ବିଶ୍ୱର ବଡ଼ ମୋବାଇଲ୍‌ କାରଖାନା:ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ କାଏ-ଇନ୍‌

ନୂଆଦିଲ୍ଲୀ, : ବିଶ୍ୱର ସର୍ବବୃହତ୍‌ ମୋବାଇଲ ଫୋନ୍‌ ନିର୍ମାଣ କାରଖାନା ଆଜି ନଏଡ଼ାଠାରେ ଉଦ୍‌ଘାଟିତ ହୋଇଛି। ୩୫ ଏକର ପରିମିତ ସ୍ଥାନରେ ନିର୍ମିତ ଏହି କାରଖାନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ-ଇନ୍‌ ମିଳିତ ଭାବେ ଉଦ୍‌ଘାଟନ କରିଛନ୍ତି। ସାମସଙ୍ଗ ଭାରତରେ ଏବେ ୬.୭ କୋଟି ମୋବାଇଲ ଫୋନ ଉତ୍ପାଦନ କରୁଛି। ନୂଆ କାରଖାନା ଚାଲୁ ହେବା ପରେ କମ୍ପାନିର ମୋବାଇଲ ଫୋନ୍‌ ଉତ୍ପାଦନ ଭାରତରେ ବାର୍ଷିକ ପ୍ରାୟ ୧୨ କୋଟିକୁ ବୃଦ୍ଧି ପାଇବ। ଏଥିସହିତ ସାମସଙ୍ଗର ଏହି ନୂଆ ୟୁନିଟ୍‌ ଯୋଗୁଁ ୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗତ ଶତାବ୍ଦୀର ନବେ ଦଶକରେ କମ୍ପାନି ଏଠାରେ କାରଖାନା ବସାଇଥିଲା। ୧୯୯୭ ମସିହାରୁ ଏଠାରେ ଟିଭି ଉତ୍ପାଦନ ଆରମ୍ଭ କରିଥିଲା। ଏହାପରେ ୨୦୦୫ ମସିହାରେ ଏଠାରେ ମୋବାଇଲ ଫୋନ ନିର୍ମାଣ ୟୁନିଟ୍‌ ଆରମ୍ଭ ହୋଇଥିଲା। ଗତବର୍ଷ ଜୁନ୍‌ରେ କମ୍ପାନି ଏହି ପ୍ଲାଣ୍ଟର ସମ୍ପ୍ରସାରଣ ୪୯୧୫ କୋଟି ଟଙ୍କାର ନିବେଶରେ କରିବ ବୋଲି ଘୋଷଣା କରିଥିଲା। ପ୍ରାୟ ବର୍ଷକ ପରେ କମ୍ପାନି ଏହି ସମ୍ପ୍ରସାରଣକୁ ସାକାର ରୂପ ଦେଇଛି। କେବଳ ମୋବାଇଲ ଫୋନ୍‌ ନୁହେଁ, ଏହି ସମ୍ପ୍ରସାରଣ ଯୋଗୁଁ କମ୍ପାନିର ରେଫ୍ରିଜରେଟର ଏବଂ ଫ୍ଲାଟ ପ୍ୟାନେଲ ଟିଭିର ଉତ୍ପାଦନ ମଧ୍ୟ ଦ୍ୱିଗୁଣିତ ହେବ। ଭାରତରେ ସାମସଙ୍ଗର ଦୁଇଟି ଉତ୍ପାଦନ ୟୁନିଟ୍‌ ରହିଛି। ଗୋଟିଏ ନଏଡାଠାରେ ହୋଇଥିବାବେଳେ ଅନ୍ୟଟି ତାମିଲନାଡ଼ୁର ଶ୍ରୀପେରୁମ୍ବୁଦୁରଠାରେ ରହିଛି। ଏତଦ୍‌ବ୍ୟତୀତ ୫ଟି ଗବେଷଣା ଓ ବିକାଶ କେନ୍ଦ୍ର ଏବଂ ଗୋଟିଏ ଡିଜାଇନ୍‌ ସେଣ୍ଟର ମଧ୍ୟ ରହିଛି।
ସାମସଙ୍ଗର କାରଖାନା ଉଦ୍‌ଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ କାଏ-ଇନ୍‌ ମେଟ୍ରୋ ଟ୍ରେନ୍‌ ଯୋଗେ ନଏଡାକୁ ଗସ୍ତ କରିଛନ୍ତି। ଦିଲ୍ଲୀ ମେଟ୍ରୋରେ ଉଭୟ ନେତା ଗସ୍ତ କରୁଥିବା ସମ୍ପର୍କିତ ଏକ ଫଟୋକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଟ୍ଵିଟ୍‌ କରାଯାଇଛି।

ସମ୍ବନ୍ଧିତ ଖବର