ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ସାଇଟ୍‌ ‘ଏକ୍ସ’(ପୂର୍ବର ଟ୍ବିଟର)ରେ ବଡ଼ ଧରଣର ବିଭ୍ରାଟ ଆଜି ଦେଖିବାକୁ ମିଳିଛି। ‘ଏକ୍ସ’ ୱେବସାଇଟ୍‌ରେ ସମସ୍ୟା ରହିଥିବା ନେଇ ପ୍ରାୟ ୮୦ ପ୍ରତିଶତ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି। ତେବେ ଏହି ବିଭ୍ରାଟର କାରଣ ଜଣାପଡ଼ିନାହିଁ। ଏଲନ୍‌ ମସ୍କ ଏହି କମ୍ପାନିକୁ କିଣିବା ପରଠାରୁ ‘ଏକ୍ସ୍‌’ରେ ଅନେକ ଥର ବିଭ୍ରାଟ ଦେଖିବାକୁ ମିଳିଲାଣି। ଇଣ୍ଟରନେଟ୍‌ ଡାଉନ୍‌ ଉପରେ ନଜର ରଖୁଥିବା ସଂସ୍ଥା ଡାଉନଡିଟେକ୍ଟର ଡଟ୍‌ କମ୍‌ ପକ୍ଷରୁ କୁହାଯାଇଛି ଯେ ଏକ୍ସରେ ବିଭ୍ରାଟ ନେଇ ୭୭୪୩ରୁ ଅଧିକ ରିପୋର୍ଟ ଆମେରିକାରେ ମିଳିଛି। 

Advertisment

ବିଶ୍ବର ବିଭିନ୍ନ ସ୍ଥାନରେ ‘ଏକ୍ସ’  କାର୍ଯ୍ୟ କରୁ ନଥିବା ରିପୋର୍ଟ ମିଳିଛି। ଭାରତ ସମେତ ବିଶ୍ବର ବିଭିନ୍ନ ଦେଶରେ ଏହି ସମସ୍ୟା ଦେଖାଦେଇଛି। ‘ଏକ୍ସ’ ଡାଉନ୍‌ ସଂପର୍କରେ ବିଶ୍ବରୁ ହଜାର ହଜାର ରିପୋର୍ଟ ମିଳିଥି‌ବାବେଳେ ଭାରତରୁ ୩୫୦ରୁ ଅଧିକ ରିପୋର୍ଟ ମିଳିଥିବା ଡାଉନ୍‌ଡିଟେକ୍ଟର କହିଛି। 

୫୨ ପ୍ରତିଶତ ବ୍ୟବହାରକାରୀ ଦର୍ଶାଇଛନ୍ତି ଯେ ସେମାନେ ଏକ୍ସ ଆପ୍‌କୁ ଆକ୍ସେସ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୪୬ ପ୍ରତିଶତ ବ୍ୟବହାରକାରୀ ‘ଏକ୍ସ’ ୱେବସାଇଟ୍‌ରେ ସମସ୍ୟାର ସମ୍ମୁଖୀନ ହେଉଥିବା ଦର୍ଶାଇଛନ୍ତି। ଅନ୍ୟମାନେ ଲଗଇନ୍‌ ସମସ୍ୟା ବିଷୟ ଉଲ୍ଲେଖ କରିଛନ୍ତି। ରାତି ପ୍ରାୟ ୭ଟା ୪୦ ମିନିଟ୍‌ରେ ଆଉଟେଜ୍‌ ରିପୋର୍ଟ ମିଳିଥିଲା ବୋଲି ଡାଉନଡିଟେକ୍ଟର କହିଛି। କମ୍ପାନି ଏହି ସମସ୍ୟାକୁ ରାତି ପ୍ରାୟ ୧୦ଟାରେ ରିପୋର୍ଟ ଲେଖା ହେବା ସୁଦ୍ଧା ସ୍ବୀକାର କରିନାହିଁ।