ନୂଆଦିଲ୍ଲୀ: ଓଲା, ଉବର, ରାପି‌ଡ଼ୋ ଭଳି ବାଇକ୍ ଟ୍ୟାକ୍ସି ସେବା ପ୍ରଦାନକାରୀ କମ୍ପାନିଙ୍କ ଉପରେ ଦିଲ୍ଲୀ ସରକାର କଟକଣା ଲଗାଇଛନ୍ତି। ତୁରନ୍ତ ‌େସବା ବନ୍ଦ ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି। ପରିବହନ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, ଅଣ ପରିବହନ (ପ୍ରାଇଭେଟ) ପଞ୍ଜୀକରଣ ହୋଇଥିବା ଦୁଇ ଚକିଆ ଯାନକୁ ଯାତ୍ରୀ ପରିବହନ ପାଇଁ ବ୍ୟବହାର କରାଯାଉଛି। ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶନାମା ସତ୍ତ୍ବେ କେତେକ ଆପ୍‌ରେ ଏବେ ବି ସେବା ମିଳୁଛି। ପ୍ରଥମ ଥର ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୫ ହଜାର ଟଙ୍କାର ଜରିମାନା ଆଦାୟ ହେବ। ଦ୍ବିତୀୟ କିମ୍ବା ପରବର୍ତ୍ତୀ ପର୍ଯ୍ୟାୟରେ ଧରାପଡ଼ିଲେ ୧୦ ହଜାର ଟଙ୍କା ଜରିମାନା ସହିତ ଜେଲଦଣ୍ଡ ମଧ୍ୟ ହେବ। ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଟ୍ରାଫିକ ପୁଲିସ ବିଭାଗ ଓଲା, ଉବର ଏବଂ ରାପିଡ଼ୋ ସହ ଜଡ଼ିତ ଗାଡ଼ିଗୁଡ଼ିକର ଯାଞ୍ଚ କରୁଛି। ଯଦି ବାରମ୍ବାର ନିୟମ ଉଲ୍ଲଂଘନ କରାଯାଏ ତାହେଲେ ସଂପୃକ୍ତ ବ୍ୟକ୍ତିର ଡ୍ରାଇଭିଂ ଲାଇସେନ୍ସ ଅତିକମ୍‌ରେ ୩ ବର୍ଷ ପାଇଁ ରଦ୍ଦ କରାଯିବ।

Advertisment

ମହାରାଷ୍ଟ୍ରରେ ସୁପ୍ରିମକୋର୍ଟ ରାପିଡ଼ୋ ସେବା ନିଷିଦ୍ଧ କରିବା ପରେ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଭଳି ବାଇକ୍ ସେବା କ୍ଷେତ୍ରରେ କେତେକ ସମସ୍ୟା ରହିଛି। ସେଥିରୁ ଗୋଟିଏ ବଡ଼ ସମସ୍ୟା ହେଲା ଏମର୍ଜେନ୍ସି ବଟନର କୌଣସି ବ୍ୟବସ୍ଥା ନାହିଁ। ତେଣୁ ମହିଳା ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ରହିଛି। ବର୍ତ୍ତମାନର ନିୟମ ଅନୁଯାୟୀ, ଯେଉଁଠି ଡ୍ରାଇଭର ଏବଂ ଜଣେରୁ ଅଧିକ ଯାତ୍ରୀ ରହିଥାନ୍ତି ତାହାକୁ ଟ୍ୟାକ୍ସି ସେବା ଭାବେ ବିବେଚନା କରାଯାଇଥାଏ ବୋଲି ଜଣେ ଅଧିକାରୀ କହିଛନ୍ତି। ତେଣୁ କେବଳ ୪ ଚକିଆ କ୍ୟାବ, ଅଟୋ ରିକ୍ସା ଏବଂ ଇ-ରିକ୍ସା ଏହି ବର୍ଗରେ ଆସିଥାଏ। କ୍ୟାବ ସେବା ପାଇଁ କେତେକ ନିୟମ ମାନିବାକୁ ପଡ଼ିଥାଏ। ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କ କହିବାନୁଯାୟୀ, ୨ ଚକିଆ, ୩ ଚକିଆ ଏବଂ ୪ ଚକିଆ ପାଇଁ ଏଗ୍ରିଗେଟର ନୀତି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ। ଫଳରେ ଏଗ୍ରିଗେଟରମାନେ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ ସରକାର ଦୁଇ ଚକିଆ ଇଭିକୁ ବାଇକ୍ ଟ୍ୟାକ୍ସି ସେବା ପାଇଁ ଅନୁମୋଦନ ଦେବା ବିଷୟରେ ଚିନ୍ତା କରୁଛନ୍ତି।

ଜରିମାନା ନଲଗାଇବାକୁ ସଂଘର ଚିଠି
ବେଙ୍ଗାଲୁରୁ: ଓଲା, ଉବର ଏବଂ ରାପିଡ଼ୋ କମ୍ପାନିକୁ ସେମାନଙ୍କ ବାଇକ୍‌ ଟ୍ୟାକ୍ସି ସେବା ତୁରନ୍ତ ବନ୍ଦ କରିବା ଲାଗି ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେବା ସହିତ ଜରିମାନା ଆଦାୟ କରିବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଇଣ୍ଟରନେଟ୍ ଆଣ୍ଡ୍ ମୋବାଇଲ ‌ଆସୋସିଏସନ ଅଫ୍ ଇଣ୍ଡିଆ (ଆଇଏଏମ୍‌ଏଆଇ) ଏ ପ୍ରକାର ଜରିମାନା ନଲଗାଇବା ପାଇଁ ଦିଲ୍ଲୀ ସରକାରଙ୍କୁ ପ୍ରସ୍ତାବ ଦେଇଛି। ଉପରୋକ୍ତ କମ୍ପାନିଗୁଡ଼ିକ ଏହି ସଂଘର ସଦସ୍ୟ ରହିଛନ୍ତି। ସଂଘର ଯୁକ୍ତି ହେଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋଟର ଯାନ ଏଗ୍ରିଗେଟରଙ୍କ ପାଇଁ ୨୦୨୦ ମସିହାରେ ମାର୍ଗଦର୍ଶିକା ଜାରି ହୋଇଥିଲା ସେଥିରେ ଅଣ ପରିବହନ ଯାନ ବ୍ୟବହାର ପାଇଁ ପ୍ରୋତ୍ସାହନ କରାଯାଇଥିଲା। ଆଇଏଏମଏଆଇର କହିବାନୁଯାୟୀ ଉକ୍ତ ସେବା ବନ୍ଦ ଦ୍ବାରା ଅସଙ୍ଗଠିତ କ୍ଷେତ୍ରର ବ୍ୟକ୍ତିମାନଙ୍କ ଜୀବିକା ପ୍ରଭାବିତ ହେବ। ୨୦୨୨ ମସିହାରେ କେନ୍ଦ୍ର ସରକାରଙ୍କ ମାଗଦର୍ଶିକା ଏବଂ ଦିଲ୍ଲୀ ସରକାରଙ୍କ ନୂଆ ନିୟମ ଜାରି ପରେ ସେବା ପ୍ରଦାନକାରୀମାନେ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

କର୍ଣ୍ଣାଟକରେ ଲାଇସେନ୍ସ ଆବେଦନ ପଡ଼ିରହିଛି
ମୁମ୍ବାଇ/ବେଙ୍ଗାଲୁରୁ: ୨୦୨୨ ଡିସେମ୍ବରରେ କର୍ଣ୍ଣାଟକ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଓଲା ଏବଂ ଉବରର ଲାଇସେନ୍ସ ନବୀକରଣ କରିବାକୁ ମନା କରିଦେଇଥିଲା। କ୍ୟାବରେ ଜିପିଏସ୍‌ ଏବଂ ପ୍ୟାନିକ ବଟନ ବ୍ୟବସ୍ଥା ନକରିବାରୁ କର୍ଣ୍ଣାଟକ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ। କର୍ଣ୍ଣାଟକ ସରକାରଙ୍କ ୨୦୧୬ ନିୟମ ଅନୁଯାୟୀ, ଏମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ଉବରର ଲାଇସେନ୍ସ ୨୦୨୧ ଡିସେମ୍ବରରେ ଶେଷ ହୋଇଥିବାବେଳେ ଓଲାର ଲାଇସେନ୍ସ ୨୦୨୧ ଜୁନରେ ଶେଷ ହୋଇଥିଲା। ସେମାନେ ଲାଇସେନ୍ସ ପାଇଁ ପୁନର୍ବାର ଆବେଦନ କରିଥିଲେ ମଧ୍ୟ ତାହା ସରକାରଙ୍କ ନିକଟରେ ପଡ଼ି ରହିଛି। ଚଳିତମାସରେ ମହାରାଷ୍ଟ୍ର ସରକାର ରାପିଡୋକୁ ଲାଇସେନ୍ସ ଦେବାକୁ ମନା କରିଛନ୍ତି।