ଅଗଷ୍ଟରେ ସ୍କୁଟର, ବାଇକ୍ ବିକ୍ରି କମିଲା

ଟ୍ରାକ୍ଟର ବିକ୍ରି ବି ମାନ୍ଦା

ନୂଆଦିଲ୍ଲୀ: କେବଳ କାର୍ ନୁହେଁ ବାଇକ୍ ଓ ସ୍କୁଟର ବିକ୍ରି ମଧ୍ୟ କମିବାରେ ଲାଗିଛି। ଦୁଇ ଚକିଆ ଯାନ ନିର୍ମାଣ କରୁଥିବା କଂପାନିଗୁଡ଼ିକର ଅଗଷ୍ଟ ମାସ ବିକ୍ରିରୁ ଏହା ଜଣାପଡ଼ିଛି। ‌ବାଇକ୍ ଓ ସ୍କୁଟର ବିକ୍ରି କରୁଥିବା ପ୍ରାୟ ସବୁ ପ୍ରମୁଖ କଂପାନିର ବିକ୍ରି ଅଗଷ୍ଟରେ ହ୍ରାସ ପାଇଛି। ଅଗଷ୍ଟରେ ବଜାଜ ‌ଅଟୋର ବିକ୍ରି ୨୧% ହ୍ରାସ ପାଇଛି। ଏହି ମାସରେ କଂପାନି ୧ ଲକ୍ଷ ୭୩ ହଜାର ୨୪ଟି ବାଇକ୍ ବିକ୍ରି କରିଛି। ରପ୍ତାନି କ୍ଷେତ୍ରରେ କିନ୍ତୁ ବଜାଜ ୫% ଅଭିବୃଦ୍ଧି ହାସଲ କରିବାରେ ସଫଳ ହୋଇଛି। ବଜାଜ ପକ୍ଷରୁ ଦେଶରେ ପଲ୍‌ସର୍‌, ପ୍ଲାଟିନା, ସିଟି, ଆଭେଞ୍ଚର୍‌, ଡିସ୍‌କଭର୍‌, ଡେମିନାର୍ ଭଳି ଲୋକପ୍ରିୟ ବାଇକ୍ ବିକ୍ରି କରାଯାଉଛି।

ଦେଶ‌ ଭିତରେ ଟିଭିଏସ୍‌ ମୋଟର୍‌ର ବିକ୍ରି ମଧ୍ୟ ୨୦% କମିଛି। ଗତ ଅଗଷ୍ଟ ମାସରେ କଂପାନି ୨ ଲକ୍ଷ ୧୯ ହଜାର ୫୨୮ଟି ଦୁଇ ଚକିଆ ଗାଡ଼ି ବିକ୍ରି କରିଛି। କଂପାନି ଏହି ମାସରେ ୧ ଲକ୍ଷ ୯ ହଜାର ବାଇକ୍ ବିକି ଥିବା ବେଳେ ପାଖାପାଖି ସମାନ ପରିମାଣର ସ୍କୁଟର ମଧ୍ୟ ବିକ୍ରି କରିଛି। ଏହି କଂପାନି ଆପାଚି ଓ ଜୁପିଟର୍‌ ଭଳି ଲୋକପ୍ରିୟ ଦୁଇ ଚକିଆ ଗାଡ଼ି ବିକ୍ରି କରୁଛି। ହିରୋ ମୋଟୋକର୍ପର ବିକ୍ରି ଅଗଷ୍ଟରେ ୨୦.୬% କମିଛି। ଏହି ମାସରେ କଂପାନି ୫ ଲକ୍ଷ ୪୩ ହଜାର ୪୦୬ଟି ଗାଡ଼ି ବିକ୍ରି କରିଛି। ସ୍ପ୍ଲ‌େଣ୍ଡର୍‌, ଗ୍ଲାମର୍‌, ପ୍ଳେଜର୍, ମାଏଷ୍ଟ୍ରୋ ଓ ଡେଷ୍ଟିନି ଭଳି ଲୋକପ୍ରିୟ ଗାଡ଼ିକୁ ହିରୋ ମୋଟୋକର୍ପ ବିକ୍ରି କରୁଛି। ସୁଜୁକି ୨ହ୍ବିଲର୍ସ ଏକମାତ୍ର କଂପାନି ଭାବେ ବିକ୍ରି କ୍ଷେତ୍ରରେ ୨.୨% ଅଭିବୃଦ୍ଧି ହାସଲ କରିଥିବା ପ୍ରକାଶ କରିଛି। ସୁଜୁକି ପକ୍ଷରୁ ମୋଟ ୭୧,୬୩୧ଟି ଗାଡ଼ି ବିକ୍ରି ଓ ରପ୍ତାନି କରାଯାଇଛି। ବୁଲେଟ୍‌ ବିକ୍ରି କରୁଥିବା ରୟାଲ୍‌ ଏନ୍‌ଫିଲ୍ଟର ବିକ୍ରି ଅଗଷ୍ଟରେ ୨୪% ହ୍ରାସ ପାଇଛି। କଂପାନି ଏହି ମାସରେ ୫୨ ହଜାର ୯୦୪ଟି ଗାଡ଼ି ବିକ୍ରି କରିଛି।

ଉଲ୍ଲେଖଯୋଗ୍ୟ, କାର୍‌ କଂପାନିଗୁଡ଼ିକର ବିକ୍ରି ଅଗଷ୍ଟରେ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଟାଟା ମୋଟର୍ସର ବିକ୍ରି ୫୮%, ହୋଣ୍ଡା କାରସ୍‌ର ୫୧%, ମାରୁତି ସୁଜୁକିର ୩୬%, ମହିନ୍ଦ୍ରାର ୨୫%, ଟୟୋଟାର ୨୪% ଏବଂ ହୁଣ୍ଡାଇର ବିକ୍ରି ୯.୫୪% ହ୍ରାସ ପାଇଛି।

ଟ୍ରାକ୍ଟର ବିକ୍ରି ବି ମାନ୍ଦା
ଦେଶରେ ଟ୍ରାକ୍ଟର ବିକ୍ରି ମଧ୍ୟ ମାନ୍ଦା ରହିଛି। ଏସ୍‌କର୍ଟସ୍‌ କଂପାନିର ବିକ୍ରି ଅଗଷ୍ଟରେ ୧୯.୫% ହ୍ରାସ ପାଇଛି। କଂପାନି ଏହି ମାସରେ ୩୭୬୩ଟି ଟ୍ରାକ୍ଟର ବିକ୍ରି କରିଛି। ସେହି ସମୟରେ ଏହାର ଅନ୍ୟତମ ପ୍ରତିଦ୍ବନ୍ଦ୍ବୀ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ବିକ୍ରି ମଧ୍ୟ ଅଗଷ୍ଟ ୧୬.୭% ହ୍ରାସ ପାଇଛି। କଂପାନି ଏହି ମାସରେ ୧୪,୮୧୭ଟି ଟ୍ରାକ୍ଟର ବିକ୍ରି କରିଛି। କିନ୍ତୁ, ତିନି ଚକିଆ ବିକ୍ରିରେ ମିଶ୍ରିତ ଫଳ ଦେଖିବାକୁ ମିଳିଛି। ଅଗଷ୍ଟରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଏବଂ ଟିଭିଏସ୍‌ ମୋଟର କଂପାନିର ତିନି ଚକିଆ ଗାଡ଼ି ବିକ୍ରି ବଢ଼ିଥିବା ବେଳେ ବଜାଜ ଅଟୋର ତିନି ଚକିଆ ବିକ୍ରି ହ୍ରାସ ପାଇଛି।

ସମ୍ବନ୍ଧିତ ଖବର