ଜୁଲାଇ ପହିଲାରୁ ଏସବିଆଇ ଆକାଉଣ୍ଟଧାରୀଙ୍କ ପାଇଁ ପରିବର୍ତ୍ତନ ହେବାକୁ ଯାଉଛି ଏହି ସବୁ ନିୟମ

ନୂଆଦିଲ୍ଲୀ: ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର । ଜୁଲାଇ ୧ରୁ ହେବ ବଡ଼ ପରିବର୍ତ୍ତନ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଆସନ୍ତା ଜୁଲାଇ ୧ ତାରିଖରୁ ଅନେକ କ୍ଷେତ୍ରରେ ପରିବର୍ତ୍ତନ ହେବାକୁ ଯାଉଛି । ଏଟିଏମରୁ ଟଙ୍କା ଉଠାଣ, ଖାତାରୁ ନଗଦ ଟଙ୍କା ଉଠାଣ ଏବଂ ଚେକ୍ ବୁକ୍ ସମସ୍ୟା ଇତ୍ୟାଦି ଏଥିରେ ସାମିଲ ଅଛି । ଏଣିକି ଟଙ୍କା ଉଠାଣ ଉପରେ ଲାଗିବ ଅତିରିକ୍ତ ଚାର୍ଜ । ବେସିକ୍ ସେଭିଂ ବ୍ୟାଙ୍କ୍ ଡିପୋଜିଟ୍ ଆକାଉଂଟଧାରୀଙ୍କ ପାଇଁ ଏହି ନୂତନ ଦେୟ ଲାଗୁ ହେବ । ଆସନ୍ତୁ ଜାଣିବା କଣ ସବୁ ନୂଆ ନିୟମ ଜାରି କରିଛି ଏସବିଆଇ ।

ଏସବିଆଇର ବେସିକ୍ ସେଭିଂ ବ୍ୟାଙ୍କ୍ ଡିପୋଜିଟ୍ ଆକାଉଂଟ, ସମାଜର ଗରିବ ଶ୍ରେଣୀଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ବିନା କୌଣସି ଶୁଳ୍କରେ ଆକାଉଂଟ ଖୋଲିପାରିବେ । ଏହାକୁ ଜିରୋ ବାଲାନ୍ସ ସେଭିଂ ଆକାଉଂଟ କୁହାଯାଏ । ତେବେ ଯେକୌଣସି ବ୍ୟକ୍ତି ଯାହାଙ୍କ ପାଖରେ ବୈଧ କେୱାଇସି ଡଳ୍ୟୁମେଂଟ ରହିଥିବ, ସେମାନେ ଏଣିକି ଏସବିଆଇର ବେସିକ୍ ସେଭିଂ ବ୍ୟାଙ୍କ୍ ଡିପୋଜିଟରେ ଖାତା ଖୋଲିପାରିବେ ।

ତେବେ ଏହି ଖାତାଧାରୀ ମାସରେ ମାତ୍ର ୪ ଥର ମାଗଣାରେ ଟଙ୍କା ଉଠାଣ କରିପାରିବେ । ଏଥିରେ ଏଟିଏମ୍ ୱିଡ୍ରାଲ ମଧ୍ୟ ସାମିଲ ଅଛି । ତେବେ ଫ୍ରି ଲିମିଟ୍ ଶେଷ ହେବା ପରେ ଅର୍ଥାତ ୪ଥର ଟଙ୍କା ଉଠାଣ ପରେ ପ୍ରତିଟି ଟ୍ରାଞ୍ଜାକସନ୍ ପାଇଁ ୧୫ ଟଙ୍କା ଚାର୍ଜ କରାଯିବ ।

ଏସବିଆଇ ବେସିକ୍ ସେଭିଂ ବ୍ୟାଙ୍କ୍ ଡିପୋଜିଟ୍ ଆକାଉଂଟଧାରୀଙ୍କୁ ଗୋଟିଏ ଆର୍ଥିକ ବର୍ଷରେ ଦଶଟି ଚେକ୍ କପି ଦିଆଯାଇଥାଏ । ଏଣିକି ଏହି ଚେକ୍ ବୁକ୍ ପାଇଁ ମଧ୍ୟ ଚାର୍ଜ କରିବ ବ୍ୟାଙ୍କ । ଏହି ଚେକ୍ ବୁକ୍ ପାଇଁ ବ୍ୟାଙ୍କ୍ ୪୦ ଟଙ୍କା ସହ ଜିଏସଟି ଚାର୍ଜ କରିବ । ସେହିପରି ଏମରଜେନ୍ସି ଚେକ୍ ବୁକ୍ ପାଇଁ ୫୦ ଟଙ୍କା ସହ ଜିଏସଟି ଚାର୍ଜ କରାଯିବ ।

ଏହି ସବୁ ନିୟମ ସହ ଏଟିଏମରୁ ଟଙ୍କା ଉଠାଣ ନିୟମରେ ମଧ୍ୟ ପରିବର୍ତ୍ତନ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ । ଏସବିଆଇ ବ୍ରାଂଚରୁ ୪ ଥର ମାଗଣା ଟଙ୍କା ଉଠାଇପାରିବେ । ତେବେ ଫ୍ରି ଲିମିଟ୍ ଶେଷ ହେବା ପରେ ପ୍ରତିଟି ଟ୍ରାଞ୍ଜାକସନ୍ ପାଇଁ ୧୫ ଟଙ୍କା ଏବଂ ଜିଏସଟି ଚାର୍ଜ କରିବ ବ୍ୟାଙ୍କ ।

ତେବେ ଚେକ୍ ମାଧ୍ୟମରେ ଟଙ୍କା ଉଠାଇବା ସୀମାକୁ ବଢାଇ ଦେଇଛି ବ୍ୟାଙ୍କ । ଏଣିକି ଗୋଟିଏ ଦିନରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଣ କରିହେବ । ସେହିପରି ୱିଥଡ୍ରାଲ୍ ଫର୍ମ ମାଧ୍ୟମରେ ଏକ ସେଭିଙ୍ଗସ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଣ ସୀମାକୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର