ବିକ୍ରମଙ୍କ କାହାଣୀ: ପେନ୍‌ ସମ୍ରାଟରୁ ଋଣ ଖିଲାପୀ

ନୂଆଦିଲ୍ଲୀ: କାନପୁରର ତିଳକ୍‌ନଗରରେ ରହିଛି ରୋଟୋମ୍ୟାକ୍‌ର ମାଲିକ ବିକ୍ରମ କୋଠାରିଙ୍କ ୪୦୦୦ ବର୍ଗ ଗଜର ବିଳାସପୂର୍ଣ୍ଣ ଘର ‘ସନ୍ତୁଷ୍ଟି’। ଘର ସାମ୍ନାରେ ରହିଛି ସୁଦୃଶ୍ୟ ବଗିଚା ଏବଂ ଅନେକ ବିଳାସପୂର୍ଣ୍ଣ ଗାଡ଼ି। ବିକ୍ରମଙ୍କ ଜଣେ ପଡ଼ୋଶୀ କହିଛନ୍ତି ଯେ, ବିକ୍ରମଙ୍କ ବାପା ମନସୁଖଭାଇ କୋଠାରି ଗୁଜରାଟରୁ ଆସିଥିଲେ। ପ୍ରଥମେ ସେ ସହରର ନୟାଗଞ୍ଜ ଅଞ୍ଚଳରେ ରହିବା ସହିତ ଦୋକାନଗୁଡ଼ିକୁ ନଡ଼ିଆ ତେଲ ଯୋଗାଉଥିଲେ। କିଛି ଦିନ ପରେ ସେ ପାନ ମସଲା ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିିଥିଲେ। ୧୯୭୩ ମସିହାରେ ପାନ ମସଲା ବ୍ୟବସାୟ ଆରମ୍ଭ କରିଥିଲେ। ମନସୁଖଭାଇ ପ୍ରଥମେ ପାସ ମସଲାକୁ ପାଉଚ୍‌ ଜରିଆରେ ବିକ୍ରି କରିବା ଆରମ୍ଭ କରିଥିଲେ। ତାଙ୍କ ବ୍ରାଣ୍ଡ୍‌ ‘ପାନ୍‌ ପରାଗ’ ଲୋକଙ୍କ ଦ୍ୱାରା ବିପୁଳ ମାତ୍ରାରେ ଆଦୃତ ହୋଇଥିଲା। ଏତେ ଲୋକପ୍ରିୟ ଥିଲା ଯେ ସେହି ସମୟର ହିଟ୍‌ ବଲିଉଡ୍‌ ଷ୍ଟାର୍‌ ଶମି କପୁର ଏବଂ ଅଶୋକ କୁମାର ପାନ୍‌ ପରାଗର ବିଜ୍ଞାପନରେ ଅଭିନୟ କରିଥିଲେ। ସାରା ଦେଶରେ ପାନ ପରାଗର ସଫଳତା ଏଭଳି ଏକ ସ୍ତରରେ ପହଞ୍ଚିଯାଇଥିଲା ଯେ ଲୋକମାନେ କାନପୁରକୁ ପାନ ମସଲା ସହର ବୋଲି କହିବା ଆରମ୍ଭ କରିଥିଲେ।

ସେହି ସମୟରେ ମନସୁଖଭାଇଙ୍କ ଦୁଇ ପୁଅ ବିକ୍ରମ ଏବଂ ଦୀପକ ତାଙ୍କୁ ବ୍ୟବସାୟରେ ସହାୟତା ଦେଉଥିଲେ। ବାପାଙ୍କ ସହିତ ଦୁଇ ପୁଅ ମିଶି କାରବାରକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରାଇବାକୁ ଲାଗିଲେ। ୧୯୯୨ ମସିହାରେ ରୋଟୋମ୍ୟାକ୍‌ ପେନ୍‌ କଂପାନି ପ୍ରତିଷ୍ଠା କରାଗଲା। ଏହାର କିଛି ବର୍ଷ ପରେ ‘ୟେସ୍‌’ ନାମରେ ମିନେରାଲ୍‌ ଓ୍ଵାଟର ମଧ୍ୟ ବିକ୍ରି ଆରମ୍ଭ କରାଯାଇଥିଲା। କିଛି ଦିନ ପରେ ଦୁଇ ଭାଇ ବିକ୍ରମ ଏବଂ ଦୀପକ ପରସ୍ପରଠାରୁ ଅଲଗା ହୋଇଗଲେ। ରୋଟୋମ୍ୟାକ୍‌କୁ ନେଇ ବିକ୍ରମ ଆଗକୁ ବଢ଼ିଥିଲେ। ଦୀପକଙ୍କ ପାଖରେ ରହିିଥିଲା ପାନ୍‌ ପରାଗ୍‌ ବ୍ରାଣ୍ଡ୍‌। ରୋଟୋମ୍ୟାକ୍‌ ବ୍ରାଣ୍ଡ୍‌ ବହୁତ ସଫଳ ହୋଇଥିଲା। ସଲମାନ୍‌ ଖାନ୍‌ ଏବଂ ରବିନା ଟଣ୍ଡନ ଭଳି ବଲିଉଡ୍‌ କଳାକାର କଂପାନିର ବ୍ରାଣ୍ଡ୍‌ ଆମ୍ବାସାଡର ଥିଲେ। ବ୍ୟବସାୟ ସଫଳତା ସହିତ ବିକ୍ରମଙ୍କୁ ସାମାଜିକ ସ୍ୱୀକୃତି ମଧ୍ୟ ମିଳିଥିଲା। ତାଙ୍କୁ ଲାୟନ୍ସ କ୍ଲବ୍‌ ପକ୍ଷରୁ ‘ଗୁଡ୍‌ଓ୍ଵିଲ୍‌ ଆମ୍ବାସାଡର’ କରାଯାଇଥିଲା। ବିକ୍ରମ ୩୬୯୫ କୋଟି ଟଙ୍କାର ଋଣ ଠକେଇ କରିଥିବା ପଡ଼ୋଶୀମାନେ ବିଶ୍ୱାସ କରିପାରୁନାହାନ୍ତି।
ରୋଟୋମ୍ୟାକ୍‌ର ୧୧ ବ୍ୟାଙ୍କ ଆକାଉଣ୍ଟ ଜବତ
ନୂଆଦିଲ୍ଲୀ, ୨୦/୨: ରୋଟୋମ୍ୟାକ୍‌ ପେନ୍‌ କମ୍ପାନି ମାଲିକ ବିକ୍ରମ କୋଠାରିଙ୍କ ଦ୍ୱାରା ହୋଇଥିବା ବ୍ୟାଙ୍କ ଠକେଇ ଘଟଣାରେ ସିବିଆଇ ଓ ଇଡି ପରେ ଏବେ ଆୟକର ବିଭାଗ ତତ୍ପରତା ପ୍ରକାଶ କରିଛି। ଆୟକର ବିଭାଗ ପକ୍ଷରୁ ଏହି କମ୍ପାନି ଏବଂ ଏହାର ପ୍ରତିଷ୍ଠାତାଙ୍କ ୧୧ଟି ବ୍ୟାଙ୍କ ଆକାଉଣ୍ଟକୁ ଗତରାତିରେ ଜବତ କରାଯାଇଛି। ଏହି ଆକାଉଣ୍ଟ ଗୁଡ଼ିକ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଥିବା ବ୍ୟାଙ୍କ ଶାଖାରେ ରହିଛି। ଆୟକର ବିଭାଗକୁ ରୋଟୋମ୍ୟାକ୍‌ କମ୍ପାନି ୮୫ କୋଟି ଟଙ୍କାର ଟିକସ ଦେଇନାହିଁ। ଏହି ଟିକସ ରାଶିକୁ ଆଦାୟ କରିବା ପାଇଁ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକ ଜବତ କରାଯାଇଥିବା କୁହାଯାଉଛି। ଗତବର୍ଷ ଜାନୁଆରିରେ ମଧ୍ୟ କମ୍ପାନିର ୩ଟି ବ୍ୟାଙ୍କ ଆକାଉଣ୍ଟକୁ ଆୟକର ବିଭାଗ ଜବତ କରିଥିଲା।

ସମ୍ବନ୍ଧିତ ଖବର