ଯୌନ ଅପରାଧୀଙ୍କ ସହ ମିଳାମିଶା ପାଇଁ ଭାଙ୍ଗିଲା ବିଲ୍‌ ଗେଟ୍‌ସଙ୍କ ସଂସାର

ନୂଆଦିଲ୍ଲୀ: ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କ ଠାରୁ ଅଲଗା ହୋଇଯାଇଥିବା ତାଙ୍କ ପୂର୍ବତନ ପତ୍ନୀ ମେଲିଣ୍ଡା ଗେଟ୍‌ସ ପ୍ରଥମ ଥର ଲାଗି ଏକ ସାକ୍ଷାତକାରରେ ବିଲ୍‌ଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯୌନ ଅପରାଧୀ ଜେଫ୍ରି ଏପ୍‌ଷ୍ଟିନଙ୍କ ସହିତ ବିଲ୍‌ ଗେଟ୍‌ସଙ୍କ ମିଳାମିଶା ବିବାହ ବିଚ୍ଛେଦର ଅନ୍ୟତମ କାରଣ ଥିଲା ବୋଲି ସେ କହିଛନ୍ତି। ସେ ନିଜେ ଥରେ ଏପ୍‌ଷ୍ଟିନଙ୍କୁ ଭେଟିଥିଲେ। ତା’ ପରଠାରୁ ତାଙ୍କୁ କେବଳ ଦୁଃସ୍ବପ୍ନ ଆସୁଥିଲା। କାହିଁକି ଏପ୍‌ଷ୍ଟିନଙ୍କୁ ଭେଟିଥିଲେ ବୋଲି ମେଲିଣ୍ଡା ପଶ୍ଚାତାପ କରୁଛନ୍ତି। ଏପ୍‌ଷ୍ଟିନଙ୍କୁ ସେ ଜଣେ ଘୃଣ୍ୟ ଓ ଖରାପ ଲୋକ ବୋଲି କହିଛନ୍ତି।

୧୯୭୫ରେ ମାଇକ୍ରୋସଫ୍ଟକୁ ସ୍ଥାପନ କରିଥିବା ବିଲ୍‌ ଗେଟ୍‌ସ ୨୦୦୦ରେ କଂପାନିର ସିଇଓ ପଦ ଛାଡ଼ିଥିଲେ। କୁହାଯାଉଛି କଂପାନିର ଜଣେ ମହିଳା କର୍ମଚାରୀଙ୍କ ସହିତ ତାଙ୍କର ଥିବା ସମ୍ପର୍କ ଯୋଗୁଁ ତାଙ୍କୁ ଏହି ପଦ ଛାଡ଼ିବାକୁ ପଡ଼ିଥିଲା। ୨୦୦୮ରେ ସେ ମାଇକ୍ରୋସଫ୍ଟର ନିତିଦିନିଆ କାର୍ଯ୍ୟରୁ ଅବ୍ୟାହତି ନେଇ ଦାତବ୍ୟ କାର୍ଯ୍ୟ ପାଇଁ ଅଧିକ ସମୟ ଦେଇଥିଲେ। ୨୦୨୦ ମାର୍ଚ୍ଚରେ ସେ କଂପାନିର ବୋର୍ଡରୁ ମଧ୍ୟ ଇସ୍ତଫା ଦେଇଥିଲେ। ଏପ୍‌ଷ୍ଟିନ୍ ବିଚାର ବିଭାଗୀୟ ହେପାଜତରେ ଥିବା ବେଳେ ୨୦୧୯ ଅଗଷ୍ଟରେ ମନହାଟନ ଜେଲ୍‌ ଭିତରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଗତ ଅଗଷ୍ଟରେ ବିଲ୍ ଗେଟସ୍‌ ସିଏନ୍‌ଏନ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ସ୍ବୀକାର କରିଥିଲେ ଯେ ଏପ୍‌ଷ୍ଟିନଙ୍କ ସହ ସମୟ ବିତାଇବା ବହୁତ ବଡ଼ ଭୁଲ ଥିଲା। କିନ୍ତୁ ସେ କେବଳ ଦାତବ୍ୟ କାର୍ଯ୍ୟ ପାଇଁ ପାଣ୍ଠି ଯୋଗାଡ଼ କରିବାକୁ ତାଙ୍କୁ ଭେଟୁଥିଲେ ବୋଲି ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର