ଭୁବନେଶ୍ବର: କିଛି ମାସ ପୂର୍ବେ ଭାରତର ସବୁଠୁ ମହଙ୍ଗା ବଜାର ଭାବେ ପରିଗଣିତ ହେଉଥିବା ଓଡ଼ିଶାର ଖୁଚୁରା ବଜାର ଦରଦାମ୍ ସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଛି। ଲଗାତାର ଭାବେ ଦାମ୍ ଉଚ୍ଚା ରହିବାରୁ ଗତ ମାସରେ ଖାଉଟି ବ୍ୟାପାର ବିଭାଗ ଓଡ଼ିଶା ସରକାରଙ୍କୁ ତାଙ୍କ ଦାୟିତ୍ବ ବିଷୟରେ ମନେ ପକାଇଥିଲେ। ଦର ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନେବାକୁ କହିଥିଲେ। ତାହାର ପ୍ରଭାବ ଫେବ୍ରୁଆରି ମାସରେ ସ୍ପଷ୍ଟ ଅନୁଭୂତ ହୋଇଛି। ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଫେବ୍ରୁଆରିରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ୩.୮୬ ପ୍ରତିଶତ ଭଳି ନିମ୍ନସ୍ତରକୁ ହ୍ରାସ ପାଇଛି। କିଛି ମାସ ପୂର୍ବରୁ ଏଭଳି ଚମତ୍କାର ହେବ ବୋଲି କଳ୍ପନା ମଧ୍ୟ କରାଯାଇପାରୁନଥିଲା।
ଖୁଚୁରା ମୁଦ୍ରାସ୍ଫୀତି ୩.୮୬%କୁ ହ୍ରାସ
ପନିପରିବା, ମାଛ, ମାଂସ ଶସ୍ତା; ସୁନା, ରୁପା ମହଙ୍ଗା
୨୦୨୪ ଡିସେମ୍ବରରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ୬.୯୭ ପ୍ରତିଶତ ଓ ଜାନୁଆରିରେ ୬.୦୫ଭଳି ଉଚ୍ଚା ଥିଲା। ଗୋଟିଏ ମାସରେ ସେଥିରେ ୨.୧୯ ପ୍ରତିଶତ ଭଳି ହ୍ରାସ ଘଟିଛି। ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଦରଦାମ୍ ସ୍ଥିତିରେ ଉନ୍ନତି ହୋଇଛି। ଗ୍ରାମୀଣ ମୁଦ୍ରାସ୍ଫୀତି ୬.୭୯ ପ୍ରତିଶତରୁ ୪.୩୦ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ସହରାଞ୍ଚଳ ମୁଦ୍ରାସ୍ଫୀତି ୪.୦୭ ପ୍ରତିଶତରୁ ହ୍ରାସ ପାଇ ୨.୭୫ ପ୍ରତିଶତ ହୋଇଛି। ଗତ ଫେବ୍ରୁଆରିରେ ଅଦା, ଜିରା, ଟମାଟୋ, ଫୁଲକୋବି ଓ ରସୁଣ ଦାମ୍ ଯଥେଷ୍ଟ କମିଥିଲା। ଏଥି ସହିତ ପନିପରିବା, ଅଣ୍ଡା, ମାଂସ, ମାଛ, ଡାଲି ଓ ଦୁଗ୍ଧ ଜାତୀୟ ଉତ୍ପାଦ ଦାମ୍ ମଧ୍ୟ ହ୍ରାସ ପାଇଥିଲା। ଇନ୍ଧନ ଓ ଆଲୋକ ଦରଦାମ୍ କମ୍ ହୋଇଥିବା ବେଳେ ପାଠପଢ଼ା ଓ ସ୍ବାସ୍ଥ୍ୟ ସେବା ଖର୍ଚ୍ଚ ସାମାନ୍ୟ ବଢ଼ିଛି। ପରିବହନ ଓ ଯୋଗାଯୋଗ ମଧ୍ୟ କିଛିଟା ମହଙ୍ଗା ହୋଇଥିଲା। ତେବେ ନଡ଼ିଆ ତେଲ, ନଡ଼ିଆ, ସୁନା, ରୁପା ଓ ପିଆଜ ମହଙ୍ଗା ହୋଇଥିଲା ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି।
ସର୍ବଭାରତୀୟ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୩.୬୧ ପ୍ରତିଶତକୁ ହ୍ରାସ ପାଇଛି ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ସୀମାଠାରୁ କମ୍। ତେଣୁ ଆଗାମୀ ଦିନର ସୁଧ ହାର ଆହୁରି ହ୍ରାସ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ଦେଶରେ ସହରାଞ୍ଚଳ ଖୁଚୁରା ମୁଦ୍ରାସ୍ଫୀତି ୩.୭୯ ପ୍ରତିଶତ ଓ ଗ୍ରମାଞ୍ଚଳ ମୁଦ୍ରାସ୍ଫୀତି ୩.୩୨ ପ୍ରତିଶତ ରହିଛି। ଫେବ୍ରୁଆରିରେ ଦେଶର ସବୁଠୁ ମହଙ୍ଗା ବଜାର ଥିଲା କେରଳ। ସେଠାରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୩୧ ପ୍ରତିଶତ ରହିଛି। ଏହା ପଛକୁ ରହିଛନ୍ତି ଛତିଶଗଡ଼ (୪.୮୯%), କର୍ଣ୍ଣାଟକ (୪.୪୯%), ବିହାର (୪.୪୭%) ଓ ଜାମ୍ମୁ ଓ କଶ୍ମୀର (୪.୨୮%)।
କେନ୍ଦ୍ର ସରକାର ଲୋକମାନେ ଖୁଚୁରା ବଜାରରୁ କିଣୁଥିବା ବିଭିନ୍ନ ଜିନିଷର ଦାମ୍କୁ ନେଇ ମୁଦ୍ରାସ୍ଫୀତି ହିସାବ କରିଥାନ୍ତି। ସେଥିରେ ବୃଦ୍ଧି ଦରଦାମ୍ ଅଧିକ ରହିବା ଏବଂ ହ୍ରାସ ଦରଦାମ୍ କମ୍ ହୋଇଥିବାକୁ ବୁଝାଇଥାଏ। ଦରଦାମ୍କୁ ନିୟନ୍ତ୍ରଣରେ ରଖିବା ଲାଗି ସରକାର ରିଜର୍ଭ ବ୍ୟାଙ୍କୁ ଏକ ଲକ୍ଷ୍ୟ ଦେଇଛନ୍ତି। ତାହା ହେଉଛି ୪ (+/-୨ ପ୍ରତିଶତ। ଅର୍ଥାତ୍, ଖୁଚୁରା ମୁଦ୍ରାସ୍ଫୀତିକୁ ଅତିବେଶିରେ ୬ ପ୍ରତିଶତ ମଧ୍ୟରେ ରଖିବାକୁ ହେବ। ଓଡ଼ିଶାର ମୁଦ୍ରାସ୍ଫୀତି ଅନେକ ଦିନ ଧରି ନିର୍ଧାରିତ ସ୍ତରକୁ ଆସିପାରୁନଥିଲା।