ଓଡ଼ିଶାରେ ବନ୍ଦର ସ୍ଥାପନ କରିବାକୁ ବିହାର ଆଗ୍ରହୀ, ରାଜ୍ୟ ସହ ବିହାର ପ୍ରତିନିଧି ଦଳର ଆଲୋଚନା

ଶୀଘ୍ର ପରିଦର୍ଶନରେ ଆସିବ ବୈଷୟିକ ଟିମ୍

ଭୁବନେଶ୍ବର: ଓଡ଼ିଶାରେ ଏକ ବନ୍ଦର ସ୍ଥାପନ କରିବାକୁ ବିହାର ଆଗ୍ରହ ପ୍ରକାଶ କରିଛି। ବିହାର ଅତିରିକ୍ତ ମୁଖ୍ୟ ସଚିବ ବ୍ରିଜେଶ ମେହରୋତ୍ରାଙ୍କ ନେତୃତ୍ବରେ ବିହାରର ବରିଷ୍ଠ ଅଧିକାରୀମାନଙ୍କ ଏକ ଟିମ୍ ଆଜି ଏ ସମ୍ପର୍କରେ ଲୋକସେବା ଭବନରେ ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଆଲୋଚନା କରିଛନ୍ତି। ରାଜ୍ୟରେ ପ୍ରଚଳନରେ ଥିବା ନୀତି ଅନୁସାରେ ଯାହା ସବୁ ସମ୍ଭବ ସହାୟତା ଦରକାର ତାହା ‌‌ଯୋଗାଇ ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏହି ଅବସରରେ ବିହାର ପ୍ରତିନିଧି ଦଳକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ବନ୍ଦର ପାଇଁ ଚିହ୍ନଟ ହୋଇଥିବା ୧୪ଟି ସମ୍ଭାବ୍ୟ ସ୍ଥାନ ବିଷୟରେ ଅବଗତ କରିଥିଲେ। ବିଭାଗର ସ୍ବତନ୍ତ୍ର ସଚିବ ମନୋଜ କୁମାର ମିଶ୍ର ଚିହ୍ନଟ ହୋଇଥିବା ପ୍ରତିଟି ସ୍ଥାନରେ ଥିବା ସୁବିଧା ଓ ଆହ୍ବାନଗୁଡ଼ିକ ବିଷୟରେ ସୂଚନା ଦେଇଥିଲେ। ପାରାଦୀପ ବନ୍ଦର ଉତ୍ତରକୁ ସାତଟି ସ୍ଥାନ ଚିହ୍ନଟ କରାଯାଇଥିବା ବେଳେ ଦକ୍ଷିଣ ପାର୍ଶ୍ବରେ ଆଉ ସାତଟି ସ୍ଥାନ ଚିହ୍ନଟ ହୋଇଛି। ଉତ୍ତର ପାର୍ଶ୍ବରେ ଚିହ୍ନଟ ହୋଇଥିବା ସ୍ଥାନଗୁଡ଼ିକ ବିହାର ପାଇଁ ଉପଯୁକ୍ତ ହେବ ବୋଲି ଆଲୋଚନା ହୋଇଥିଲା। ଖୁବ୍‌ଶୀଘ୍ର ବିହାରର ଏକ ବୈଷୟିକ ଟିମ୍ ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ କରିବେ ଓ ବନ୍ଦର ସ୍ଥାପନ କରିବାର ସମ୍ଭାବନା ରହିଛି ନା ନାହିଁ ତାହା ଅନୁଶୀଳନ କରିବେ। ଓଡ଼ିଶାରେ ବନ୍ଦର ପରିଚାଳନା କରିବା ଲାଗି ଅନେକ ସଫଳ ବାଣିଜ୍ୟିକ ମଡେଲ୍‌ ରହିଛି ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି। ଏକ ବନ୍ଦର ସ୍ଥାପନ କରିବା ଲାଗି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରିଥିବା ଅନୁରୋଧକୁ ଗ୍ରହଣ କରିଥିବାରୁ ବିହାରର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ମେହରୋତ୍ରା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ପୋଷାକ କାରଖାନା ପରିଦର୍ଶନ କରିଥିଲେ ଏବଂ ଶିଳ୍ପାଞ୍ଚଳରେ ବିକଶିତ ହୋଇଥିବା ଭିତ୍ତିଭୂମି ଓ ସୁବିଧା ସୁଯୋଗକୁ ଦେଖି ଆନନ୍ଦ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର