ଭୁବନେଶ୍ବର: ଚଳିତ ବର୍ଷ ଜୁଲାଇରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ସ୍ଥିତିରେ ବଡ଼ ଧରଣର ସୁଧାର ଘଟିଛି। ସାଧାରଣତଃ ୭ ପ୍ରତିଶତରୁ ଅଧିକ ରହୁଥିବା ଏହି ମୁଦ୍ରାସ୍ଫୀତି ହାର ପ୍ରଥମ ଥର ପାଇଁ ୫ ପ୍ରତିଶତରୁ କମ୍ ହୋଇଛି। ଜୁଲାଇରେ ରାଜ୍ୟର ମୁଦ୍ରାସ୍ଫୀତି ୪.୮୩ ପ୍ରତିଶତକୁ ହ୍ରାସ ପାଇଛି। ଆଉ ଏକ ଆଶ୍ବସ୍ତିର ବିଷୟ ହେଉଛି, ଓଡ଼ିଶା ଆଉ ଦେଶର ସବୁଠୁ ମହଙ୍ଗା ଖୁଚୁରା ବଜାର ହୋଇରହିନାହିଁ। ଆସାମ ଓ ବିହାର ସବୁଠୁ ମହଙ୍ଗା ବଜାର ଭାବେ ଉଭା ହୋଇଛି। ଚଳିତ ବର୍ଷ ଜୁନ୍‌ରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ଦେଶରେ ସର୍ବାଧିକ ୭.୨୨ ପ୍ରତିଶତ ଥିଲା। ଗୋଟିଏ ମାସରେ ସେଥିରେ ୨.୩୯ ପ୍ରତିଶତର ହ୍ରାସ ଘଟିଛି। କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁଯାୟୀ ଜୁଲାଇ ମାସରେ ଓଡ଼ିଶାରେ ଗ୍ରାମୀଣ ମୁଦ୍ରାସ୍ଫୀତି ହାର ୫.୪୮ ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ୩.୨୦ ପ୍ରତିଶତ ରହିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଦରଦାମ୍‌ର ଚାପ ସହରାଞ୍ଚଳରେ କମ୍ ହୋଇଥିବା ବେଳେ ଗ୍ରାମାଞ୍ଚଳ ବଜାର ଏବେବି ଚାପ ଦେଇ ଗତି କରୁଛି। ପ୍ୟାକେଟ୍‌ରେ ବିକ୍ରି ହେଉଥିବା ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ଦାମ୍ କମ୍ ହେଲେ ସହରାଞ୍ଚଳରେ ମୁଦ୍ରାସ୍ଫୀତି କମ୍ ହୋଇଥାଏ। ମାତ୍ର କୃଷିଜାତ ଦ୍ରବ୍ୟ ମହଙ୍ଗା ରହିଲେ ଗ୍ରାମୀଣ ମୁଦ୍ରାସ୍ଫୀତି ଅଧିକ ରହିଥାଏ।

Advertisment

ସର୍ବଭାରତୀୟ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୩.୫୪ ପ୍ରତିଶତକୁ ହ୍ରାସ ପାଇଛି। ପ୍ରଥମ ଥର ପାଇଁ ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୪ ପ୍ରତିଶତ ଲକ୍ଷ୍ୟ ମଧ୍ୟକୁ ଆସିଛି। ତେଣୁ ଆଗାମୀ ଦିନରେ ରିଜର୍ଭ ବ୍ୟାଙ୍କ ଲାଗି ସୁଧ କମ୍ କରିବାର ପଥ ପ୍ରଶସ୍ତ ହୋଇଛି। ରାଜ୍ୟଗୁଡ଼ିକ ଉପରେ ନଜର ପକାଇଲେ ୪ ପ୍ରତିଶତରୁ ଅଧିକ ମୁଦ୍ରାସ୍ଫୀତି ହାର ଥିବା ରାଜ୍ୟଗୁଡ଼ିକ ହେଉଛି ବିହାର (୫.୮୭%), ଆସାମ (୫.୧୧%), ହରିୟାଣା (୪.୫୨%), କେରଳ (୪.୫୧%) ଓ ଉତ୍ତରପ୍ରଦେଶ (୪.୫୭%)। ପଶ୍ଚିମବଙ୍ଗର ମୁଦ୍ରାସ୍ଫୀତି ହାର ୩.୫୨ ପ୍ରତିଶତ ଥିବା ବେଳେ ତାମିଲନାଡ଼ୁରେ ୩ ପ୍ରତିଶତ, ମହାରାଷ୍ଟ୍ରରେ ୩.୨୩ ପ୍ରତିଶତ, କର୍ଣ୍ଣାଟକରେ ୩.୪୬ ପ୍ରତିଶତ, ଗୁଜରାଟରେ ୩.୧୬ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୩.୩୯ ପ୍ରତିଶତ ଏବଂ ପଞ୍ଜାବରେ ୩.୦୩ ପ୍ରତିଶତ ରହିଛି। ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫୯ ମାସର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ପନିପରିବା, ଫଳ, ମସଲା ଆଦିର ମୂଲ୍ୟରେ ଜୁଲାଇରେ ସର୍ବାଧିକ ହ୍ରାସ ଘଟିଥିଲା। ‌ସେଥିପାଇଁ ଖୁଚୁରା ମୁଦ୍ରାସ୍ଫୀତି କମ୍ ହୋଇଛି। ଦୀର୍ଘ ପାଞ୍ଚ ବର୍ଷ ପରେ ପ୍ରଥମ ଥର ପାଇଁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାରେ ରିଜର୍ଭ ବ୍ୟାଙ୍କ ସଫଳ ହୋଇଛି। ଶେଷ ଥର ପାଇଁ ୨୦୧୯ ଅଗଷ୍ଟରେ ମୁଦ୍ରାସ୍ଫୀତିକୁ ଏହି ସ୍ତରରେ ଦେଖିବାକୁ ମିଳିଥିଲା।