‘୧୯୩୦ର ମହା ମାନ୍ଦାବସ୍ଥା ପରେ ସବୁଠୁ ବଡ଼ ସଙ୍କଟ’

ୱାସିଂଟନ: କରୋନା ଭୂତାଣୁ ପ୍ରଭାବରେ ଯେଉଁ ଅର୍ଥନୈତିକ ସଙ୍କଟ ଦେଖାଦେବ ତାହା ୧୯୩୦ର ମହା ମାନ୍ଦାବସ୍ଥା ପରବର୍ତୀ ସମୟର ସବୁଠୁ ଖରାପ ସ୍ଥିତି ହେବ। ବିଶ୍ବର ପ୍ରାୟ ୧୭୦ଟି ଦେଶର ମୁଣ୍ଡପିଛା ଆୟ ହ୍ରାସ ପାଇବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌)ର ପରିଚାଳନା ନିର୍ଦେଶିକା କ୍ରିଷ୍ଟାଲିନା ଜର୍ଜିଭା କହିଛନ୍ତି। ସେ କହିଛନ୍ତି, ସାରା ବିଶ୍ବ‌ ଏବେ ଯେଉଁ ସଙ୍କଟର ସାମ୍ନା କରୁଛି ତାହା ପୂର୍ବରୁ କେବେବି ଦେଖିବାକୁ ମିଳିନଥିଲା। କୋଭିଡ୍‌-୧୯ ଆମର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାକୁ ବିଦ୍ୟୁତ ବେଗରେ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି। ଆମ ଜୀବନ କାଳରେ ଏ‌ଭଳି ସଙ୍କଟ ଦେଖାଦେଇନଥିଲା ବୋଲି ସେ କହିଛନ୍ତି। କରୋନା ଭୂତାଣୁ ସଂକ୍ରମଣରେ ହଜାର ହଜାର ଲୋକଙ୍କ ଅକାଳ ମୃତ୍ୟୁ ହେଉଛି ଏବଂ ଶତାଧିକ କୋଟି ଲୋକ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି। କିଛି ସପ୍ତାହ ପୂର୍ବରୁ ସ୍କୁଲ ଓ ଅଫିସକୁ ଯିବା, ବନ୍ଧୁ ବାନ୍ଧବଙ୍କୁ ଭେଟିବା ଆଦି ସାଧାରଣ ଘଟଣା ଥିଲା। ଏବେ ତାହା ବିପଦପୂର୍ଣ୍ଣ ହୋଇପଡ଼ିଛି। ଏହି ସଙ୍କଟ କେତେ ବଡ଼ ଓ କେତେ ଗଭୀର ଏବଂ ଏହାର ପ୍ରଭାବ କେତେ ଦିନ ପର୍ଯ୍ୟନ୍ତ ରହିବ ତାହା କେହି ଆକଳନ କରିପାରୁନାହାନ୍ତି। ୧୯୩୦ ଥିଲା ଆଧୁନିକ ଇତିହାସର ସବୁଠୁ ବଡ଼ ଅର୍ଥନୈତିକ ସଙ୍କଟ। ନ୍ୟୁୟର୍କ ଷ୍ଟକ ଏକ୍ସଚେଞ୍ଜ୍‌ରେ ନିବେଶକମାନେ କୋଟି କୋଟି ଟଙ୍କା ହରାଇବା ଠାରୁ ଏହି ସଙ୍କଟ ଆରମ୍ଭ ହୋଇଥିଲା ଓ ତାହାର ପ୍ରଭାବ ଦୀର୍ଘ ୧୦ ବର୍ଷ ପର୍ଯ୍ୟନ୍ତ ରହିଥିଲା। କରୋନା ପ୍ରଭାବରେ ଆଫ୍ରିକା, ଲାଟିନ୍ ଆମେରିକା ଓ ଏସିଆର ଉଦୀୟମାନ ଏବଂ ନିମ୍ନ ଆୟବର୍ଗ ଦେଶଗୁଡ଼ିକର ଲୋକମାନେ ଅଧିକ ପ୍ରଭାବିତ ହେବେ। ଆଇଏମ୍ଏଫ୍‌ ମୁଖ୍ୟ କହିଛନ୍ତି ଯେ, କରୋନା ସଙ୍କଟ ଯୋଗୁଁ ଯୋଗାଣ ଓ ଚାହିଦା ଗୁରୁତର ଭାବେ ପ୍ରଭାବିତ ହେବେ। ଋଣ ବୋଝ ମାଡ଼ି ବସିବ। କରୋନା ମୁକାବିଲା ଲାଗି ସାରା ବିଶ୍ବର ବିଭିନ୍ନ ଦେଶଗୁଡ଼ିକ ମିଳିବ ୮ ଲକ୍ଷ କୋଟି ଡଲାରରୁ ଅଧିକ ମୂଲ୍ୟର ପଦକ୍ଷେପ ଗ୍ରହଣ କରିସାରିଲେଣି। ଆଗକୁ ଆହୁରି ଅର୍ଥ ଦରକାର ହେବ ବୋଲି ସେ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର