣାପଡ଼ିନାହିଁ। ଏହି ଟାସ୍କଫୋର୍ସ ଗତ ମେ’ ୩୧ରେ ରିପୋର୍ଟ ଦାଖଲ କରିବାର ଥିଲା। ମାତ୍ର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଟାସ୍କଫୋର୍ସକୁ ଆଉ ଦୁଇ ମାସ ଅଧିକ ସମୟ ପ୍ରଦାନ କରିଥିଲେ। ଅଧିକ ସମୟ ଦେବା ଲାଗି ଟାସ୍କାଫୋର୍ସର ନୂଆ ସଦସ୍ୟମାନେ ମଧ୍ୟ ଦାବି କରିଥିଲେ। ସଦସ୍ୟ ଅରବିନ୍ଦ ମୋଦୀଙ୍କ ଅବସର ପରେ ଗତବର୍ଷ ନଭେମ୍ବରରେ ଅର୍ଥ ମନ୍ତ୍ରଣାଳୟ ତରଫରୁ ଅଖିଳେଶଙ୍କୁ ଏହି ଟାସ୍କଫୋର୍ସର ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାର ଅନ୍ୟ ସଦସ୍ୟମାନେ ହେଉଛନ୍ତି ସିଏ ଗିରିଶ ଆହୁଜା, ଇୱାଇର ଅଧ୍ୟକ୍ଷ ରାଜୀବ ମେମାନି, ଟିକସ ଆଇନଜୀବୀ ମୁକେଶ ପଟେଲ, ଉପଦେଷ୍ଟା ମାନସି କେଡିଆ ଓ ଅବସରପ୍ରାପ୍ତ ଆଇଆରଏସ ଅଧିକାରୀ ଜି ସି ଶ୍ରୀବାସ୍ତବ।

୨୦୧୭ ସେପ୍ଟେମ୍ବରରେ ଆୟୋଜନ କରାଯାଇଥିବା ବାର୍ଷିକ ଟିକସ ଅଧିକାରୀଙ୍କ ସମ୍ମିଳନୀରେ ଉଦବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ପ୍ରଚଳନରେ ଥିବା ଆୟକର ନିୟମକୁ ୫୦ ବର୍ଷ ପୂର୍ବେ ପ୍ରସ୍ତୁତ କରାଯାଇଥିଲା ଏବଂ ତାହାକୁ ପୁଣି ଥରେ ତିଆରି କରିବାର ଆବଶ୍ୟକତା ରହିଛି। ଅନ୍ୟ ଦେଶରେ ଯେଉଁ ବ୍ୟବସ୍ଥା ପ୍ରଚଳନରେ ରହିଛି ତାହାକୁ ବିଚାରକୁ ନେଇ ପ୍ରତ୍ୟକ୍ଷ ଟିକସ କୋଡ୍‌ର ଚିଠା ପ୍ରସ୍ତୁତ କରିବାକୁ ଟାସ୍କଫୋର୍ସକୁ ଦାୟିତ୍ବ ଦିଆଯାଇଥିଲା। ଚିଠା ପ୍ରସ୍ତୁତି ବେଳେ ଦେଶର ଅର୍ଥନୈତିକ ସ୍ଥିତି ଓ ଆନ୍ତର୍ଜାତିକ ସ୍ତରରେ ଲାଗୁ ହୋଇଥିବା ଶ୍ରେଷ୍ଠ ବ୍ୟବସ୍ଥାକୁ ବିଚାରକୁ ନେବାକୁ ଟାସ୍କଫୋର୍ସକୁ କୁହାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଟାସ୍କଫୋର୍ସ ୨୦୧୮ ମେ’ ୨୨ରେ ଏହାର ରିପୋର୍ଟ ଦାଖଲ କରିବାର ଥିଲା। ମାତ୍ର ପରବର୍ତି ସମୟରେ ଏହାର ସମୟ ସୀମାକୁ ପର୍ଯ୍ୟାୟକ୍ରମେ ବୃଦ୍ଧି କରାଯାଇଥିଲା। ଏହା ପୂର୍ବରୁ ପରୋକ୍ଷ ଟିକସ କ୍ଷେତ୍ରରେ ବଡ଼ ସଂସ୍କାର ଆଣି କେନ୍ଦ୍ର ସରକାର ଅନେକ ପରୋକ୍ଷ ଟିକସକୁ ଉଚ୍ଛେଦ କରି ତାହା ସ୍ଥାନରେ ସାମଗ୍ରୀ ଓ ସେବା ଟିକସ ଲାଗୁ କରିଛନ୍ତି। ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ସବୁଠୁ ବଡ଼ ସଂସ୍କାର ହେବ ପ୍ରତ୍ୟକ୍ଷ ଟିକସ କୋଡ୍।

ସମ୍ବନ୍ଧିତ ଖବର