ପ୍ରବାସୀ ଶ୍ରମିକଙ୍କ ପାଇଁ ଆସିବ ବୃହତ ଯୋଜନା: ୧୧୬ ଜିଲ୍ଲା ଚିହ୍ନଟ କରାଯାଇଛି, ତାଲିକାରେ ଓଡ଼ିଶାର ୪ଟି ଜିଲ୍ଲା

ନୂଆଦିଲ୍ଲୀ: କରୋନା ସଙ୍କଟର ମୁକାବିଲା ଲାଗି ଘୋଷଣା କରାଯାଇଥିବା କଠୋର ଲକ୍‌ଡାଉନ୍ ପ୍ରଭାବରେ ଦେଶର ଯେଉଁ ଦୁର୍ବଳତା ସାମ୍ନାକୁ ଆସିଛି ତାହା ହେଉଛି ପ୍ରବାସୀ ଶ୍ରମିକ ସଙ୍କଟ। ଏଥିପାଇଁ ସରକାରଙ୍କୁ ବିରୋଧୀ ଦଳଗୁଡ଼ିକ କଡ଼ା ସମାଲୋଚନା କରୁଛନ୍ତି। ତେବେ ଏହି ସମସ୍ୟାର ସମାଧାନ କରିବା ଲାଗି କେନ୍ଦ୍ର ସରକାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଲକ୍‌ଡାଉନ୍‌ ପ୍ରଭାବରେ ନିଜ ରାଜ୍ୟକୁ ଫେରିଯାଇଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇଦେବା ଲାଗି ଏକ ବଡ଼ ଯୋଜନା ଉପରେ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସେଥିପାଇଁ ଦେଶର ସେହି ୧୧୬ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି ଯେଉଁଠାରେ ବହୁ ପରିମାଣରେ ପ୍ରବାସୀ ଶ୍ରମିକ ରହୁଛନ୍ତି।

ସୂଚନା ଅନୁଯାୟୀ, ଦେଶରେ ଯେଉଁ ୧୧୬ଟି ଜିଲ୍ଲା ଚିହ୍ନଟ କରାଯାଇଛି ସେଥି ମଧ୍ୟରୁ ଅଧିକାଂଶ ଜିଲ୍ଲା ବିହାର ଓ ଉତ୍ତରପ୍ରଦେଶରେ ରହିଛି। ତାଲିକାରେ ବିହାରର ୩୨ଟି ଓ ଉତ୍ତରପ୍ରଦେଶରେ ୩୧ଟି ଜିଲ୍ଲା ଥିବା ବେଳେ ମଧ୍ୟପ୍ରଦେଶରେ ୨୪ଟି, ରାଜସ୍ଥାନର ୨୨ଟି, ଝାଡ଼ଖଣ୍ଡରେ ତିନିଟି ଓ ଓଡ଼ିଶାର ଚାରିଟି ଜିଲ୍ଲା ରହିଛି। ନିଜ ରାଜ୍ୟକୁ ଫେରିଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ‌ହୋଇଛି। ପ୍ରବାସୀ ଶ୍ରମିକମାନଙ୍କୁ ମନରେଗା ଓ ନିକଟରେ ଘୋଷଣା କରାଯାଇଥିବା ଆତ୍ମନିର୍ଭର ଭାରତ ଅଭିଯାନରେ କାମଧନ୍ଦା ଯୋଗାଇଦେବା ଲାଗି ପ୍ରୟାସ କରାଯାଉଛି। ‌ସେମାନଙ୍କ ପାଖରେ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲାଗି ଜନ ଧନ ଯୋଜନା, କିସାନ କଲ୍ୟାଣ ଯୋଜନା, ଖାଦ୍ୟ ନିରାପତ୍ତା ଯୋଜନା, ପିଏମ୍ ଆବାସ ଯୋଜନାକୁ ବ୍ୟବହାର କରାଯିବ। ଏହା କିଭଳି ସମ୍ଭବ ହେବ ସେବିଷୟରେ ଜଣାଇବା ଲାଗି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ସବୁ ମନ୍ତ୍ରଣାଳୟକୁ କୁହାଯାଇଛି।

ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ପ୍ରବାସୀ ଶ୍ରମିକମାନଙ୍କ ଯେଉଁ ଭୟଙ୍କର ସ୍ଥିତି ସାମ୍ନାକୁ ଆସିଥିଲା ତାହା ସରକାରଙ୍କୁ ଅଡ଼ୁଆରେ ପକାଇଛି। ସେମାନଙ୍କୁ ଆଗୁଆ ସୂଚନା ନଦେଇ ତରବରିଆ ଭାବେ କାହିିଁକ ଲକ୍‌ଡାଉନ୍ ଘୋଷଣା କରାଗଲା ବୋଲି କହି ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରୁଛନ୍ତି। ଏହା ବ୍ୟତୀତ ‌ଯେଉଁ ରିଲିଫ୍ ପ୍ୟାକେଜ୍ ଘୋଷଣା କରାଯାଇଛି ତାହା ମଧ୍ୟ ଯଥେଷ୍ଟ ନୁହେଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ପ୍ରବାସୀ ଶ୍ରମିକ ସଙ୍କଟର ସମାଧାନ ଲାଗି ମନରେଗାକୁ ବ୍ୟାପକ ଭାବେ ବ୍ୟବହାର କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ବଜେଟ୍‌ ବାହାରେ ଏହି ସ୍କିମ୍‌ ପାଇଁ ଆଉ ୪୦ ହଜାର କୋଟି ଟଙ୍କା ଦିଆଯାଇଛି। ବଜେଟ୍‌ରେ ୬୧ ହଜାର କୋଟି ଟଙ୍କା ଦିଆଯାଇଥିଲା। ୨୦୧୪ରେ ସଂସଦରେ ମନରେଗାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାଲୋଚନା କରିବା ସହ କଂଗ୍ରେସର ଏହା ସବୁଠୁ ବଡ଼ ବିଫଳତା ବୋଲି କହିଥିଲେ। ଏବେ ମନେରଗାକୁ ସରକାର ବ୍ୟବହାର କରିବାକୁ ଯାଉଥିବାରୁ କଂଗ୍ରେସର ବରିଷ୍ଠ ଅଭିଶେଷ ସାଂଘଭି କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି।

ନିଜ ରାଜ୍ୟ ଭିତରେ ପ୍ରବାସୀ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇବା ଲାଗି ସରକାର ଯେଉଁ ଯୋଜନା ପ୍ରସ୍ତୁତ କରୁଛନ୍ତି ତାହାର ଆଗୁଆ ସଙ୍କେତ ଉତ୍ତରପ୍ରଦେଶରୁ ମିଳିଥିଲା। ବିଜେପି ଶାସିତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏସଂକ୍ରାନ୍ତରେ ଆଲୋଚନା କରିଥିଲେ। ରାଜ୍ୟ ବାହାରକୁ ଯିବା ଲାଗି ପ୍ରବାସୀ ଶ୍ରମିକମାନଙ୍କୁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ମଧ୍ୟ ସେ କହିଥିଲେ। ତେବେ ଏହି ଯୋଜନା କର୍ଣ୍ଣାଟକ, ଗୁଜରାଟ ଓ ମହାରାଷ୍ଟ୍ର ଭଳି ରାଜ୍ୟକୁ ଗୁରୁତର ଭାବେ ପ୍ରଭାବିତ କରିବ। କାରଣ ଏହି ରାଜ୍ୟଗୁଡ଼ିକର ଅର୍ଥନୀତି ପ୍ରବାସୀ ଶ୍ରମିକଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ। ଶିଳ୍ପ କାରଖାନା ଓ ନିର୍ମାଣ କାର୍ଯ୍ୟ ଚାଲୁ ରଖିବା ଲାଗି ଏହି ରାଜ୍ୟଗୁଡ଼ିକୁ ପ୍ରବାସୀ ଶ୍ରମିକ ନିହାତି ଦରକାର। ପ୍ରବାସୀ ଶ୍ରମିକମାନେ ଯେଭଳି ନିଜ ଘରକୁ ଫେରିନପାରିବେ ତାହା ନିଶ୍ଚିତ କରିବା ଲାଗି କିଛି ଦିନ ତଳେ ଏକ ଶ୍ରମିକ ଟ୍ରେନ୍‌କୁ କର୍ଣ୍ଣାଟକ ବାତିଲ କରିଥିଲା। ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ରାଜ୍ୟ ସରକାର ନିଜ ନିଷ୍ପତ୍ତି ବଦଳାଇଥିଲେ।

ସମ୍ବନ୍ଧିତ ଖବର