ବ୍ୟାଙ୍କ ପାଇଁ ଭିନ୍ନ ଅଡ଼ୁଆ, ଋଣ ସହ ଜମା ସୁଧ କମାଇବାକୁ ପଡ଼ୁଛି

ଋଣ ସୁଧ କମିଥିବାରୁ ଗ୍ରାହକ ଖୁସି, ଜମା ସୁଧରେ ହ୍ରାସ ଜମାକାରୀଙ୍କୁ ବାଧୁଛି

ମୁମ୍ବାଇ: ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ାଇବା ଲାଗି ଶିଳ୍ପ ସଂସ୍ଥା, ବ୍ୟବସାୟୀ ଓ ଗ୍ରାହକମାନଙ୍କୁ ଯେଭଳି ସୁବିଧାରେ ଋଣ ମିଳିପାରିବ ସେଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମିତ ବ୍ୟବଧାନରେ ରେପୋ ହାର ଓ ପଶ୍ଚାତଗାମୀ ରେପୋ ହାର ହ୍ରାସ କରୁଛନ୍ତି। ଏହାର ପ୍ରଭାବରେ ବ୍ୟାଙ୍କଗୁଡ଼ିକ ଋଣଗୁଡ଼ିକର ସୁଧ କମ୍ କରିବାକୁ ଏକପ୍ରକାର ବାଧ୍ୟ ହେଉଥିବା ବେଳେ ସେହି ଅନୁସାରେ ଜମାରାଶିର ସୁଧ ମଧ୍ୟ କମ୍ କରୁଛନ୍ତି। ଇତି ମଧ୍ୟରେ ଜମା ସୁଧ ଏତେ ତଳକୁ ଖସିଗଲାଣି ଯେ ତାହା ଗ୍ରାହକଙ୍କ ପାଇଁ ଆଉ ଆକର୍ଷଣୀୟ ହୋଇରହିନାହିଁ। ଅନେକ ଗ୍ରାହକ ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କଲେଣି। ଜମାକାରୀଙ୍କୁ ହରାଇବା ଭୟରେ ବ୍ୟାଙ୍କଗୁଡ଼ିକ ଜମା ଉପରେ ଦେଉଥିବା ସୁଧକୁ ଆଉ କମ୍ କରିବାକୁ ଚାହନୁାହାନ୍ତି। କିନ୍ତୁ ସେମାନଙ୍କ ପାଖରେ ବେଶି ବିକଳ୍ପ ମଧ୍ୟ ନାହିଁ। ଋଣ ସୁଧ କମ୍ କରି ଜମା ସୁଧ କମ୍ ନକଲେ ସେମାନଙ୍କ ଆୟ ପ୍ରଭାବିତ ହେବ ଯାହା ବ୍ୟାଙ୍କଗୁଡ଼ିକ ଚାହିବେ ନାହିଁ। ତେଣୁ ଉଭୟ ସୁଧ ମଧ୍ୟରେ ସନ୍ତୁଳନ ରଖିବା ହିଁ ବ୍ୟାଙ୍କଗୁଡ଼ିକ ପାଇଁ ଶ୍ରେଷ୍ଠ ଉପାୟ ବୋଲି କୁହାଯାଉଛି।

କରୋନା ସଙ୍କଟ ମୁକାବିଲା ଲାଗି ଲକ୍‌ଡାଉନ୍ ଘୋଷଣା କରାଯାଇଥିବାରୁ ଋଣ ଗ୍ରାହକମାନଙ୍କୁ ସାହାଯ୍ୟ କରିବା ଲାଗି ସେମାନଙ୍କୁ ଛଅ ମାସର ମୋରାଟୋରିଅମ୍ ସୁବିଧା ଦିଆଯାଉଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ୨୦ ପ୍ରତିଶତ ଗ୍ରାହକ ଏହି ବିକଳ୍ପ ଚୟନ କରିଥିବା ବେଳେ ବ୍ୟାଙ୍କ ଅଫ୍‌ ବରୋଦାର ୯୦ ପ୍ରତିଶତ ଗ୍ରାହକ ମୋରାଟୋରିଅମ୍ ସୁବିଧା ନେଇଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ଇଏମ୍‌ଆଇ ଜରିଆରେ ବ୍ୟାଙ୍କଗୁଡ଼ିକର ଯେଉଁ ଆୟ ହେଉଥିଲା ତାହା ଏହି ସମୟ ଭିତରେ ପ୍ରଭାବିତ ହେବ। ଏଭଳି ଏକ ଜଟିଳ ସମୟରେ ସେମାନେ ଜମା ସୁଧ କମ୍ କଲେ ଜମାକାରୀମାନେ ବ୍ୟାଙ୍କ ଠାରୁ ଦୂରେଇ ଯିବାର ଭୟ ରହିଛି। ଯେହେତୁ ଗ୍ରାହକଙ୍କ ଜମାରାଶି ବ୍ୟାଙ୍କ ପାଇଁ ପାଣ୍ଠିର ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସ ତେଣୁ ତାହା ପ୍ରଭାବିତ ହେଉ ବୋଲି ସେମାନେ ଚାହୁନାହାନ୍ତି। ବ୍ରୋକରେଜ୍ ସଂସ୍ଥା ମୋତିଲାଲ ଓସ୍ବାଲ ପକ୍ଷରୁ ସୂଚନା ଦିଆଯାଇଛି ଯେ, କିଛି ମାସ ଭିତରେ ମିଆଦୀ ଜମା ସୁଧରେ ୧.୫୦ ପ୍ରତିଶତ ହ୍ରାସ ଘଟିଲାଣି। ବଡ଼ ବ୍ୟାଙ୍କଗୁଡ଼ିକ ଉଭୟ ଜମା ଓ ଋଣ ସୁଧ ଭିତରେ ଅସନ୍ତୁଳନକୁ ସହ୍ୟ କରିପାରିବେ। କିନ୍ତୁ ମଧ୍ୟମ ଓ ଛୋଟ ବ୍ୟାଙ୍କଗୁଡ଼ିକ ପାଇଁ ଏହି ଦୁଇ ପ୍ରକାର ସୁଧ ଉପରେ ସନ୍ତୁଳନ ହାସଲ କରିବା ଅତ୍ୟନ୍ତ କଷ୍ଟକର। ନିକଟରେ ଏ ସଂକ୍ରାନ୍ତରେ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ରଜନୀଶ କୁମାର ମଧ୍ୟ ଆଲୋଚନା କରିଥିଲେ। ସେ କହିଥିଲେ, ଜମା ସୁଧ କେତେ ତଳକୁ ଖସିବ ତାହାର ଏକ ସୀମା ରହିଛି। ଅନେକ ଗ୍ରାହକ ଅଭିଯୋଗ କଲେଣି ଯେ ଷ୍ଟେଟ୍‌ ବ୍ୟାଙ୍କ ଜମାକାରୀଙ୍କ ବିଷୟରେ ଚିନ୍ତା କରୁନାହିଁ। ଷ୍ଟେଟ୍‌ ବ୍ୟାଙ୍କ ଏବେ ୨ କୋଟି ଟଙ୍କାରୁ କମ୍ ମୂଲ୍ୟର ଜମା ରଖିଥିବା ଗ୍ରାହକଙ୍କୁ ୫.୫ ପ୍ରତିଶତ ସୁଧ ଦେଉଛି। କିନ୍ତୁ କାନାରା ବ୍ୟାଙ୍କର ଓଏସ୍‌ଡି ମୃତ୍ୟୁଞ୍ଜୟ ମହାପାତ୍ର ଭିନ୍ନ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ବିଗତ କିଛି ମାସ ଭିତରେ ଗ୍ରାହକଙ୍କ ଖର୍ଚ୍ଚ ବହୁତ କମିଛି ଏବଂ ସେମାନେ ଅଧିକ ସଂଚୟ ମୁହାଁ ହୋଇଛନ୍ତି। ତେଣୁ ବ୍ୟାଙ୍କ ପାଖରେ ଅଧିକ ଜମାରାଶି ପହଞ୍ଚୁଛି। ଏହା ବ୍ୟାଙ୍କଗୁଡ଼ିକୁ ଜମା ସୁଧ କମ୍ କରିବାର ସ୍ବାଧୀନତା ଦେଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର