ବଡ଼ କମ୍ପାନିଙ୍କ ଯୋଗୁଁ ୭୭% ଏନ୍‌ପିଏ

ସରକାରୀ ବ୍ୟାଙ୍କର ୭.୩୪ ଲକ୍ଷ କୋଟି:ଘରୋଇ ବ୍ୟାଙ୍କର ୧.୦୩ ଲକ୍ଷ କୋଟି

ନୂଆଦିଲ୍ଲୀ: ଦେଶରେ ସରକାରୀ ବ୍ୟାଙ୍କ ଗୁଡ଼ିକର ଏନ୍‌ପିଏ(ଅନାଦାୟ ଋଣ) ବୋଝ ଚଳିତ ଆର୍ଥିକବର୍ଷର ଦ୍ୱିତୀୟ ତ୍ରୟମାସ ଅର୍ଥାତ ୨୦୧୭ ସେପ୍ଟେମ୍ବର ଶେଷ ସୁଦ୍ଧା ୭.୩୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହି ଅନାଦାୟ ଋଣର ଅଧିକାଂଶ କର୍ପୋରେଟ ସଂସ୍ଥା ଗୁଡ଼ିକ ଋଣ ପରିଶୋଧ ନକରିବା ଯୋଗୁଁ ହୋଇଛି । ଅନ୍ୟପକ୍ଷରେ ସେପ୍ଟେମ୍ବର ୩୦ ସୁଦ୍ଧା ଘରୋଇ ବ୍ୟାଙ୍କ ଗୁଡ଼ିକ ଉପରେ ଅନାଦାୟ ଋଣର ବୋଝ ୧ ଲକ୍ଷ ୦୩ ହଜାର କୋଟି ଟଙ୍କାରେ ରହିଛି।
ଭାରତୀୟ ରିଜର୍ଭ ବ୍ୟାଙ୍କର ତଥ୍ୟକୁ ଉଦ୍ଧାର କରି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ୨୦୧୭ ସେପ୍ଟେମ୍ବର ୩୦ ସୁଦ୍ଧା ସରକାରୀ ବ୍ୟାଙ୍କ ଗୁଡ଼ିକର ମୋଟ ଏନ୍‌ପିଏ ୭ ଲକ୍ଷ ୩୩ ହଜାର ୯୭୪ କୋଟି ଟଙ୍କାରେ ପହଞ୍ଚିଥିବାବେଳେ ଘରୋଇ ବ୍ୟାଙ୍କ ଗୁଡ଼ିକର ମୋଟ ଏନ୍‌ପିଏ ୧ ଲକ୍ଷ ୨ ହଜାର ୮୦୮ କୋଟି ଟଙ୍କାରେ ରହିଛି। ମୋଟ ଏନ୍‌ପିଏ ମଧ୍ୟରୁ ପ୍ରାୟ ୭୭ ପ୍ରତିଶତ ଏନ୍‌ପିଏ ଦେଶର ଅଗ୍ରଣୀ ଓ ବଡ଼ କମ୍ପାନି ଗୁଡ଼ିକ ଉପରେ ରହିଛି।
ସରକାରୀ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ସର୍ବାଧିକ ୧.୮୬ ଲକ୍ଷ କୋଟି ଟଙ୍କାର ଏନ୍‌ପିଏ ରହିଛି। ଏହା ପଛକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୫୭,୬୩୦ କୋଟି, ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୪୯,୩୦୭ କୋଟି, ବ୍ୟାଙଙ୍କଅଫ୍‌ ବରୋଦାର ୪୬,୩୦୭ କୋଟି, କାନାରା ବ୍ୟାଙ୍କର ୩୯,୧୬୪ କୋଟି ଏବଂ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୩୮,୨୮୬ କୋଟି ଟଙ୍କାର ଏନ୍‌ପିଏ ବୋଝ ରହିଛି।
ସେହିଭଳି ଘରୋଇ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କର ଏନ୍‌ପିଏ ସର୍ବାଧିକ ୪୪,୨୩୭ କୋଟି ଟଙ୍କାରେ ରହିଥିବାବେଳେ ଏହା ପଛକୁ ଆକ୍ସିସ ବ୍ୟାଙ୍କର ୨୨,୧୩୬ କୋଟି ଟଙ୍କା, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୭୬୪୪ କୋଟି ଟଙ୍କା ଏବଂ ଜମ୍ମୁ ଆଣ୍ଡ କଶ୍ମୀର ବ୍ୟାଙ୍କର ୫୯୮୩ କୋଟି ଟଙ୍କାର ଏନ୍‌ପିଏ ବୋଝ ରହିଛି।
ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ ଆଦାୟ ପାଇଁ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଋଣ ଅସୁଲି ଟ୍ରିବ୍ୟୁନାଲ (ଡିଆରଟି)ର ସମ୍ପ୍ରସାରଣ କରାରଯjାଇଛି। ୨୦୧୬-୧୭ରେ ଦେଶରେ ୩୩ଟି ଡିଆର୍‌ଟି ଥିବାବେଳେ ଏବେ ଏହି ସଂଖ୍ୟା ୩୯ରେ ପହଞ୍ଚିଛି। ଏଥିଯୋଗୁ ଋଣ ପରିଶୋଧ ସଂକ୍ରାନ୍ତ ମାମଲା ଗୁଡ଼ିକ ହ୍ରାସ ପାଇବା ସହିତ ବିବାଦ ସମାଧାନ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ଵିତ ହୋଇପାରିବ।

ସମ୍ବନ୍ଧିତ ଖବର