୬୪ ବର୍ଷରେ ପାଦ ଦେଲେ ବିଲ୍ ଗେଟସ୍‌, ତାଙ୍କ ବିଷୟରେ କିଛି ଅଜଣା ତଥ୍ୟ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍‌ ଗେଟସ୍‌ ୬୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଭାବେ ଜଣାଶୁଣା ଗେଟସ୍‌ ଦାତବ୍ୟ କାର୍ଯ୍ୟ ଲାଗି ସମ୍ପତ୍ତି ଦାନ କରିବାରେ ମଧ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଆମେରିକାର ସିଆଟଲ୍‌ରେ ଜନ୍ମ ଗ୍ରହଣ କରିଥିବା ଗେଟସ୍‌ ହାଭାର୍ଡ ବିଶ୍ବବିଦ୍ୟାଳୟରୁ ଅଧାରୁ ପାଠ ଛାଡ଼ି ନିଜର କଂପାନି ଗଠନ କରିଥିଲେ। ବିଲ୍ ଗେଟସ୍‌ଙ୍କ ପାଖରେ ଏବେ ୧୦,୫୭୦ କୋଟି ଡଲାରର ସମ୍ପତ୍ତି ରହିଛି। ତାଙ୍କ ବିଷୟରେ କେତେକ ରୋଚକ ତଥ୍ୟ ଏଠାରେ ଉପସ୍ଥାପନ କରାଯାଇଛି। ଗେଟସ୍‌ କିଶୋରାବସ୍ଥାରେ ଥିବା ବେଳେ ‘ୱାର୍ଲଡ୍‌ ବୁକ୍ ଏନ୍‌ସାଇକ୍ଲୋପିଡିଆ’ ସିରିଜ୍‌କୁ ସମ୍ପୂର୍ଣ୍ଣ ପଢ଼ିଥିଲେ। ସ୍କୁଲ୍ ତରଫରୁ କରାଯାଉଥିବା ବୈଧାନିକ ଅନୁଧ୍ୟାନ ପରୀକ୍ଷା (ସାଟ୍‌)ରେ ସେ ମୋଟ ୧୬୦୦ରୁ ୧୫୯୦ ମାର୍କ ରଖିଥିଲେ। ପଞ୍ଚ୍‌-ଇନ୍ ଓ ପଞ୍ଚ୍‌-ଆଉଟ୍‌ ଉପରେ ନଜର ରଖିବା ଲାଗି ସେ କର୍ମଚାରୀମାନଙ୍କ ‘ଲାଇସେନ୍ସ ପ୍ଲେଟ୍‌’କୁ ମନେ ରଖୁଥିଲେ।

୨୦୦୬‌ରେ ସେ ଦେଇଥିବା ଏକ ସାକ୍ଷାତକାର ସମୟରେ ଜଣାଇଥିଲେ ଯେ, ପିଲାଟି ଦିନରୁ ସେ ବର୍ଣ୍ଣ ଦୃଷ୍ଟିଦୋଷ (କଲର୍‌ ବ୍ଲାଇଣ୍ଡ୍‌)ର ଶିକାର। ଲେକ୍‌ସାଇଡ୍‌ ସ୍କୁଲ୍‌ରେ ପାଠ ପଢ଼ୁଥିବା ବେଳେ ସେ ନିଜର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମ୍ ଲେଖିଥିଲେ। ଏକ କମ୍ପ୍ୟୁଟର ଗେମ୍ ପାଇଁ ସେ ସେହି ପ୍ରୋଗ୍ରାମ୍ ଲେଖିଥିଲେ। ଛାତ୍ରଛାତ୍ରୀଙ୍କ କ୍ଲାସ୍‌ ଟାଇମ୍‌ଟେବୁଲ୍‌ର ସାରଣୀ ପ୍ରସ୍ତୁତ କରିବା ଲାଗି ସ୍କୁଲ ତରଫରୁ ତାଙ୍କୁ ଏକ ପ୍ରୋଗ୍ରାମ ଲେଖିବାକୁ କୁହାଯାଇଥିଲା। ଗେଟସ୍‌ ସେହି କୋଡ୍‌କୁ ବଦଳାଇ ଦେଇ ସର୍ବାଧିକ ବାଳିକା ରୁଚି ରଖୁଥିବା ପିଲା ତାଲିକାର ଶୀର୍ଷରେ ନିଜ ନାମକୁ ରଖିଥିଲେ। ବିଲ୍ ଗେଟସ୍‌ଙ୍କ ସବୁଠୁ ବଡ଼ ଅବସୋସ ହେଉଛି ଅନେକ ପ୍ରୋଗ୍ରାମିଂ ଭାଷାରେ ଶ୍ରେଷ୍ଠତ୍ବ ହାସଲ କରିପାରିଥିଲେ ମଧ୍ୟ ମଣିଷ କହୁଥିବା ଗୋଟିଏ ଭାଷା କେବଳ ‘ଇରାଂଜି’କୁ ହିଁ ସେ କହିପାରନ୍ତି। ୨୦୦୪ରେ ବିଲ୍ ଗେଟସ୍‌ ଅନୁମାନ ଲଗାଇଥିଲେ ଯେ, ଦୁଇ ବର୍ଷ ଭିତରେ ସ୍ପାମ୍ ମେଲ୍ ଉଭାନ ହୋଇଯିବ। ଆଜି ପର୍ଯ୍ୟନ୍ତ ସେଥିରେ କୌଣସି ସୁଧାର ହୋଇନାହିଁ। ଅତ୍ୟନ୍ତ ପ୍ରଭାବଶାଳୀ ବିଲ୍ ଗେଟସ୍‌ ନିଜ ଜୀବନକୁ ବେଶ ଶୃଙ୍ଖଳିତ ଢଙ୍ଗରେ ବଞ୍ଚିବାକୁ ଭଲ ପାଆନ୍ତି। ଆମେରିକାର ରାଷ୍ଟପ୍ରତିଙ୍କ ଦିନ ସାରାର କାର୍ଯ୍ୟକୁ ଯେଭଳି ପ୍ରତି ମିନିଟ୍‌ ହିସାବରେ ଯୋଜନା କରାଯାଇଥାଏ ଠିକ୍ ସେହିଭଳି ଭାବେ ବିଲ୍‌ ଗେଟସ୍‌ଙ୍କ ପାଇଁ ପ୍ରତିଟି ଦିନର ଯୋଜନା ପ୍ରସ୍ତୁତ ହୋଇଥାଏ।

ସମ୍ବନ୍ଧିତ ଖବର